ଶୈବପୀଠ ଶିମିଳା ଶିବରାତ୍ରୀ ଶଗଡ
ଶୈବପୀଠ ଶିମିଳା ଶିବରାତ୍ରୀ ଶଗଡ
ଶିବରାତ୍ରୀ ପାଳନ ଅବସରରେ ଭକ୍ତଟିଏ ଶିବ ସଂକଳ୍ପରେ ଅନୁପ୍ରାଣିତ । ପ୍ରତ୍ୟକ ଶିବ ପୀଠରେ ସାମୁହୀକ ଭାବରେ ଅପୂର୍ବ ଉଦ୍ଦିପନା ର ସହିତ ଏହି ପର୍ବ ପାଳନ କରିଥାନ୍ତି।ସମସ୍ତଙ୍କ ମୁଖରେ ବିଭୂଚେତନାର ମନ୍ତ୍ର ଉଚ୍ଚାରିତ।
ଆଜି ମହା ଶିବରାତ୍ରି । ଦେବ ଦେବମହାଦେବଙ୍କ ନିକଟରେ ଜାଗର ଜାଳିବେ ଶ୍ରଦ୍ଧାଳୁ । ସେଥିପାଇଁ ଦୀପର ଆଲୋକମାଳାରେ ସୁସଜ୍ଜିତ ଶିମିଳା ର ଶିମଲେଶ୍ଵର ମହାଦେବ ଙ୍କ ପୀଠ । ମୟୂରଭଞ୍ଜ ର ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଏହି ପୀଠ । ଶ୍ରଦ୍ଧାଳୁ ବସିଥାନ୍ତି ଦୀପକୁ ଜଗି ।
ଘଣ୍ଟ -ଘଣ୍ଟା ନାଦେ ଚତୁର୍ଦ୍ଦିଗ ପ୍ରକମ୍ପିତ ହୁଏ ।ମହାଶିବରାତ୍ରୀ ବା ଜାଗରଯାତ୍ରା । ଉପଲବ୍ଧୀର ଦିବସ ଭାବରେ ପାଳନ କରାଯାଏ ବହୁ ନିଷ୍ଠା -ଭକ୍ତି ,ଓ ସମର୍ପଣ ର ସହ ।
ଜାଗର । ଜାଗ୍ରତ ରହିବାର ଦିନ । ମୟୂରଭଞ୍ଜର ସିମଳାର ବାବା ସିମଳେଶ୍ଵର ମହାଦେବ ଙ୍କ ପୀଠ । ପ୍ରାକୃତିକ ଦୃଶ୍ୟ ଓ ସଂସ୍କୃତି ବେଶ ମଧୁମୟ । ଷାଠିଏ -ସତୁରୀ ଦଶକର କଥା ।
ସେତେବେଳେ ଶିବରାତ୍ରି ରେ ଅଧିକାଂଶ ପରିବାର ଦୀପ ଜାଳିବା ପାଇଁ ଆସନ୍ତି ସିମଳା । ଶଗଡ ସବୁ ଆସେ ବାଙ୍ଗିରିପୋଷି, ତଥା ଆଖ ପାଖ ଅଞ୍ଚଳରୁ । ଆସିବା ପାଇଁ ଶଗଡଗାଡି ହିଁ ମୂଖ୍ୟ ବାହନ ଥିଲା ।
କିଛି କିଛି ସାଇକେଲ ଥାଏ । ବସ କହିଲେ ଚାଇଁବସା ,ରେଡ ବସ୍ ,ସାହୁ ବସ୍ ଇତ୍ୟାଦି । ବଡି ଭୋରରୁ ଶଗଡିଆ ପେଟେ ପଖାଳ ଖାଇଦେଇ ବାହାରିପଡୁଥିଲା ଶିମିଳା । ଯେଉଁ ମାନଙ୍କର ଅଖଣ୍ଡ ଦୀପ ଜାଳିବାର ଥିଲେ ସେମାନେ ସକାଳେ ସକାଳେ ପହଞ୍ଚୁ ଥିଲେ ସିମଳା । ଯେଉଁ ମାନେ ରାତିରେ ଜାଳିବେ ସେମାନେ ଦ୍ଵିପ୍ରହରରେ ପହଞ୍ଚିଯାନ୍ତି । ବ୍ରିଟିଶ ସମୟର ଜଉମାରା ପୋଲ ର ତଳକୁ ଦେଇ ଶଗଡ ସବୁ ଆସେ ବାଙ୍ଗିରିପୋଷି ରୁ । ଏବେ ଜଉମାରା ପୋଲଟି ନୂଆ ରୂପ ପାଇଛି । ଶଗଡ ଗାଡି ଯିବା ରାସ୍ତାରେ ସୀତାହାର ଫୁଲ ର ସମ୍ଭାର । ଶଗଡ ଆସୁଥିବା ବେଳେ ଯଦି ବସ ଯାଉଥାଏ ତେବେ କଥା ସରିଲା ବସର ହର୍ଣ୍ଣ ରେ ଯୋଚା ହୋଇଥିବା ବଳଦ ଗୁଡିକ ଭୟରେ ରାସ୍ତାରୁ ତଳକୁ ଓହ୍ଲାଇ ଏଣେ ତେଣେ ଧାଇଁବାକୁ ଆରମ୍ଭ କରନ୍ତି । କିନ୍ତୁ ବିଚକ୍ଷଣ କୁଶଳି ଶଗଡିଆ ମାନେ ସେମାନଙ୍କୁ ବେଶ ନିୟନ୍ତ୍ରଣ କରିଦିଅନ୍ତି ।
ଶଗଡ ଗାଡି ରେ ଛାମଡା ଥାଏ । ଗୋଟିଏ ଖୋଲା ଶଗଡକୁ ତୋରଣ ଦେଇ ସଜାଇଦିଆଯାଇଥାଏ । ଅଧିକାଂଶ ଲୋକଙ୍କର ଶଗଡ ଖଣ୍ଡେ ଲେଖାଏଁ ଥାଏ ।
ସେମାନେ ବଡିଭୋରରୁ ନିଜ ନିଜର ଶଗଡ ଗାଡିରେ ବସି ବାହାରି ପଡନ୍ତି ।ଶିମଳା ର ଶିମଳେଶ୍ବର ମହାଦେବଙ୍କ ପାଖକୁ । ତଳେ କୁଟା ପଡିଥାଏ ବସିବାପାଇଁ ।
ବସ୍ତା ରେ ମୁଢି ,ଏକ ବାଲଟି । ବାସ୍ ଏତିକି ସାମଗ୍ରୀ ବଳଦ ମାନଙ୍କ ବେକରେ ବନ୍ଧା ହୋଇଥିବା ଘଣ୍ଟି ର ଶବ୍ଦ ଭୋର ରାତ୍ରୀ ର ନୀରବତା କୁ ଭାଙ୍ଗି ସକାଳର ଆଭାସ ଦେଉଥିଲା ।
ଦୂର ରୁ କଳାହୋଳମୟ ପରିବେଶରେ ମନ୍ଦିର ର ଘଣ୍ଟା ଧ୍ବନୀ ବାଜି ଉଠିଲେ ଦିବ୍ୟ ଚେତନା ଜାଗିଉଠେ ।
ମୁଣ୍ଡ ନଇଁ ଯାଏ ଆପେ ଆପେ ଶିମଳେସ୍ଵର ମହାଦେବ ଙ୍କୁ ସୁମରଣା କରି । ଶଗଡିଆ ମାନେ ଏକୁଜୁଟ ହୋଇଯାନ୍ତି ।
ଯୋଚାଯାଇଥିବା ବଳଦ ମାନଙ୍କୁ ଅଦୂରରେ ବହିଯାଉଥିବା ବୁଢାବଳଙ୍ଗ ନଇପଠା ରେ ବିଚରଣ ପାଇଁ ଛାଡିଦିଅନ୍ତି ।
ଚାଳି ର ବ୍ୟବସ୍ଥା ପୂର୍ବରୁ ସେହି ଶଗଡ ଗୁଡିକ ମନ୍ଦିର ର ପାଖ ପ୍ରାନ୍ତର ଗୁଡିକରେ ଶଗଡ ଗାଡି ସବୁ ଅଟକିରହେ ।ବଳଦଗୁଡିକୁ ଖୋଲି ଦେଲାପରେ ଯୋଚାହୋଇଥିବା ଅଂଶକୁ ତଳକୁ କରିଦିଆଯିବାପରେ ବସିବା ପରି ଏକ ଛୋଟ ଘର ଆକୃତି ହୋଇଯାଏ । ଜାଗର ଜାଳୁଥିବା ଶ୍ରଦ୍ଧାଳୁ ଭକ୍ତମାନେ ତଲ୍ଲୀନ ହୋଇଯାନ୍ତି ।ବିଭୋରପଣରେ ହଜିଯାନ୍ତି ,ମଜ୍ଜିଯାନ୍ତି ବିଭୁ ଆରାଧନାରେ । ଧାନବିଲରେ ଶିଶିର ସିକ୍ତ ସଦ୍ୟ କଟା ଧାନମୂଳଗୁଡିକ ଗୋଡରେ ଆଡେଇ ଆଡେଇ ଆସୁଥିଲେ ଆଗନ୍ତୁକ ଭକ୍ତ ମାନେ ଦିନେ ଦୁଇ ଦିନ ପୂର୍ବରୁ ଶିମିଳା ମେଳାରେ ନିଜ ନିଜର ବ୍ୟବସାୟ ଧରି ଆସିଥାନ୍ତି ଜାତି ଜାତିକା ବ୍ୟବସାୟୀ । ଯେମିତି ଟୁରିଂ ସିନେମା ,ମାଳୀ ଅପେରା ପାର୍ଟି ।କଳାକୁଞ୍ଜ । ଶିବରାତ୍ରୀ ଦିନ ଦ୍ଵିପ୍ରହରକୁ ପହଞ୍ଚିଯାନ୍ତି ଶୂନ୍ୟବାବା,ଅଷ୍ଟଧାତୁ ମୁଦିବାଲା ,। ପାଲା ଓ ଦାସକାଠିଆ ମଧ୍ୟ ଆୟୋଜନ ହୋଇଥାଏ ।
ଧାଡି ଧାଡି ମନୋହରୀ ଦୋକାନର ବିପଣୀ ଲାଗିଥାଏ।ଶ୍ରଦ୍ଧାଳୁ ମାନଙ୍କ ଦୀପଜାଳିବା ନିମନ୍ତେ ପ୍ରସ୍ତୁତ ଛୋଟ ଛୋଟ ଚାଳି ।
କିଛି ମୂଲ୍ୟ ବିନିମୟରେ ଅକ୍ଳେଶରେ ମିଳିଯାଏ ଏହି ଚାଳି । ରାତି ଘଡିକରେ ଆରମ୍ଭ ହୁଏ ଚାଳି କୁ ଚାଳି ବୁଲିବା । ଗୋଟିପୁଅ ଦଳ ବୁଲନ୍ତି ରାତିରେ ।
ସେତେବେଳେ ଉଆଁଣିଆ ଗାଁ ର ଗୋଟିଏ ଦଳ ଆସୁଥିଲେ ।ଜଣେ ପୁଅ ପିଲା ଶାଢୀ ପିନ୍ଧି ଝିଅ ହୋଇଥାଏ ।
ଶିବରାତ୍ରୀ ର ମାହଲକୁ ବେଶ ଜମେଇ ଦେଇଥାନ୍ତି ।
ଚାଳିକୁ ଚାଳି ବୁଲି ନାଚ ଗୀତ କରୁଥିବା ଏକ ଦଳ ।
୩ରୁ ୪ଜଣ ଥାନ୍ତି ।କିଏ କେମିତି ଶିବ ଭାବରେ ନିଜର ବେଶଭୂଷା କରିଥାଏ ରାତି ରେ ଦୀପର ଆଲୋକରେ ଉଦଦ୍ଭାସିତ ଆଲୋକମାଳା ବେଶ୍ ମଧୁମୟ ।
ସତେଯେମିତି ସଂସ୍କୃତିର ଏକ ବିଶାଳ ସମାରୋହ,କଳ୍ପନା କରିହୁଏନା । ଦୀପର ଆଲୋକ ମାଳା ରେ ସୁସଜ୍ଜିତ ସିମଳା ।
ଦୂରରୁ ଦିଶେ ମନ୍ଦିରରଚୂଡା । ସିମଳା ରେ ବାବାଙ୍କ ପୀଠ ,ଅନ୍ୟ ଦିନମାନଙ୍କରେ ଲାଗେ ନୀରବ ,ନିଶ୍ଚଳ ,ନିର୍ଜନ ।
ଆଜି ଏହି ଶୁଭ ତିଥିରେ ଶୈବ ପୀଠ ଗୁଡିକର ଦୃଶ୍ୟ ଦେବଲୋକଠୁ କମ ନଥାଏ । ସେଥିରୁ ଆମ ସିମିଳା କେମିତି ବା ବାଦଯିବ । ଓମ ନମ ଶିବାୟ ।