ହେବ ଅବଶ୍ୟ
ହେବ ଅବଶ୍ୟ
ମୁଠାଏ ସୁଖକୁ ଦୁଃଖ ଝଙ୍କାଏ
ଆଲୋକ ଅନ୍ଧାର ପରା
ଜୀବନ ଥବାଯାଏ
ଆସୁଥାଏ ଯାଉଥାଏ
ପୌନପୌନିକ ପରିପୂରକ ଧାଉଁଥାଏ ।
ଏ ମରତରେ
ସିଝୁନି କୁହ କିଏ
ଜହ୍ନ - କଇଁ ପାଇଁ ନିସ୍ତାର ନାହିଁ
ଜଳିବା ବିଧି ନିର୍ଦ୍ଦିଷ୍ଟ ହାଏ
ମଣିଷ ତ ଛାର ମାଟି ପିଣ୍ଡୁଳା ଟିଏ
ପଞ୍ଚଭୂତରେ ଗଢ଼ା ପିତୁଳା ପରାଏ ।
ଧରା ଅଛି ମାନେ
ଛାଇ ଖରା ଲୁଚକାଳି ଖେଳ ଚାଲିବ
ଦିନ ରାତି ସବୁ ଆସିବ ଯିବ
ଶ୍ରାବଣ ଯିବ ଫଗୁଣ ଆସିବ
ମାସ ବର୍ଷ ସମ୍ବତ୍ସର ଲେଉଟିବ
ସବୁ ଗତାନୁଗତିକ ଧାରାରେ ହେବ ।
ସମୟ ଚକ୍ର ତଳେ ସବୁ ଘୁର୍ଣ୍ଣନ
ଆରୋହଣ ଅବରୋହଣ ପରି
ଅନ୍ଧାର ପକ୍ଷ ଯିବ ସରି
ଆଲୋକ ପକ୍ଷ ପୂର୍ଣ୍ଣିମା ହେବ ଆଗମନ
ଏହା ହିଁ ସତ୍ୟ ସନାତନ
ଏହା ହିଁ ସୃଷ୍ଟିର ଧର୍ମ ଚିରନ୍ତନ ।
କ୍ଷଣିକ ମୌଖିକ ହେଉ ପଛେ
ଆଲୋକର କ୍ଷଣ
ସୁଖର କଣ କଣ
ହସ ଖୁସିର ପତଳା ଆସ୍ତରଣ
ଆସିବ ଅବଶ୍ୟ ଆସିବ
ସେହି କ୍ଷୀଣ ଆଶାର ଉରସା ତଳେ
ଜୀବଜଗତ ବିଚରା ତିଷ୍ଠିଛି ଜିଇଁଛି ବଳେ ।
ତେଣୁ ଦୁଃଖ କଠାଏ ହେଉ
ଶୋକ ଗହୁଣି ଗହୁଣି ଥୋଉ
ବିପତ୍ତି ହେଉ ହାଉଯାଉ
ସମସ୍ୟା ଉପରେ ସମସ୍ୟା ଆସୁ ଯାଉ
ବୋଝ ଉପରେ ନଳିତା ବିଡା ପ୍ରାୟ ହେଉ ।
ଡରିବାର ନାହିଁ ଆଜ୍ଞା
ଧୈର୍ଯ୍ୟ ଧରିବା ପ୍ରଜ୍ଞା
କାରଣ ସୁଖର ବେଳ
ହାତ ଠାରିବ ହିଁ ଡାକିବ
କଷ୍ଟ ମୋଚନ ଅଶ୍ରୁ ଶ୍ରାବଣ
ଦୁଃଖ ନାଶନ ହେବ ହିଁ ହେବ
ଅବଶ୍ୟ ହେବ
ଏହା ହିଁ ବିଧିର ବିଧାନ
ଏହା ହିଁ ଧୌର୍ଯ୍ୟର ନିଦାନ ।