ayiswarya maharana

Drama Romance Inspirational

4  

ayiswarya maharana

Drama Romance Inspirational

ରାଧା

ରାଧା

7 mins
273


ଜମିଦାର ରାଜନାଥ ଙ୍କର ଆଖପାଖ ଅଞ୍ଚଳରେ ଖୁବ୍ ଭଲ ନାମ ଥିଲା।ଧନ ସମ୍ପତ୍ତି ,ମାନ ସମ୍ମାନରେ କେଉଁଥିରେ ଅଭାବ ନଥିଲେ ମଧ୍ୟ ପତ୍ନୀ ସୁମିତ୍ରା ଦେବୀ ଙ୍କର ଶୂନ୍ୟକୋଳ ତାଙ୍କୁ ବିଧାତାର ଦାରୁଣ ଆଘାତ ପରି ମନେ ହେଉଥିଲା।ସୁମିତ୍ରା ଦେବୀ ମଧ୍ୟ ଛୁଆଟିଏ ପାଇଁ ଯିଏ ଯାହା ଓଷାବ୍ରତ କରିବାକୁ କହିଲେ ସବୁ କଲେ।ଘରେ ଚାକର ,କାମବାଲି ଙ୍କୁ ନିଜ ସନ୍ତାନ ପରି ମନେ କରୁଥିଲେ।ଅନେକ ହୋମ ଯଜ୍ଞ କରି ଦୀର୍ଘ ୧୦ ବର୍ଷ ପରେ ଜମିଦାର ଦମ୍ପତ୍ତିଙ୍କ କୋଳ ମଣ୍ଡନ କରି ଏକ ପୁତ୍ର ସନ୍ତାନ ଜନ୍ମ ନେଲା।ଜମିଦାର ରାଜନାଥ ଓ ପତ୍ନୀ ସୁମିତ୍ରା ଦେବୀ ଙ୍କର ଖୁସି କହିଲେ ନସରେ।ସେ ଦୁହିଁଙ୍କର ଖୁସିରେ ସାରା ଅଞ୍ଚଳ ଖୁସି ଥିଲା।ଏକୋଇଶିଆ ପର୍ଯ୍ୟନ୍ତ ଜମିଦାର ମହଲ ଉତ୍ସବମୁଖର ଥିଲା।ଏକୋଇଶିଆ ଦିନ ସାରା ଅଞ୍ଚଳକୁ ଭୋଜିଭାତରେ ଆପ୍ୟାୟିତ କଲେ।ସଭିଏଁ ପିଲାଟିକୁ ଦୀର୍ଘାୟୁ ର ଆଶୀର୍ବାଦ ଦେଲେ।ଶ୍ରଦ୍ଧାରେ ପୁଅର ନାମ ରଖାଗଲା ଅଶୋକ।

ଅଶୋକ ଥିଲା ଜମିଦାର ଘରର ଏକମାତ୍ର ଉତ୍ତରାଧିକାରୀ।ପିଲାଟି ଦିନୁ ଅନୁଶାସନର ଅଭାବ ଓ ଅଯାଚିତ ସ୍ନେହ ତାକୁ କୁପଥ ଗାମୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।ସମୟ ସ୍ରୋତରେ ଅଶୋକ ଚନ୍ଦ୍ରକଳା ପରି ବଢିବାକୁ ଲାଗିଲା।କୈଶୋର ଅବସ୍ଥାରେ ଜମିଦାର ତାକୁ ଘର ଠାରୁ ଦୂର ସହରକୁ ଉଚ୍ଚଶିକ୍ଷା ପାଇଁ ପଠାଇଦେଲେ।ପୁତ୍ର ସ୍ନେହରେ ଅନ୍ଧ ସୁମିତ୍ରା ଦେବୀଙ୍କୁ ଏହା ବହୁତ କଷ୍ଟ ଦେଉଥିଲେ ମଧ୍ୟ ପୁଅର ମଙ୍ଗଳ ପାଈଁ ଚୁପ ହୋଇ ରହିଲେ।ତେଣେ ଜିଦଖୋର ଅଶୋକ ଘର ଠାରୁ ଦୂରରେ ରହି ପାଠ ପ୍ରତି ଧ୍ୟାନ ନଦେଇ ଅନ୍ୟ ସବୁରେ ଧ୍ୟାନ ଲଗାଇଲା।ପୂର୍ବାପେକ୍ଷା ସେ ଆହୁରି ସ୍ୱାଧୀନ ଥିଲା ପୁଣି ପାଖରେ ଧନର ଅଭାବ ମଧ୍ୟ ନଥିଲା।ଶେଷରେ ଅକୃତକାର୍ଯ୍ୟ ହୋଇ ଏକ ପୂର୍ଣ୍ଣ ମଦ୍ୟପ ରୂପେ ଘରକୁ ଫେରିଥିଲା।ଜମିଦାର ଅଶୋକର ଏଭଳି ବିନାଶ ମୁଖୀ ଅବସ୍ଥା ଦେଖି ଖୁବ୍ ମନସ୍ତାପରେ ବୁଡି ରହୁଥିଲେ।

ଜମିଦାରଙ୍କ ଘରେ କେତକୀ ନାମରେ ସ୍ତ୍ରୀ ଲୋକଟିଏ କାମ କରୁଥିଲା।ତାର ରାଧା ବୋଲି ଝିଅଟିଏ ଥିଲା।ଗରିବ ପରିବାରରେ ରାଧା ଶାନ୍ତ ସରଳ ଝିଅଟିଏ।ନିଜର ରୂପଗୁଣ କୁ ନେଇ ସେ ଅଞ୍ଚଳରେ ସୁପରିଚିତା।ସେଠାକାର ଜମିଦାରଙ୍କୁ ମଧ୍ୟ ରାଧାର ରୂପଗୁଣ ବିଷୟରେ ଅଛପା ନଥିଲା।ତେଣୁ ସେ ମନେ ମନେ ଚିନ୍ତା କଲେ କେବଳ ରାଧା ଇଚ୍ଛା କଲେ ତାଙ୍କର ବାଟ ହୁଡା ପୁଅ ଅଶୋକ ରାସ୍ତାକୁ ଫେରିପାରିବ।ତେଣୁ ଜମିଦାର ଯାଇ କେତକୀକୁ ନିଜ ଅଯୋଗ୍ୟ ପୁଅ ପାଈଁ ରାଧାର ହାତ ମାଗିଲେ।ଅଭାବୀ ପରିବାରର କେତକୀ କହିଲା ,"ବାବୁ ତୁମ ପାଦ ତଳର ଲୋକ ଆମେ।ମୋ ଘରର ଝିଅ ଆପଣଙ୍କ ଘରକୁ ଯିବ ସେ ଯୁ ମୋର ପାଉନି।ମୋତେ କ୍ଷମା କର ବାବୁ।ମୁଁ ପାରିବିନି।"

ଜମିଦାର ବାବୁ କହିଲେ ,"ମୁଁ ବୁଝୁଛି କେତକୀ।ମୋ ଅଯୋଗ୍ୟ ପୁଅ ବୋଲି ତୁ ତୋ ଝିଅ ଦେବାକୁ ଇଛା କରୁନାହୁଁ।ହଉ ତୋ ଇଛା।"କେତକୀ କହିଲା,"ନାଇଁ ବାବୁ,କଥା ସେୟା ନୁହେଁ।ଆପଣଙ୍କ ଦୟାରେ ମୋ ପରିବାର ଚାଲିଛି।ଏ ଘରୁ ଅନ୍ନ ଯାଇ ତା ଦେହରେ ରକ୍ତ ହୋଇଛି।ମୁଁ ମୋ ସାମର୍ଥ୍ୟ ପାଉନି ବୋଲି ମନା କରିଲି।"ଜମିଦାର କହିଲେ,"ତୁ ଧନ କଥା ଚିନ୍ତା କରନି।ତୁ କେବଳ ବାହାଘର ପାଇଁ ରାଜି ହୋଇଯା।"କେତକୀ ରାଜି ହୋଇ ରାଧାକୁ ମନେଇବାରେ ଲାଗିଲା।ତେଣେ ସୁମିତ୍ରା ଦେବୀ ଛାର କାମବାଲିର ଝିଅକୁ ବୋହୁ କରି ଆଣିବା ପାଇଁ କୁଣ୍ଠାବୋଧ କରୁଥିଲେ।କିନ୍ତୁ ରାଜନାଥ ବାବୁ ତାଙ୍କୁ ବୁଝାଇଲେ ,"ଆମର ଏତେ ଧନସମ୍ପତି ଅଛି କିନ୍ତୁ ଗୋଟିଏ ପୁଅ ଯେ ସେ ଅବାଟରେ।ପ୍ରକୃତ ସମ୍ପତ୍ତି ଯେ ନଷ୍ଟ ହେଉଛି।ତାକୁ ସରଂକ୍ଷଣ ନକଲେ ଏ ଘର ଭାଙ୍ଗିଯିବ।ଆଉ ମୋ ନଜରରେ ରାଧା ଭଳି ଧର୍ଯ୍ୟଶୀଳା ଝିଅ ଆମ ପୁଅକୁ ବଦଳାଇ ପାରିବ।"ସୁମିତ୍ରା ଦେବୀ ସ୍ୱାମୀଙ୍କର କଥାଟିକୁ ବୁଝିଲେ;ପୁଣି କହିଲେ,"ଅଶୋକ ଯେ ସହରୀ ଝିଅଟିଏ ଖୋଜୁଛି।ସେ ତ ଏହି ପ୍ରସ୍ତାବରେ ରାଜି ନୁହେଁ।"ରାଜନାଥ ବାବୁ କହିଲେ ,"ଆମେ ଛୋଟ ବେଳୁ ତାର ସବୁ ଇଛା ପୁରଣ କରିଛେ।ସେଥିପାଇଁ ତ ସେ ଅବାଟରେ।ଏଈ ଥର ଯଦି ଆମେ କଠୋର ନହୋଇ ତା କଥା ମାନିଯିବା ତାହେଲେ ରାଧା ଭଳି ଝିଅକୁ ଏ ଘରର ବୋହୁ କରିବାରୁ ବଞ୍ଚିତ ହେବା ନାହିଁ ଯେ ଆମ ଘରର ଭବିଷ୍ୟତ ଅନ୍ଧାରକୁ ଚାଲିଯିବ।"

ବିବାହର ଦିନ ସ୍ଥିର କରାଗଲା।କେତକୀ ଆଖିରେ ଆଖିଏ ସ୍ୱପ୍ନ;ତା ଝିଅ ଗରିବ କୁଡ଼ିଆ ଛାଡି ଉଆସରେ ରାଜାରାଣୀ ହୋଇ ରହିବ।ଯେଉଁ ଘରେ ସେ ଖଟୁ ଥିଲା ଆଜି ତା ଝିଅ ସେଠି ମାଲିକିଆଣି ହବ।ତେଣୁ ନିଜ ସାମର୍ଥ୍ୟରେ ଝିଅ ବାହାଘରରେ କିଛି ଉଣା ନହେଉ ସେଥିପାଇଁ ଲାଗିପଡ଼ିଥାଏ।ରାଜନାଥ ବାବୁ ମଧ୍ୟ କେତକୀ ବାହାଘର ଯୋଗୁ କୌଣସି ପ୍ରକାରେ ଅପମାନିତ ନହେଉ ସେଥିପାଇଁ ତାକୁ ସାହାଯ୍ୟ ସହଯୋଗ ମଧ୍ୟ କରୁଥାନ୍ତି।

ରାଧା କିନ୍ତୁ ସ୍ଥିରମନା ଥାଏ।ଆଖିରେ ସ୍ୱପ୍ନ ନାହିଁ କି କିଛି ଆଶା ନାହିଁ।ଅଛି ତ କେବଳ ଅସମାହିତ ପ୍ରଶ୍ନମାଳା,"କଣ ସତରେ ଜମିଦାର ବାବୁଙ୍କ ଘରେ ମୋ ଭଳି ଗରିବର ଝିଅ ଉଚିତ ମର୍ଯ୍ୟାଦା ପାଇବ?କଣ ସତରେ ଅଶୋକ ବାବୁ ମୋତେ ତାଙ୍କ ସ୍ତ୍ରୀର ଅଧିକାର ଦେବେ?ସେ କଣ ସତରେ ସେଠାର ଚାଲିଚଳଣୀରେ ଖାପ ଖୁଆଇ ରହିପାରିବ?ନେଇ ପାରିବକି ସଭିଙ୍କର ଦାୟିତ୍ୱ?କଣ ତା ପରିବାରକୁ ଜମିଦାର ଘରେ ଉଚିତ ସମ୍ମାନ ମିଳିବ"ଏପରି ଅନେକ ପ୍ରଶ୍ନ।ଏହା ସତ୍ୱେ ସେ ଅବିଚଳିତ।ଯେ ଶୈଶବରୁ ପ୍ରତିକୂଳ ପରିସ୍ଥିତିରେ ବଢିଛି ତାର ବିପତ୍ତି ପାଇଁ କି ଭୟ ! ଯାହାର ପାଦ ଭୂଇଁରେ ,ସେହି ମାଟିର ମଣିଷ କାହିଁକି ନୀଳ ଆକାଶର ମୋହ ରଖିବ।ତେଣୁ ଯାହା ବି ପରିସ୍ଥିତି ଆସିବ ସେଥିପାଇଁ ନିଜକୁ ପ୍ରସ୍ତୁତ କରି ରଖିଲା।

ବିବାହର ଦିନ ଉପସ୍ଥିତ।ଗାଁ ସାରା ଶଙ୍ଖ ମହୁରୀ ବାଜା ଶବ୍ଦରେ ଫାଟି ପଡୁଛି।ଗାଁ ହୋଇଛି ଉତ୍ସବ ମୁଖର।ଜମିଦାର ଘରର ଏକମାତ୍ର ଉତ୍ତରାଧିକାରୀର ବିବାହ ହେଉଛି ।ତେଣୁ ଘରେ ଘରେ ରୋଷେଇ ବନ୍ଦ।ରାଧା ବୋହୁ ବେଶରେ ସତରେ ଶ୍ରୀରାଧାଙ୍କ ପରି ଦିଶୁଥିଲା।ବାଡୁଅ ପାଣି ଯେମିତି ତା ଚେହେରାରେ ସୂର୍ଯ୍ୟମୁଖୀର ତେଜ ଭରିଦେଇଛି।ପାଦରେ ନାଲି ଅଳତା ଗାର ଉପରେ ମୁକ୍ତା ଗୁନ୍ଥା ନୁପୁର,ମେହେନ୍ଦୀ ଲଗା ହାତରେ ଭରା ଭରା ଚୁଡି,ଗଳାରେ ହାର,ଲାଲ ଓଠ,ମଥାରେ ଲାଲ କୁଂକୁମ ସବୁ ପରେ ପାଟ ଶାଢ଼ୀ ଓ ପାଟ ଓଢଣା ଫାଙ୍କରୁ ଗଜରାର ସୁଗନ୍ଧ ଏସବୁ ମିଶି ରାଧାର ସୌନ୍ଦର୍ଯ୍ୟକୁ ଢେର ଗୁଣରେ ବଢ଼ାଇ ଦେଇଥିଲେ।ଦେଖିବା ଲୋକ ଆଖି ଫେରାଇଆଣିବା ସମ୍ଭବ ନଥିଲା।ଯଥା ସମୟରେ ବିବାହ ସମ୍ପନ୍ନ ହେଲା।

ରାଧା ଜମିଦାର ଘରର ଏରୁଣ୍ଡି ଡେଇଁ ଗୃହ ପ୍ରବେଶ କରିବା ବେଳେ ତାର ହୃତସ୍ପନ୍ଦନ ତୀବ୍ର ହୋଇଗଲା।ବିଶ୍ୱାସ କରିପାରୁନଥିଲା ସେ କଣ ସତରେ ଏବେ ଜମିଦାର ଘର ବୋହୁ।ଏଇ ଗୋଟିଏ ଦିନରେ ଯେପରି ତାର ଦୁନିଆ ବଦଳି ଗଲା।ଇଚ୍ଛା ହେଉଥିଲା ସେହି କ୍ଷଣି ଧାଇଁଯିବ ତା କୁଡ଼ିଆକୁ।କିନ୍ତୁ କାହିଁକି ସେତ ପ୍ରସ୍ତୁତ ଥିଲା।ନିଜକୁ ଦୃଢ଼ କଲା।ଯନ୍ତ୍ରଚାଳିତ ମାନବୀ ପରି ଆଗକୁ ପାଦ ବଢାଉଥିଲା ଅନ୍ୟ ଜଣଙ୍କର ସହାରାରେ।ଓଢଣା ଫାଙ୍କରୁ ଦେଖି ପାରୁନଥିଲା ବର୍ତ୍ତମାନ କିଏ ତାର ପଥପ୍ରଦର୍ଶିକା ସାଜିଛି।ମହିଳା ଜଣଙ୍କ ରାଧାକୁ ନେଇ ଉଦିଷ୍ଟ କକ୍ଷରେ ବସାଇଲେ।ସେତେବେଳେ ରାଧା ତାଙ୍କ ହାତ ଧରିନେଇ କହିଲା,"ଆରେ ବସୁଧା ମାଉସୀ ତୁମେ ଏଠାରେ ଟିକିଏ ବସ।"ବସୁଧା ମାଉସୀ କହିଲେ ,"ମାଆ ତୁମେ ଏ କି କଥା କହୁଛ।ତୁମେ କଣ ଆଉ ଆମ ଭଳି ଯେ ମୁଁ ତୁମ ପାଖରେ ବସିବି ।ତୁମେ ପରା ଏବେ ଜମିଦାର ଘର ବୋହୁ।"ରାଧା କହିଲା,"ମାଉସୀ ତୁମେ ଏ କି କଥା କହୁଛ।ମୁଁ ତ ସେହି ମଣିଷ।ଆଉ ତୁମେ ମୋତେ ତୁମେ ନକହି ପୂର୍ଵ ପରି ରାଧା କୁହ।ଖୁସି ଲାଗିବ।"ବସୁଧା ମାଉସୀ କହିଲେ,"ସତରେ ରାଧା ତୁ ସୁନା ମୁଣ୍ଡାଟିଏ।ଭଗବାନ ତୋତେ ଶକ୍ତି ଦିଅନ୍ତୁ ତୁ ତୋ ସଂସାର ସୁରୁଖୁରୁରେ ଆଗେଇନେ।ହେଲେ ଗୋଟିଏ କଥା ତୁ ଏବେ ଜମିଦାର ଘର ବୋହୁ ତେଣୁ ମୁ ଆଉ ତତେ ରାଧା ଡାକି ପାରିବିନି।କଥା ସୁନ୍ଦର ହେବନି।ବଡ ମା ରାଗିବେ।ତେଣୁ ତୁ ଏଠି କେବଳ ମୋଠାରୁ ନୁହେଁ ସମସ୍ତଙ୍କ ଠାରୁ ଏପରି ବ୍ୟବାହାର ପାଇବୁ।ମନ ଉଣା କରିବୁନି।ହଉ ମୁଁ ଯାଉଛି ମୋର ବହୁତ କାମ ଅଛି।"ବସୁଧା ମାଉସୀ ଚାଲିଗଲା ପରେ ରାଧା ଆଖି ଲୁହରେ ଭରିଗଲା।ଭାବୁଥିଲା ସତରେ କଣ ଏହି ଗୋଟିଏ ସମ୍ପର୍କ ମୋର ପିଲାଦିନର ଏତେ ସମ୍ପର୍କକୁ ବଦଳାଇଦେଲା।ଛୋଟ ବେଳୁ ଏଠାକୁ ମା ସହ ଆସିଛି ଅନେକ ଥର।କାହାକୁ ଖୁଡି କାହାକୁ ମାଉସୀ କାହାକୁ କକା ଡାକି ସମ୍ପର୍କର ଡୋର ବଢାଇଥିଲା।କିନ୍ତୁ ଆଜି ଏ ବନ୍ଧନ ଯେ ତାକୁ ନିଜ ଦୁନିଆରୁ ବିଛିନ୍ନ କରିନେଲା।ସେ ଯାହା ହେଉ ସମସ୍ତଙ୍କୁ ନିଜ ପାଖରେ ତ ପାଇବ।ଏହା ରାଧାକୁ ଆଶ୍ୱସ୍ତ କଲା।

ତା ପରଦିନ ସକାଳୁ ଝରକା ଦେଇ ସୂର୍ଯ୍ୟକିରଣ ଆସି ରାଧା ମୁହଁରେ ଦୀପ୍ତି ଢାଳିଦେବାରୁ ରାଧାର ନିଦ ଭାଙ୍ଗିଗଲା।ରାଧା ଧଡପଡ ହୋଇ ଉଠିଗଲା।ଗତ କାଲିର ଉପାସ ଆଉ କ୍ଲାନ୍ତି ଯୋଗୁଁ ଏତେ ଡେରି ଯାଏଁ ଶୋଇଯାଇଛି।ମନରେ ଅଜଣା ଭୟ କିଏ କଣ କହିଦେବ ବୋଲି।ଝରକା ଦେଇ ଦେଖିଲା ସମସ୍ତେ ନିଜ ନିଜ କାମରେ ଲାଗିଗଲେଣି।ନୂଆବୋହୁ ହୋଇ ଏତେ ଡେରିଯାଏ ସେ ଶୋଇଯାଇଛି ବୋଲି ନିଜ ଉପରେ ରାଗିଲା।କଣ କରିବ ବୋଲି ଚିନ୍ତା କରୁ କରୁ ଦେଖିଲା ତା ଶାଶୂ ସୁମିତ୍ରା ଦେବୀ ତା ପାଖକୁ ଆସୁଛନ୍ତି।ତେଣୁ ରାଧା ଖୁବ ଶଙ୍କିଗଲା।ସୁମିତ୍ରା ଦେବୀ କହିଲେ ,"ଗଲା କାଲିର କ୍ଲାନ୍ତି ଯୋଗୁ ଶୋଇଯାଇଥିଲୁ ତେଣୁ ତତେ ଉଠାଇଲି ନାହିଁ।ଏବେ ଯାଇ ଟିକିଏ ପ୍ରସ୍ତୁତ ହୋଇଯା କିଛି ଖାଇନେବୁ।"ଏତିକି କହି ସେ ଚାଲିଯିବାରୁ ରାଧା  ଟିକିଏ ଆଶ୍ୱସ୍ତ ହୋଇ କହିଲା କାଲିଠାରୁ ଯେମିତି ହେଲେ ଶୀଘ୍ର ଉଠିବାକୁ ହେବ।ଦିନଟି ଅତିକ୍ରାନ୍ତ ହୋଇଗଲା।ସଂଧ୍ୟାରେ ସୁମିତ୍ରା ଦେବୀ ରାଧାକୁ ଦେଖା କରିବାକୁ ଆସି ତା ଭଲ ମନ୍ଦ କିଛି ବୁଝିନେଲେ।ତାକୁ କହିଲେ,"ତୁ ତ ସବୁ ଜାଣିଛୁ ମାଆ ଏ ଘର ବିଷୟରେ।ମୋ ପୁଅ ଏ ଘର ସବୁ ତୋତେ ଲାଗିଲା।ଏସବୁର ଦାୟିତ୍ୱ ନେବୁ।ଛୋଟ ଛୋଟ କଥାକୁ ଧରି ବସିବୁନି।ଆମେ ଝିଅ ପିଲା ସବୁ ସହି ସଂସାରକୁ ଆଗକୁ ବଢ଼ାଇବା ଦାୟିତ୍ୱ ଆମର।ମୋର ଆଶା ଯେ ତୁ ଆମ ବୁଢ଼ାବୁଢ଼ୀ ଦୁଇଟାକୁ ନିରାଶ କରିବୁନି।"ଏତିକି କହି ସେ କାନ୍ଦିବାକୁ ଲାଗିଲେ।ରାଧା ତାଙ୍କୁ ବୋଧ ଦେଇ କହିଲା,"ମାଆ,ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ।କେବଳ ଆଶୀର୍ବାଦ ଦିଅନ୍ତୁ ମୁଁ ଯେପରି ସଫଳ ହୋଇଯାଏ।"

ତା ପରଦିନରୁ ରାଧା ରୋଷେଇ ,ପୂଜା ଭଳି କାମକୁ ନିଜ ହାତକୁ ନେଇଗଲା।ଚାକର ପୂଜାରୀ ସଭିଙ୍କୁ ସମ୍ମାନ ଦିଏ।ଶାଶୂ ଶ୍ୱଶୁରଙ୍କର ସବୁ ଦାୟିତ୍ୱ ନେଲା। କିନ୍ତୁ ରାଧା ଯେପରି ଆଶଙ୍କା କରିଥିଲା ସେପରି ହିଁ ହେଲା।ଅଶୋକ ତାକୁ ସ୍ତ୍ରୀର ମର୍ଯ୍ୟାଦା ଦେବା ଦୁରେ ଥାଉ ତାକୁ ଆଡ଼ ଆଖିରେ ଦେଖେ ନାହିଁ।କିନ୍ତୁ ପୂର୍ବାପେକ୍ଷା ଅଧିକ ମଦ୍ୟପାନ କରିବାରେ ଲାଗିଲା।କେବେ କେବେ ନଖାଇ ଶୋଇପଡିଲା।ରାଧା ନିଜ ବ୍ୟବହାର ଓ କର୍ତ୍ତବ୍ୟରେ ସଭିଙ୍କର ପ୍ରିୟ ହୋଇଥିଲା କେବଳ ଅଶୋକକୁ ଛାଡି।ରାଧା ଅଶୋକର ପରିବର୍ତ୍ତନ ପାଇଁ ତାର ଆପ୍ରାଣ ଉଦ୍ୟମ ଜାରି ରଖିଥାଏ।ଦିନେ ରାତିରେ ରାଧା ଅଶୋକକୁ ମଦ ନପିଇ ,ଖରାପଲୋକଙ୍କ ସହ ମିଳାମିଶା ନକରିବାକୁ ବୁଝାଉଥିଲା।ତେଣୁ ଅଶୋକ ରାଗିଯାଇ ରାଧାକୁ ଖୁବ୍ ପିଟିଲା।ଭବିଷ୍ୟତରେ ତା ଜୀବନରେ ହସ୍ତକ୍ଷେପ କଲେ ମାରିଦେବା ପାଇଁ ଧମକ ଦେଇ ତାର ଏକ ସାଙ୍ଗ ସହ କୋଠିକୁ ଚାଲିଗଲା।

ରାଜନାଥ ବାବୁ ଓ ସୁମିତ୍ରା ଦେବୀ ନାଚାର ହୋଇ କିଛି କରି ପାରୁନଥାନ୍ତି।ରାଜନାଥ ବାବୁ ରାଧାକୁ କ୍ଷମା ମାଗି କହିଲେ,ମାଆ ରେ,ମୁଁ ମୋ ସ୍ୱାର୍ଥ ପାଇଁ ତୋ ଜୀବନ ନଷ୍ଟ କରିଦେଲି।ମୋତେ କ୍ଷମା କରିଦେ।ମୁଁ ତୋ ପାଇଁ ଅନ୍ୟତ୍ର ପ୍ରସ୍ତାବ ଦେଖି ସେଠି ବିବାହ କରାଇଦେଲେ ମୋ ପ୍ରାୟଶ୍ଚିତ ହେବ।"ରାଧା କହିଲା,"ସଂଘର୍ଷ ଯୋଗୁ ତ ଜୀବନ।ବିନା ସଂଘର୍ଷରେ ଜୀବନ କାହିଁ।ଏହା ମୋର ମଧ୍ୟ ଦାୟିତ୍ୱ।ମୁଁ ମୋ ପାରିବା ପର୍ଯ୍ୟନ୍ତ ଚେଷ୍ଟା କରିବି।ତା ଛଡା ଏହା ଏବେ ମୋର ମଧ୍ୟ ଘର।ମୁଁ ତୁମ ମାନଙ୍କୁ ଛାଡି ଅନ୍ୟତ୍ର ଯିବି ନାହିଁ।"ସୁମିତ୍ରା ଦେବୀ କହିଲେ ,"ଆମେ କି ପୂର୍ଣ୍ଣ୍ୟ କରିଥିଲୁ ଯେ ତୋ ଭଳି ବୋହୂଟିଏ ପାଇଲୁ।ତୋତେ ଆଶୀର୍ବାଦ ଦେଉଛୁ ତୁ ସଫଳ ହୁଅ।"

ଏହି ଘଟଣା ପରେ ରାଜନାଥ ବାବୁ ଅଶୋକକୁ ଖର୍ଚ୍ଚ ପାଇଁ କିଛି ଟଙ୍କା ଦେଲେ ନାହିଁ।ତେଣୁ ଅଶୋକ ନିଜେ କିଛି ବଦଖର୍ଚ୍ଚ କରିପାରିଲା ନାହିଁ କି ସାଙ୍ଗମାନଙ୍କୁ ମଧ୍ୟ ଦେଈପାରିଲା ନାହିଁ।ମଦ ମାଂସର ଅଭାବରେ ଅଶୋକର ଦୁଷ୍ଟ ସାଙ୍ଗମାନେ ପ୍ରତିଶୋଧ ପରାୟଣ ହୋଇ ତାକୁ ମରଣାତ୍ମକ ଆକ୍ରମଣ କରି ଗାଁ ଶେଷ ମୁଣ୍ଡରେ ଫିଙ୍ଗିଦେଇ ଚାଲିଗଲେ।ଖବର ପାଇ ଜମିଦାର ବାବୁ ଅଶୋକକୁ ନେଇ ସହରର ବଡ ହସ୍ପିଟାଲରେ ଭର୍ତ୍ତି କରାଇଲେ।ସେଠାରେ ରାଧା ଅଶୋକର ପାଖେ ପାଖେ ରହି ଖୁବ୍ ସେବା ଶୁଶ୍ରୁଷା କଲା।ଶାଶୂ ଶଶୁରଙ୍କ ମଧ୍ୟ ବୋଧ ଦେଇ ସମ୍ଭାଳି ଥାଏ।ଏଭଳି ବିପତ୍ତିରେ ରାଧାର କର୍ତ୍ତବ୍ୟ ନିଷ୍ଠା ଦେଖି ସୁମିତ୍ରା ଦେବୀ ମନେ ମନେ ଈଶ୍ୱରଙ୍କୁ ଧନ୍ୟବାଦ ଦେଉଥିଲେ।ଚିନ୍ତା କରୁଥାନ୍ତି ସେଦିନ ଯଦି ଜମିଦାର ଙ୍କ କଥାରେ ରାଜି ହୋଇନଥାନ୍ତେ ସତରେ ରାଧା ଭଳି ବୋହୁକୁ ହରାଇ ଦେଇଥାନ୍ତେ।କ୍ରମେ ଅଶୋକର ଅବସ୍ଥାରେ ଉନ୍ନତି ଆସିଲା।ଅଶୋକ ରାଧାର ସେବାରେ ମୁଗ୍ଧ ହୋଇସାରିଥାଏ।ଆଜି ରାଧା ଯୋଗୁ ତାର ପୁନର୍ଜନ୍ମ ହୋଇଛି।ତା ଜୀବନର ପ୍ରତି କୋଣରେ ରାଧାର ସ୍ପର୍ଶ ଅନୁଭବ କରୁଥିଲା।

ହସ୍ପିଟାଲର ବାତାବରଣ ରୁ ବାହାରି ଅଶୋକ ରାଧା ଓ ନିଜ ବାପା ମା ଙ୍କ ସହ ଘରକୁ ଫେରିଲା।ଘରକୁ ଯିବା ପୂର୍ବରୁ ଅଶୋକ ତା ବାପା ମାଙ୍କୁ କହିଲା,"ମାଆ ସେତେବେଳେ ମୁଁ ରାଧାକୁ ମୋ ବଧୁ ରୂପେ ସ୍ୱୀକାର କରିନଥିଲି।କିନ୍ତୁ ଆଜି ମୁଁ ସ୍ୱୀକାର କରୁଛି ସେ ମୋ ସ୍ତ୍ରୀ। ମୋ ସହ ତୁମ ବୋହୁର ପୁଣି ଥରେ ଗୃହ ପ୍ରବେଶ କରାଅ।ଆଜି ହେବ ତୁମ ବୋହୂର ପ୍ରକୃତ ଗୃହ ପ୍ରବେଶ। ରାଧା ନୂଆବୋହୁ ବେଶରେ ପୁଣି ଥରେ ଅଶୋକ ସହ ତାର ପତ୍ନୀ ର ଅଧିକାରରେ ଗୃହ ପ୍ରବେଶ କରି ନିଜର ସୁଖଦ ମୁହୁର୍ତ୍ତ ଗୁଡିକୁ ସାଉଁଟି ରଖୁଥିଲା।

                        


Rate this content
Log in

Similar oriya story from Drama