ମଣିଷ ଜୀବନ ନୁହେଁ ସହଜ
ମଣିଷ ଜୀବନ ନୁହେଁ ସହଜ
ଲୁହ ଝରି ଗଲେ ଦୁନିଆଁ ହସେ
ଲହୁ ଝରି ଗଲେ ଆଇଁଷା ବାସେ
ଛାତି ତଳେ କୋହ ଦିଏ ଦରଜ
ପୁରୁଷ ଜୀବନ ନୁହେଁ ସହଜ
ଆଜୀବନ ବୋହେ ଚିନ୍ତାର ବୋଝ ।
ଘର ଘର କହି ଘରଣୀ ଆଣେ
ଗେଲ ବିକି ତେଲ ପସରା କିଣେ
ଝାଳ ବୋହି ଯାଏ ସକାଳୁ ସଂଜ
ପୁରୁଷ ଜୀବନ ନୁହେଁ ସହଜ
ଆଜୀବନ ବୋହେ ଚିନ୍ତାର ବୋଝ ।
ବାପ ହେଇ ତାପ ତପରେ ମାଗେ
ଦରଦୀ ଦେଖାଇ ଦାରିଦ୍ର ଭୋଗେ
ସାତ ସିଆଁ ପିନ୍ଧି ଲୁଚାଏ ଲାଜ
ପୁରୁଷ ଜୀବନ ନୁହେଁ ସହଜ
ଆଜୀବନ ବୋହେ ଚିନ୍ତାର ବୋଝ ।
ପାଣି କରି ରକ୍ତ ପଇସା ଛାଣେ
ଦୁଃଖ ଛାଇ ତଳେ ସୁଖଦ ମଣେ
ଯୁଆନୀ ଝିଅ ତ ଜାଳେ ମଗଜ
ପୁରୁଷ ଜୀବନ ନୁହେଁ ସହଜ
ଆଜୀବନ ବୋହେ ଚିନ୍ତାର ବୋଝ ।
ପୁଅ ବାହା କରି ବୋହୂଟେ ଆଣେ
କରଜ କରିକି ଦରଜ କିଣେ
ଅଜାଗା ଘା' କୁ ଦେଖେ ନିର୍ଲଜ୍ଜ
ପୁରୁଷ ଜୀବନ ନୁହେଁ ସହଜ
ଆଜୀବନ ବୋହେ ଚିନ୍ତାର ବୋଝ ।
ପିତୃ-ମାତୃ ସେବା ପରମ ତପ
ଅଣ୍ଟି ଖୋଲି ଯାଏ ଧନ ଅଳପ
ପିତୃ କର୍ତ୍ତବ୍ଯ ରେ ଅଣ୍ଟେନି ପେଜ
ପୁରୁଷ ଜୀବନ ନୁହେଁ ସହଜ
ଆଜୀବନ ବୋହେ ଚିନ୍ତାର ବୋଝ ।
ଖାଲି ହାତ ଭାର୍ଯ୍ୟା ଗଭାରେ ମାରେ
ବାପ ଥାଇ ପୁଅ ସଭାରେ ହାରେ
ହସି ଦିଏ ହାରି ସାଜି ନିର୍ଲଜ୍ଜ
ପୁରୁଷ ଜୀବନ ନୁହେଁ ସହଜ
ଆଜୀବନ ବୋହେ ଚିନ୍ତାର ବୋଝ ।
ନିତି ମରି ବଞ୍ଚେ ନୁଖୁଲା ହସି
ନାତି ସାଥେ ଖେଳି ଭୁଞ୍ଜଇ ବାସି
ଜାଳିବାକୁ ବତୀ ଖୁଆଏ ସଜ
ପୁରୁଷ ଜୀବନ ନୁହେଁ ସହଜ
ଆଜୀବନ ବୋହେ ଚିନ୍ତାର ବୋଝ ।
ଭାସି ଯାଇ ମିଛେ ଭସାଣି କରେ
ମଶାଣି ରେ ଯାଇ ମଶିଣା ପାରେ
ପାହାନ୍ତି ସପନେ ସଜାଡ଼େ ଶେଯ
ପୁରୁଷ ଜୀବନ ନୁହେଁ ସହଜ
ଆଜୀବନ ବୋହେ ଚିନ୍ତାର ବୋଝ ।