ମୋ ଗାଆଁ
ମୋ ଗାଆଁ
ଇତିହାସ ଆଉ ଭୂଗୋଳ ପୃଷ୍ଠାରେ
ଥାଉ କି ନଥାଉ ନାଆଁ।
ସରଳ ଓ ଗ୍ରାମ୍ୟ ଜୀବନକୁ ନେଇ
ଏବେବି ଅଛି ମୋ ଗାଆଁ।
ଏବେବି ଗାଆଁରେ ରାତି ପାହିଗଲେ
କାଉ ରାବେ କାଆ କାଆ।
ଗାଆଁ ଶେଷ ମୁଣ୍ଡ ପୋଖରୀ ହୁଡ଼ାରୁ
ବହେ ସୁଲୁସୁଲୁ ବାଆ।
ଏବେବି ସକାଳୁ ଘନିଆ ମଉସା
ଖାଇ କଂସାଏ ପଖାଳ।
କାନ୍ଧରେ ଲଙ୍ଗଳ ଧରି କ୍ଷେତେ ଯାନ୍ତି
ଦେହରେ କାଠିଏ ବଳ।
ଏବେବି ପୋଖରୀ ତୁଠେ ହାରା ନାନୀ
କଂସା ମାଜେ ପାଉଁଶରେ।
ସାହାଡ଼ା କାଠିରେ ଦାନ୍ତ ଘସି ସାରି
ସ୍ନାନ କରେ ଆନନ୍ଦରେ।
ଏବେବି ମଦନା ଭଉଁରୀ ଜାଲରେ
ପୋଖରୀରୁ ମାଛ ଧରେ।
ଆମ୍ବୁଲ ପକାଇ ଘରଣୀ ତାହାର
ମାଛ ତରକାରି କରେ।
ଏବେବି ସକାଳୁ ଶିବ ମନ୍ଦିରକୁ
ଗାଆଁ କୁଳବୋହୂ ଯାଏ।
ଶିବଲିଙ୍ଗେ କ୍ଷୀର ଢ଼ାଳି ପରିବାର
ଶୁଭ ସେ ମନାସି ଥାଏ।
ଏବେବି ସଞ୍ଜରେ ଗାଈପଲ ଧରି
ଗାଈଆଳ ଫେରେ ଘରେ।
ଓଢ଼ଣା ଟାଣିଣ ବୋହୂ ସଞ୍ଜବତୀ
ଜାଳେ ଚଉରା ମୂଳରେ।
ଏବେବି ସନ୍ଧ୍ୟାରେ କୁଷୁନିଆ ଅଜା
ବସି ଭାଗବତ ଘରେ।
ପାକୁଆ ପାଟିରେ ଭାଗବତ ପଢ଼ି
ହଜିଯାନ୍ତି ଭକତିରେ।
ଏବେବି ଗାଆଁରେ ରଜ ପରବରେ
ପୋଡ଼ା ହୁଏ ପୋଡ଼ପିଠା।
ଆମ୍ବଡ଼ାଳେ ଝୁଲେ ବାଉଁଶର ଦୋଳି
ରଜପାନ ହୁଏ ବଣ୍ଟା।
ଏବେବି ବିପଦେ ପଡ଼ିଗଲେ କେହି
ସଭିଏଁ ଆସନ୍ତି ଧାଇଁ।
ସାହସ ଦିଅନ୍ତି ଆଗକୁ ଯିବାକୁ
ହାତରେ ହାତ ମିଳାଇ।
ଗାଆଁଠୁ ସହର ସବୁ ଲୋକଙ୍କର
ଜୀବନ ଆଧାର ଗାଆଁ।
ଗାଆଁ କୃଷକର ଖାଦ୍ୟଶସ୍ୟ ପରେ
ଲେଖା ସମସ୍ତଙ୍କ ନାଆଁ।
ଗାଆଁ ବଦଳେନି ଲୋକେ ବଦଳନ୍ତି
ସହରକୁ ଯାଇ ସିନା।
ଗ୍ରାମ୍ୟ ସରଳତା ଏବେବି ବଞ୍ଚିଛି
ଯାହା ସହରେ ମିଳେନା।।