Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Ojha

Others

3  

Santosh Kumar Ojha

Others

ଲୁଚିଛି ନା ଗୋଡ଼ ଦି'ଟା ଦିଶୁଛି

ଲୁଚିଛି ନା ଗୋଡ଼ ଦି'ଟା ଦିଶୁଛି

1 min
139



କୁଆଁରୀ ବୟସେ କାଉଁରି କନ୍ଯା ମୁଁ

      ନୁଆଣିଆଁ ଚାଳ ଘରେ ,

କାମାକ୍ଷା ନଗରେ ଭୁଆସୁଣୀ ହେଇ

      ଭୁଆଙ୍କୁ ଆପଣା କରେ ।

କୁଣିଆଁ ଆସିଲେ କଣେଇ ଚାହେଁ ମୁଁ

     ଅଣେଇ ଓଢ଼ଣା ଫାଙ୍କେ ,

ରସିକ ଦେଖିଲେ ରସବତୀ ସାଜି

     କଥାରେ ଫେଣେଇ ଡାକେ ।

ଶାଶୁ ଶ୍ବଶୁରଙ୍କ  ପାଦୁକା ପାଉଛି

     ସତିଆ ପାଖରେ ସତୀ ,

ବାରମାସେ ତେର ବ୍ରତ , ଉପବାସେ

     ଚାଲି ଥାଏ ଚୋରାପ୍ରୀତି ।

ଗୃହଲକ୍ଷ୍ମୀ ସାଜି  ଲକ୍ଷ୍ମୀ ପୂଜା କଲେ

       ନଣନ୍ଦ ନଇଁକି ଚାହୁଁଛି ,

କୁଳବୁଡ଼େଇଏ  କଳେଇ କୁହନ୍ତି

      ଲୁଚିଛି ନା ଗୋଡ଼ ଦିଶୁଛି ।


ଚୋର ମାଅା କାନ୍ଦେ ଆଖି ମଳି ମଳି

      ଢଳି ଢଳି ଚାଲେ ଚୋରଣୀ ,

କିମ୍ଭୀର କାନ୍ଦଣା  କାନ୍ଦୁଛି ନିଶାଡ଼ି

      ଭାଟିରେ ହଜେଇ ଘରଣୀ ।

ବଢ଼ିଲା ଝିଅଟା ବଳେ ଉଡ଼ି ଗଲା

        ବଳେଇ କାନ୍ଦୁଛି ଜନନୀ ,

ଢୁଳାଉ ଢୁଳାଉ ଶୋଇ ଯିବ ବୋଲି

       ବାପ କହେ ଜମା ଜାଣିନି ।

ବୁଲି ବୁଲି ବନ୍ଧ୍ୟା ସନ୍ଧ୍ୟା ଆଗମନେ

       ସନ୍ଦେହ କରେ ପୌରୁଷ ,

ବନ୍ଧ ଭାଙ୍ଗି ଗଲେ ବିଧବା ବ୍ରାହ୍ମଣୀ

        ବିଧିରେ ପାଳୁଛି ହବିଷ ।

ବାଧା ଦିଏ ରାଧା କୃଷ୍ଣ ନାମ ଶୁଣି

        ଚନ୍ଦ୍ରସେଣା ଜଗି ବସିଛି ,

ଲଳିତା, ବିଶାଖା ଖତେଇ ହୁଅନ୍ତି

        ଲୁଚିଛି ନା ଗୋଡ଼ ଦିଶୁଛି ।


ମୁନିବ ମାନେନି ମାନ ଅଭିମାନ 

        ବୁଣି ଚାଲେ ଶାଗ ମନ୍ଦା ,

କିରାଣି ଚାହୁଁଛି କଣେଇ କଣେଇ

       ଚପରସୀ ମାଗେ ଚାନ୍ଦା ।

ବଡ଼ବାବୁ ବଡ଼  ଅଡ଼ୁଆ ରେ ପଡ଼ି

       ଖୋଜଇ ନେତାଙ୍କ ଆଶ୍ରୟ ,

ବଟିରେ ବଟିରେ ବଟୁଆ ପୁରେଇ

         ନେତାଏ ଦିଅନ୍ତି ଅଭୟ ।

ମନ୍ତ୍ରୀଙ୍କ ଘରଣୀ ଯନ୍ତ୍ରୀ ସାଥେ ମିଶି

         ଯନ୍ତ୍ର ରେ ତନ୍ତ୍ରକୁ ହାଣୁଛି ,

ମୁରୁଖ ଜନତା ମଳୁଖ ଚୋବେଇ

         ଧାନ ବିକି ମାନ କିଣୁଛି ।

ସରକାର କହେ ସ୍ବଚ୍ଛ ପ୍ରଶାସନ

         ନିର୍ମଳ ଶାସନ ଚାଲିଛି ,

ଧରା ପଡ଼ି ଗଲେ ବିରୋଧି କୁହନ୍ତି

         ଲୁଚିଛି ନା ଗୋଡ଼ ଦିଶୁଛି ।


         



Rate this content
Log in