Pranati Jena

Others

4  

Pranati Jena

Others

ହେ ଆତ୍ମା ବାନ୍ଧବ..

ହେ ଆତ୍ମା ବାନ୍ଧବ..

4 mins
408



ହେ ଭକ୍ତ ଜୀବନଧନ, ଶ୍ରୀମଧୁସୂଦନ, ଗୋପୀ ହୃଦ ଚନ୍ଦନ, ଯଶୋଦା ରଙ୍କ ରତନ, ରାଧା ମୋହନ ଇଚ୍ଛାମୟ ତୁମେ.. ଆଜି ବହୁତ କିଛି ଲେଖିବାକୁ ଇଚ୍ଛା ହେଉଛି ତୁମ ପାଇଁ, ଏହା କଣ ତୁମ ଇଚ୍ଛା ହେ ଅକିଞ୍ଚନ ସୁଖ ଦାୟକ, ହୃଦୟର ବେଳାପରେ ସୁନୀଳ ତରଙ୍ଗ ରେ ପ୍ରତିଟି ଢେଉ ସାଥେ ତୁମେ ହିଁ ପ୍ରତୀୟମାନ ହେ ଭକ୍ତ ବାନ୍ଧବ, ଲହରୀ ସାଥିରେ ଢେଉର ମାଳା ରେ ବଂଶୀ ବାଦନ ସହିତ ତ୍ରିଭଙ୍ଗୀ ଠାଣିରେ ରାଧେଙ୍କର ଅପୂର୍ବ ଯୁଗଳ ସମାହାର,, ସ୍ମିତବଦନରେ ଅପୂର୍ବ ଆନନ୍ଦ ର ଅଙ୍ଗୀଭଙ୍ଗୀ ରେ କି ସମ୍ମୋହନ କି ଆକର୍ଷଣ ନୀଳ ମହୋଦଧିରେ ନୀଳଜିମୂତ କାନ୍ତି ଆହା.... ସବୁ ଜ୍ଞାନ,ବିଜ୍ଞାନ ଯେଉଁଠି ଶୂନ୍ୟ ସେଠି କେବଳ ତୁମେ ହିଁ ତୁମେ ପରଂବ୍ରହ୍ମ ଭାବରେ ଭାବ ରାଜ୍ୟରେ ଶବ୍ଦବ୍ରହ୍ମରେ ଆଦ୍ୟ ପ୍ରଣବର ନିନାଦରେ ମହ, ମହ ଆକୁଳତାର ବ୍ୟାକୁଳତା ଭରି ଆନନ୍ଦାଶ୍ରୁରେ ଭିଜାଇ ଅନାବିଳ ଶାଶ୍ୱତ ପ୍ରେମ,ପୁଲକ ପ୍ରାଣରେ ହଜାଇ ଦିଅ ଏ ମହାର୍ଘ୍ୟ ମମତାର ମଧୁକ୍ଷରା ମୁହୂର୍ତ୍ତକୁ ପ୍ରତି ପଲକପାତରେ ହେ ଅଶରଣର -ଶରଣ ଶ୍ରୀହରି l

    

   ତୋର ଶ୍ରୀ ମନ୍ଦିରରୁ ଆତ୍ମାର ବଡ଼ଦାଣ୍ଡ ଡେଇଁ ନୀଳ ମହୋଦଧି କୂଳ ରେ ଆଜି ବହୁତ ସମୟ ନିରବରେ ବସି ତୋତେ ହିଁ ଦେଖୁଛି,ଆରମ୍ଭ ଆଉ ମୋକ୍ଷର ମୁହାଣରେ..... ଏ ପାର୍ଥିବ ଦୁନିଆରେ ମାୟାର ଆବରଣ ଭିତରୁ ବାହାରିବା ଓ ତୋତେ ଅନୁଭବ କରିବା କେତେ କଷ୍ଟ ସତରେ, କିନ୍ତୁ ଯିଏ ବାହାରି ଯାଇଛି ତୋର ଅହେତୁକ ଆଶୀର୍ବାଦ ନୁହେଁ ତ, ଆଉ କଣ..?? ସେ ମନ ଆଉ ତୋ ଭିତରେ ହଜି ଯିବାର ମନଟିଏ କେତେ ମହଙ୍ଗା ଏ ଦୁନିଆରେ ସତେ, କିଛି ବି ଆସକ୍ତି ନାହିଁ, ମୁଁ ପଣ ବି ସତ୍ତା ହରାଇ ମୁଁ'ତ୍ବକୁ ଭୁଲି ନିସ୍ଵ ଭିତରେ ବିଶ୍ୱପ୍ରାଣଙ୍କର ଅନୁଭବରେ ସମାୟିତ l ଭାଗ୍ୟ, ଭଗବାନ ସବୁ କିଛି ସେଠି ଏକାକାର, ନିଜ ଭିତରେ ନିଜକୁ ଭୁଲି ଯିବା ପରେ ଅତୀତ, ବର୍ତ୍ତମାନ, ଭବିଷ୍ୟତର କିଛି ବି ଭାବନା ନାହିଁ l ଶଙ୍କା କି ଶୋଚନାର ତିଳେ ମାତ୍ର ବିନ୍ଦୁ କି ବିସର୍ଗ ହୃଦୟରେ ନାହିଁ l କେବଳ ସେ ହିଁ ଜଣେ ମାତ୍ର ହୃଦୟବାସୀ ମନ୍ଦ, ମନ୍ଦ ସ୍ମିତ ଲାଳିତ୍ୟରେ ସୁମନୋହର ବାଙ୍କ ଚାହାଁଣିରେ ଗହ,ଗହ ନିନାଦରେ ପ୍ରତୀୟ ମାନ ଆତ୍ମାରଥର ସିଂହାସନେ ଦିବ୍ୟ ଦର୍ଶନରେ ହଜାଇ, ଭିଜାଇ.... କେଉଁ ଅଭିଧାନରେ କି ଶବ୍ଦଅଛି ତା'ପାଇଁ ବର୍ଣ୍ଣିବାକୁ l


      ପ୍ରକୁତ ସୁଖକୁ ଖୋଜି, ଖୋଜି ମରୁପ୍ରାନ୍ତର ସମ ଏ ମିଛ ସଂସାରର ଦୃଶ୍ୟାଦୃଶ୍ୟକୁ ବହୁତ ଅନୁଭବ କରିଛି l ସରଳପ୍ରାଣରେ ହିଂସା, ଇର୍ଷା, ଦ୍ୱେଷରେ ଭରା ବିଷାକ୍ତ କାଳଯନ୍ତ୍ରଣାକୁ ପିଇ ଲହୁ-ଲୁହାଣ ଝଡ଼-ମୋଡ଼କୁ ବି ଘନ ଘୋର ଅନ୍ଧାର ସଦୃଶ୍ୟ ଜୀବନ ଜ୍ୱାଳାକୁ ପ୍ରାଣରୁ ନିରୀକ୍ଷଣ କରିଛି l ତଥାପି ମୋହ, ମାୟାରୂପୀ କୁମ୍ଭୀରର ମନ ନେଇ ଆସକ୍ତ ମନ ସେଥରୁ ବାହାରିବାର ଦୃଷ୍ଟାନ୍ତ ବିରଳ l ତ୍ରାହି କେତନ ବାନାକୁ ଦେଖିବା କ୍ଷଣି ହୃଦୟର ଭାବ ସେଥିରୁ ଆଖି ଅଦୃଶ୍ୟ ହେବା ପରେ ଭାବ ଭିତରେ ଯେପରି ସମ୍ପୂର୍ଣ୍ଣ ଅଲଗା ହୋଇଯାଏ ସେପରି ମନୁଷ୍ୟର ହୃଦୟ, ଆତ୍ମା କ୍ଷଣିକରେ ବାସନା ମୁକ୍ତ ଓ ଯୁକ୍ତ ପରି l ଜୀବନ ପଥରେ ଯେତେ ଥର ଝୁଣ୍ଟିପଡେ ସ୍ମରଣରେ ତୁମେ ଆସିଯାଅ, ତାପରେ ଗତାନୁଗତିକ ଧାରାରେ ଜୀବନ, କି ପ୍ରକାର ଏ ଜୀବନରେ, ତୋତେ ପାଇବା ପାଇଁ ଯେତେ ଉଠାଣି, ଗଡ଼ାଣିକୁ ଅନୁଭବ ମାଧ୍ୟମରେ ଚେତାଇ ଦେଇଛୁ ସେଥିରୁ ବାହାରିବା ପରେ ମନୁଷ୍ୟ ସର୍ବ ପ୍ରଥମେ ତୋତେ ହିଁ ଭୁଲି ଯାଏ ଏ ମାୟା ସଂସାରରେ.... ପାର୍ଥିବ ମୋହରେ ଆତ୍ମାର ଆଖି ଥାଇ ବି ଅନ୍ଧ ହୋଇଯାଏ ପ୍ରତିଥର, ପ୍ରତି ମୁହୂର୍ତ୍ତ...ସତପଥରେ ହଜାର ଦୁଃଖ ଥିଲେ ବି ତୋତେ ଅନୁଗାମୀ ମନୁଷ୍ୟ ସେଥିରୁ କେବେ ବି ବିଚ୍ୟୁତ ହୁଏନି l କାରଣ ସେ ହିଁ ଅନୁଭବ ପୂର୍ଣ୍ଣ ହୋଇ ଥାଏ ସଦା.. ଯେ ମୋ ମାଲିକ ମୋ ସହିତ ସବୁବେଳେ ଅଛନ୍ତି ନା.... ଭାବରେ କେବେ ବି ଅଭାବ ରୁହେନା ହୃଦୟରେ ll


     ସନ୍ମାନ, ପ୍ରତିପତ୍ତି, ଗୌରବର ଝଣ୍ଡା ଉଡାଇ ଚାଲୁଥିବା ମଣିଷ ଦିନେ ଦୁବକୁ ବି ଆଶା କରେ ସେକଥା ଏ ଆତ୍ମା ବୁଝି ମଧ୍ୟ ଅବୁଝା ହୁଏ l କ୍ଷଣିକ ମୋହର ମାୟାଜାଲରେ ପତିତ ଜୀବ ବିଷକୁ ଅମୃତ ପରି ଆସ୍ଵାଦନ କରି ସ୍ବର୍ଗୀୟ ଆହ୍ଲାଦରେ ସ୍ନିଗ୍ଧ ସଞ୍ଜିବନୀ ତୁଲ୍ୟ ଆରମ୍ଭ ରୁ ଅନ୍ତିମର ସ୍ବପ୍ନରେ ବିଭୋର ହୁଏ l ସଂସାରରେ ସବୁ ଇପ୍ସିତ ଯେ ହାତ ମୁଠାରେ ମୁଁ, ମାୟାରେ ଭ୍ରମିତ ହୋଇ ପରମକୁ ଭୁଲିଯାଏ ଏ ସ୍ୱାର୍ଥପର ଜୀବ l ତାର ଯାଦୁରେ କେତେ ସୁଖ ନିହିତ ସେ କଥା ଭୁଲାଇ କଳା ଯାଦବ ହୃଦୟରୁ ଅନ୍ତର ହୋଇ ଯାନ୍ତି l କିଏ ବା ନ ଚାହିଁବ ତାର ଆତ୍ମାର ଆରାଧ୍ୟ ହୋଇ କୋଟି କୈବଲ୍ୟ ନାଥ ହୃଦୟର ରତ୍ନ ସିଂହାସନରେ ସବୁଦିନ ପାଇଁ ନ ରହିବାକୁ,ପରମ ପ୍ରେମମୟଙ୍କୁ ହୃଦୟରେ ରହିବା ପାଇଁ ନିର୍ମଳ ହୃଦୟଟିଏ ଯେ ଲୋଡ଼ା, ବାସ ଅନୁଭବ ହେବ ହିଁ ହେବ ସାଥିରେ କିଏ ନିଶ୍ଚୟ ଅଛନ୍ତି ଆଉ ଶିଥିଳ ପାଦଦ୍ବୟରେ ଅମାପ ବଳ, ଅସୀମ ସାହସ ହୋଇ ସବୁ କିଛି ସେ ହିଁ ସମ୍ଭାଳି ନେଉଛନ୍ତି l ସମର୍ପଣ ଭାବ ହିଁ ତାଙ୍କର ଅହେତୁକ କୃପା l ପ୍ରତେକ ଯୁଗରେ ଯାହାଙ୍କୁ ଦର୍ଶନ ପାଇଁ ଯୁଗରୁ ଯୁଗ ତପସ୍ୟା କରି ପ୍ରତୀକ୍ଷା ପାଇଁ ଅପେକ୍ଷା କରିବାକୁ ହେଉଥିଲା ମୁନି, ଋଷି ହୋଇ... କଳିରେ ଗୃହସ୍ଥ ଧର୍ମ ପାଳନ ପୂର୍ବକ ଚିନ୍ତା, ଚେତନାର ନିର୍ମଳ ପ୍ରାଣ ଭିତରେ ସେ ପରମ ମଙ୍ଗଳମୟଙ୍କର ଆକର୍ଷଣର ଅନୁଭବ ଅନୁଭବୀ ହିଁ ବୁଝି ପାରିବେ ନିଶ୍ଚୟ l


     ମୋ ଭାବ ଓ ଭାବନାକୁ ନେଇ ସମାହିତ ତୋର ଆଗମନୀ ସୁର ଝଙ୍କାର ତୋଳି ଲହରୀର ତାଳେ, ତାଳେ ସମ୍ମୋହିତ କରୁଥିଲା ହୃଦୟକୁ.... ଜାଗତିକ ଜଗତରେ ସତ୍ୟ, ଶିବ, ସୁନ୍ଦରଙ୍କର ଅପୂର୍ବ ରୂପ ଲାବଣ୍ୟ ଭରା କମନୀୟ ଅନିନ୍ଦ୍ୟ ରୂପକାନ୍ତିର ଦର୍ଶନରେ କଳ୍ପ, କଳ୍ପର ସାଧନା, ତପସ୍ୟା ପୂର୍ଣ୍ଣତା ପ୍ରାପ୍ତିର ଅକୁପାର କୃପା କରୁଣାରେ ଭରା ରୂପକଳ୍ପ ଭିତରେ ଶୁଦ୍ଧନୀଳ ପ୍ରଭାମୟ ତେଜରେ କୁଞ୍ଚିତ କେଶରାଶି ଯୁକ୍ତ ପଦ୍ମ ପଲାଶ ନେତ୍ରକୁ ଚାହିଁ ମୋର ସାରା ସଂସାର ପ୍ରତି ମାୟା ଭ୍ରମିତ ମୋହ ଭଙ୍ଗ ହେଉ ହେ ଶ୍ୟାମମୟ ପୂର୍ଣ୍ଣାନନ୍ଦ ନୀଳମେଘବର୍ଣ୍ଣା ନିର୍ବିକାରି ଶ୍ରୀରାଧେ ମୋହନ, ନୀଳଜିମୂତ ଦେହ କାନ୍ତିରେ ପୀତବସନ ଯୁକ୍ତ ଅପୂର୍ବ, ଅନିବର୍ଚନୀୟ ରୂପ ମାଧୁରୀ, ଦିବ୍ୟ ଚିଦାନନ୍ଦ ହେ ପୁରୁଷୋତ୍ତମ ତୁମ ଶ୍ରୀ ଚରଣ କମଳରେ ଆଶ୍ରୟ ବ୍ୟତୀତ ଆଉ ଅଧିକ କଣ ଆବଶ୍ୟକ ହେ ମହାବାହୁ ll


Rate this content
Log in