ସ୍ମୃତି ସିନ୍ଦୁକ
ସ୍ମୃତି ସିନ୍ଦୁକ
ବାପାଙ୍କ ପୁରାସାର୍ଟ ଥରେ ଜାଣି ଜାଣି
ପିନ୍ଧି ପକେଇ ଥିଲି
ସାନ ଭଉଣୀକୁ ଡରେଇ ଥିଲି
ଭୂତ ବେତାଳ ପରି ଗୋଡେଇ ଥିଲି
ବିଭିନ୍ନ ପକେଟରେ ହାତ ପୁରଉ ପୁରଉ
ଆଗ ପକେଟ ଦେଖିଲି
କଲମ ମରା ଯାଗା ପରଖିଲି
ଅଣ୍ଟା ପାଖ ଦୁଇ ବଡ଼ ବଡ଼ ପକେଟ ପାଇଲି
ହାତ ପୁରେଇ ପାଞ୍ଚ ଆଙ୍ଗୁଳିଆ ଖେଳିଲି
ଟିପା ଖାତା ଚଶମା ଖୋଳ ଯାଗା ଭାବିଲି
ଆଉ ଗୋଟେ ପକେଟ
ଆବିଷ୍କାରିଲି ସେଦିନ
ଜାଣି ପାରିଲିନି ଭାବି ପାରିଲିନି
ଆଗ ପକେଟ ପଛରେ ଲୁଚିଛି ସଂଗୁପ୍ତେ
ବେଶି ନିରାପଦ ମଣିଲି
ମା' କୁ ପଚାରିବାରୁ ଡରି ଡରି
କହିଥିଲା ଛାତି ପକେଟ ପରା
ଟଙ୍କା ପଇସା ଖଣି
ବାପାଙ୍କ ଗୁପ୍ତଧନ ମୁଣି
ଛାତି ସ୍ପନ୍ଦନ ସହିତ ହୁଏ କମାଣି
ଝାଳ ବୁହା ଧନରେ ଭରେ ଉଜାଣି
ବଡ଼ ହେଲିଣି ଆଜି
ମୋ ସାର୍ଟ ମାପଦିନ ଟେଲର ମିସ୍ତ୍ରୀକୁ
କହି କରିଛି ଛାତି ପକେଟ
ପଇସା ରଖିଲା ବେଳେ
ମା'ର ଗୁପ୍ତ ସୁସ୍ତ ମୁକ୍ତ କଥା
ବାପାଙ୍କ ସ୍ମୃତି ବିଜଡିତ ନଥା
ମନ ପବନରେ ଭାସି ଆସେ
ବେଗେ ଆବେଗେ ସେହି ଅତୀତକୁ
ଛଳ ଛଳ ଆଖିତଳ ଚମକେ ମନକୁ
ଛାତି ପକେଟ ଥିବା ଦିନରୁ
ଶିଖେଉଛି ମଞ୍ଜିଆ ନୀତି
ଖାଲି ଥିଲେ ଲାଗେନା ଭଲ
କେମିତି ଭରିବ
କେମିତି ପୁରିବ
ମନକୁ ଆସେ ନୂଆ ଚିନ୍ତାର ଝୁଲ
ଥରେ ପୁରିଗଲେ
ଇଚ୍ଛା ହୁଏନି କାହାକୁ ଦେବା
ପଇସା ସାରିଦେବାକୁ
ବେହିସାବି ଖର୍ଚ୍ଚ କରିବାକୁ
ବଳେନା ମାନେନା
ମନା କରୁଥାଏ
ବାହାର କରୁଥାଏ ନୂଆ
ଫନ୍ଦି ଫିକର ଥରକୁ ଥର
ଖର୍ଚ୍ଚ କାଟ ଯୋଯନା
ବୋଧେ ବାପାଙ୍କ ଅମଳର
ସଞ୍ଚାୟର ଗୁପ୍ତ ଯୋଯନା
ମିତବ୍ୟୟିତାର ଚିହ୍ନ ପୁରୁଣା
ଛାତି ପକେଟ ଖାଣ୍ଟି ଗିନି ସୁନା
ମାନୁଛି
ଆଜିର ସମୟରେ
ପର୍ସ ଭିମ୍ ଆପ୍ କାଳରେ
ପେଟିଏମ୍ ଫୋନ ପେ ସାଙ୍ଗରେ
ଅନ୍ ଲାଇନ୍ ନେଣ ଦେଶ ଯୁଗରେ
ଛାତି ପକେଟ ଅପ୍ରାସଙ୍ଗିକ
ମାତ୍ର ମୋ ପାଇଁ
ଛାତି ପକେଟ
ସ୍ମୃତି ସିନ୍ଦୁକ
ବାପାଙ୍କ ପଦାଙ୍କ
ଅନୁସରଣ ସରଣୀ ଆଙ୍କ ବାଙ୍କ ।