ମୌଳିକତା
ମୌଳିକତା
ଜଗତୀକରଣ ମହାସାଗରରେ ହରେଇ
ବସିଛୁ ଆମର ସ୍ବକୀୟ ମୌଳିକତା
ଅକାଳେ ସକାଳେ ତିଥି ବାର ଦେଖି
ପଡ଼ଇ ଉଛୁଳି ତୁଛାକୁ ଭାବ ପ୍ରବଣତା ।
ଆପଣା ସଂସ୍କୃତି ଐତିହ୍ୟ ପରମ୍ପରା
ଅବହେଳାରେ ହୋଇଛି ପାଶୋର
ଅନ୍ଧବିଶ୍ୱାସ ଲାଗଇ ଆମକୁ ସ୍ବ-ଧର୍ମଧାରା
ବିଧି ପାଳନ ଆମରି ଧର୍ମକୁ ଆଖିଠାର ।
ଔପନିବେଶିକ ଦାସତ୍ୱର ମାନସିକତା
ହୋଇଛି ଆମର ଆଜି ଅସ୍ଥିମଜ୍ଜାଗତ
ସ୍ବାଭିମାନକୁ ବିକିଭାଙ୍ଗି ଆନ ପାଶେ
ହାତ ପାତିବାକୁ ନୋହୁଁ ତ ଆଦୌ କୁଣ୍ଠିତ ।
ଗୌରବମୟ ଜାତି ଇତିହାସ ଆମର
ହୋଇଛି ମନରୁ କେବେଠୁଁ ବିସ୍ମୃତ
ଓଡ଼ିଆର ପରିଚୟ ନେଇ ଜୀଇଁବାକୁ
କେଜାଣି କାହିଁକି ଆମେ ତ ଶଙ୍କିତ ?
ନିଜର ମାତୃଭାଷାକୁ ଜାଣତ ଅବା
ଅଜାଣତରେ କରୁଛୁ କ୍ଷତାକ୍ତ ବିକୃତ
ବୋଲାଇବାକୁ ପର ଆଗେ ସଭ୍ୟ ଶିକ୍ଷିତ
ବଳି ଦେଇଛୁ ଆପଣା ବୁଦ୍ଧି ବିବେକ ।
ଆନର ଅନ୍ଧାନୁକରଣେ ହେଉଛୁ
ଜଗତେ ସଦା ନିନ୍ଦିତ ଉପହସିତ
ତଥାପି ମୌଳିକତାର ସୁରକ୍ଷା ପାଇଁ
ଆମେ ନୋହୁଁ ତିଳେ ବି ଚିନ୍ତତ ।
ଭାଗ୍ୟର ବିଡ଼ମ୍ବନା ଅବା ଜାତିର
ଘୋର ଦୁର୍ଗତିର ଘଡ଼ିସନ୍ଧି ମୁହୂର୍ତ୍ତ
ହନୁକରଣ ବ୍ଯାଧିରେ ହୋଇଣ ପୀଡିତ
କାଦୁଅ ଫିଙ୍ଗାରେ ସଭିଏଁ ମଦମତ୍ତ ।।