ଅବୁଝା
ଅବୁଝା
କେକୀ ମନ ମେଘ ବୁଝୁ କି ନବୁଝୁ
ସେକଥା ବୁଝେନା କେକୀ।
କଳା ମେଘ ଦେଖି ଆନନ୍ଦମନେ ସେ
ନାଚୁଥାଏ ପୁଚ୍ଛ ଟେକି।
ନଦୀ ମନ ସିନ୍ଧୁ ବୁଝୁ କି ନବୁଝୁ
ସେକଥା ବୁଝେନା ନଦୀ।
ସାଗର ବୁକୁରେ ହଜିଯିବା ପାଇଁ
ଧାଏଁ ସିଏ ନିରବଧି।
ଅଳି ମନ ଫୁଲ ବୁଝୁ କି ନବୁଝୁ
ସେକଥା ଅଳି ବୁଝେନା।
ଫୁଲର ରକ୍ତିମ ଅଧର ଦେଖି ସେ
ହୋଇଯାଏ ଆନମନା।
ମାଆ ମନ ପୁଅ ବୁଝୁ କି ନବୁଝୁ
ମାଆ ବୁଝେନା ସେକଥା।
ପୁଅ ମନେ ଟିକେ ଦୁଃଖ ଦେଖିଦେଲେ
ତା ଅନ୍ତରେ ହୁଏ ବ୍ୟଥା।
ପଦ୍ମ ମନ ରବି ବୁଝୁ କି ନବୁଝୁ
ସେକଥା ପଦ୍ମ ବୁଝେନା।
ରବି ହସିଲେ ସେ ହସେ ଖିଲି ଖିଲି
ତା ବିନା ପାଏ ବେଦନା।
କଇଁ ମନ ଚାନ୍ଦ ବୁଝୁ କି ନବୁଝୁ
ସେକଥା ବୁଝେନା କଇଁ।
ଚାନ୍ଦ ବିନା ତାକୁ ଅଧୁରା ଲାଗଇ
ଥାଏ ତା ବାଟକୁ ଚାହିଁ।
ନିଜଲୋକ ଦୁଃଖ ବୁଝୁ କି ନବୁଝୁ
ସେକଥା ବୁଝେନା ମନ।
ନିଜଲୋକ ଠାରୁ ସ୍ନେହ ଟିକେ ପାଇଁ
ଝୁରେ ମନ ପ୍ରତିଦିନ।