ନବ ବରଷର ନବ ଅନୁଚିନ୍ତା
ନବ ବରଷର ନବ ଅନୁଚିନ୍ତା
ଆଜ ପ୍ରତ୍ୟୁଷର ଆଦ୍ୟ ରବି କର
ଛୁଏଁ ଏମାଟିକି ଯହିଁ,
ପୁରାତନ ବର୍ଷ ହୋଇଯାଇ ଶେଷ
ନବ ବର୍ଷ ଆସେ ଉଇଁ।
ଏ ନବ ବରଷ ଆଣଇ ହରଷ
କାହା ପାଇଁ ଏଠି ସିନା,
କିଏ ଝାଟିମାଟି ଘରେ ରହି ଏଠି
ଜିଇଁଥାଏ ଖାଦ୍ୟ ବିନା।
କିଏ ଧରା ବକ୍ଷେ ଶୀତ ତାପ କକ୍ଷେ
ଆନନ୍ଦେ ବିତାଏ ଦିନ,
ନିତି ଦିନ ଭଳି କିଏ ଯାଏ ଚଳି
ଶ୍ରମେ ଦେଇ ତାର ମନ।
ବରଷକେ ଦିନେ ଆସଇ ଭୁବନେ
ସିନା ନବ ଅନୁଛେଦ,
ଦେଶ ଦେଶ ମଧ୍ୟେ ଅହଂକାର ଯୁଦ୍ଧେ
ପଡେ ନାହିଁ ପୂର୍ଣ୍ଣଛେଦ।
ବଢି ବଢି ଚାଲେ ଧନୀ ପାଶେ ଧନ
ତିଳେ ସେ ନକରି ଦାନ,
ଦୀନ ଦୁଃଖୀ ସ୍ଥିତେ ନଥାଏ ବିରତି
ଦୁଃଖେ ବିତଇ ତା'ଦିନ।
ଚିରସ୍ରୋତା ହୋଇ ଯାଏ ବହି ବହି
ସମୟ ରୂପକ ନଈ।
କେତେ ସ୍ୱପ୍ନ ନେଇ ତଳକୁ ସେ ବହି
ଆଗକୁ ଚାଲି ବଢଇ।
ଜୀବନେ ତାହାର ନଥାଏ ପ୍ରତୀକ୍ଷା
ନଥାଏ ବିରତି କ୍ଷଣେ,
ତାର ସାଥେ କେହି ଗଲେ ତାଳ ଦେଇ
ସୁଫଳ ଲଭେ ଜୀବନେ।
ଜଳଚର ଜୀବ ମାପି କି ପାରିବ
ସାଗରର ଗଭୀରତା,
ସେହି ଭଳି ଏଠି ମଣିଷ ପାଇଁଟି
କାଳ ମାପ କଠିନତା।
କାଳ କହେ ଶୁଣ ଆହେ ନରଗଣ
ମୁଁ ଥିଲି ଜଗତେ ଆଗ,
ଏବେ ତୁମେ ଅଛ ଭବିଷେ ନଥିବ
କାହିଁ କର ମତେ ଭାଗ?
ନବ ବର୍ଷ ଭାଳି ହେଉଅଛ ମେଳି
ଯା'ପାଇଁ ଏଧରା ବକ୍ଷେ,
ଏକ ବିନ୍ଦୁ ସମ ଅଟେ ସେଇ ବେଳ
ମୋ ପାଇଁ ଆପଣା କକ୍ଷେ।
ମୋ ପାଇଁ ଏକାଳ କ୍ଷୁଦ୍ର ସିନା ଅଟେ
ତମ ପାଇଁ ବଡ଼ କେତେ,
ମାଟି ମାଆ କୋଳେ ତମେ ସେଇ କାଳେ
କିସ କରିଚ ଜଗତେ?
ନବ ବରଷକୁ ସ୍ୱାଗତ ପୂର୍ବରୁ
ଭଲ ଭାବେ ତିଳେ ଭାଳ,
ଚାଷୀ ଭାଇ ପରି ହିସାବ ଯେ କରି
ଦେଖ ତୁମର ଅମଳ।
ସେ ଅମଳୁ ଚଷା ଭଲ ସଶ୍ୟ ନେଇ
ଯେମନ୍ତ କରେ ବିହନ,
ଅତୀତୁ ସେମନ୍ତ ଭଲ କାମ ବାଛି
ହିସାବ ନିଅ ହେ ଜନ।
ସେ ଭଲ କରମେ ତୁମରି ଉଦ୍ୟମେ
ବିତି ଯାଉ ସବୁ ଦିନ,
ଆପେ ଆପେ ମନ୍ଦ ହରାଇ ତା ଗନ୍ଧ
ହୋଇବ ନିଶ୍ଚେ ବିଲୀନ।
କାଳ ବଳେ ଏଠି ବାହୁଡିବେ ସର୍ବେ
ନରହିବେ କେହି ଜଣେ,
ଆପଣା କରମ ରଖିବ ତୋ ନାମ
ମହୀକୋଳେ ସେହି କ୍ଷଣେ।
ଆଗାମୀ କାଲିକି ଜୀବନରେ ଯଦି
ଭାଳୁଚ ନିଆରା ଦିନ,
ତେବେ ସେଇ ଦିନ ଅନ୍ୟ ପାଇଁ ନିଶ୍ଚେ
ହେଉ ଯେ ତ୍ୟାଗର ଦିନ।
କେତେ ଦୁଃଖୀ ଦୀନ ବାସହୀନ ଜନ
ଅଛନ୍ତି ଏଧରା ବକ୍ଷେ,
ସେଇ ଜନ ମନେ ଫୁଟାଇଣ ହସ
ଭରି ଦିଅ ତାର ମୁଖେ।
ତେବେ ଜାଣ ମୁହିଁ ତୋଷ ହେବି ତହିଁ
ତୁମକୁ ଧରି ମୋ କୋଳେ,
କରିବି ଗରବ ତୋ ପାଇଁ ମୁହିଁ ଯେ
ଭୁଲିବିନି ତତେ ତିଳେ।