Lopamudra Parida

Action Inspirational

4  

Lopamudra Parida

Action Inspirational

ପ୍ରତ୍ୟୟ

ପ୍ରତ୍ୟୟ

3 mins
12



" ନାରୀ : ଏକ ନିତ୍ୟ ନୂତନ ନାଆର ନାଆଁ

ସଦାକାଳେ କିଏ ଜଣେ ତ ଥାଏ ନଈ ହେଇ ତା ପାଇଁ,

ତାକୁ ଗଢୁଥାଏ, ଆଙ୍କୁଥାଏ, ବିନ୍ୟାସୁଥାଏ ଢେଉରେ,

ଗଢିଭାଙ୍ଗି ସବାରିକରି କୂଳରେ ଲଗେଇଦବାର ପ୍ରତିଶ୍ରୁତି ଢାଳୁଥାଏ।


ସତରେ? 

ସତରେ କଣ ନାରୀଟିଏ ଲୋଢେ ଏ ଯାବତୀୟ ଆଡ଼ମ୍ବର ନାଁରେ ମାଡି ଯାଉଥିବା ନିର୍ମୂଳୀପରି ଏକ ଅଯାଚିତ ଅକ୍ତିଆର ?

ବନ୍ଧନକୁ କିଏ ବା ଭଲପାଏ ସାଥୀ ? ....."


ନିଜର ଭାଷଣ ସାରି ଓହ୍ଲେଇ ଆସିଥିଲା ତ୍ବିଶା ସେଦିନ ମଞ୍ଚ ତଳକୁ ।

ତାପରେ ଅନେକ ଖୋଜିଥିଲା ତାର ସେଇ ଡାଇରିଟିକୁ , ଯେଉଁ ଥିରେ ସିଏ ଟିପି ରଖେ ତାର ଚିନ୍ତାଚେତନାର ଶବ୍ଦରୂପ। 


ହଜେଇଦେଇଥିବା ପ୍ରିୟ ଚିଜଟି ମନକୁ ବହୁତ ବାଧେ । ହଜିଗଲା ପରେ‌ ମନ ଝୁରେ।


ପ୍ରତିଟି ଧାଡି ଏକ ବିନ୍ଦୁରୁ ଆରମ୍ଭ ହେଉଥିଲା ଓ ପୁଣି ଲେଉଟି ଆସି ସେଇଠି ଭେଟୁଥିଲା ନିଜକୁ ।


ଅନ୍ବେଷ ପାଇଥିଲେ ଡାଇରିଟେ ମଞ୍ଚ ତଳୁ । ସୁନ୍ଦର ହାତଲେଖାରେ ନିବିଷ୍ଟ ହୃଦୟର ଅଙ୍କା କିଛି ଅଙ୍କାବଙ୍କା ଶବ୍ଦ ନଦୀଧାର.... କାହାର ବୋଲି ଜାଣି ପାରିନଥିଲେ ଚେଷ୍ଟା ସତ୍ତ୍ବେ ।


ଗହଳି ମେଳରେ କେହି ଜଣେ ଚିହ୍ନା .... ମନ ଭେଦିଲା ପରି ଶୀତଳତା ଯେମିତି ସିଏ ଅନୁଭବ କରୁଥିଲେ ଡାଇରିଟିକୁ ହାତରେ ଧରିଲେ। ନେଇ ଆସିଲେ ସାଙ୍ଗରେ ।


ସବୁ କଥାର କଣ ଏକ ନିର୍ଦ୍ଦିଷ୍ଟ କାରଣ ମିଳେ ନା ଥାଏ । ଅନେକ କିଛି ବିଧି ନିର୍ଦିଷ୍ଟ ।ଏଇ ଯେମିତି ଆମକୁ ମିଳୁଥିବା ପ୍ରତିଟି ମୁହୂର୍ତ୍ତ ନେପଥ୍ୟରେ ଥାଏ ଇଶ୍ଵର ଉଦ୍ଦେଶ୍ୟ ପ୍ରଣୋଦିତ ।


***""""

ଭେଟିବାକୁ ଚାହିଁଥିଲେ ଡାଇରି ସାରା ଚିଠି ଓ ପ୍ରଶ୍ନର ବର୍ଷା କରିଥିବା ଝିଅଟିକୁ । ଲେଖିଥିଲେ ଚିଠିଟିଏ ଡାଇରିରୁ ଠିକଣା ପାଇ । ଉତ୍ତର ବୋଲି କହିହେବନି.....ବୋଧେ ଥିଲା ଅଭିବ୍ୟକ୍ତିର ଦର୍ପଣ ।


ପାଇଥିବ ତ ତ୍ବିଶା ନିଶ୍ଚେ ହେଲେ ଉତ୍ତର ଫେରି ପାଇନଥିଲେ ଅନ୍ବେଷ ଥରୁଟେ ବି । ଅଚିହ୍ନା ଚିଠିର ଉତ୍ତର ସିଏ ବା କାହିଁକି ଦିଅନ୍ତା ! 


ହଷ୍ଟେଲର ମୁକ୍ତ ପ୍ରଜାପତି ତ୍ବିଶା । 

ସିଏ କହେ ଜୀବନ ଜୀଁ'ବାର ନାମ ନୁହେଁ...... ଜୀବନ ତ ଝୁମିବାର ନାମ ।ଏତିକି ମନେ ରହିଯାଇଥିଲା ଅନ୍ବେଷର ସେଦିନର ବକ୍ତୃତାରୁ।


ସମୟ ତ ରାସ୍ତା ପରି । ସିଏ ତାର ନିଜସ୍ବ ଆବର୍ତ୍ତୀ ଆନନ୍ଦରେ ବହି ଚାଲୁଥାଏ । ଘଟଣା ଦୁର୍ଘଟଣା ପ୍ରତି ତାର ନିଘା କାହିଁ ? କାଳବକ୍ଷରୁ ବିଛାଡି ହେଇ ହଜିଗଲେ ନାଆଁ ଦିଟି ।


******


ମନସ୍ତତ୍ତ୍ୱ ବିଜ୍ଞାନରେ ରିସର୍ଚ୍ଚ ବୈଜ୍ଞାନିକ ଅନ୍ବେଷ । ଏହି ସହରକୁ ତାଙ୍କର ବଦଳି ହେଇଛି ,ଯୋଉ ସହର ଦିନେ ତାଙ୍କ ପାଇଁ ଗପ ଗଢୁ ଥିଲା।


 ଏଇ କିଛି ଦିନରୁ ଚିକିତ୍ସା କରୁଥାନ୍ତି ଝିଅଟିଏର । ତାଙ୍କର ତ ପିଲାଦିନୁ ମନସ୍କ ହୋଇ କର୍ମ ତତ୍ପରତା ପାଇଁ ଖ୍ୟାତି । ଭଲ ହେଇ ଆସିଲାଣି ଝିଅଟି ।ଆଉ ଅଳ୍ପ ବାକି।


ଖୁବ୍ ଉଚ୍ଚତାକୁ ଇଗଲ୍ ର ଡେଣା ଦିନେ ମେଲିଥିବା ଝିଅଟି ଆଜି ନଟେଇରୁ କଟି ଅଜଣା ଛାତରେ ଖସିପଡିଥିବା ଗୁଡିଟିଏ ସତେ ଯେପରି ..... ଏମିତି ଲାଗେ ତାକୁ ଦେଖିଲେ।


ବିଶେଷ ଯତ୍ନରେ ଦେଖୁଥାନ୍ତି ଅନ୍ବେଷ ତାକୁ । କେମିତି ଗୋଟେ ମାୟା ଲାଗିଯାଉଥାଏ ତା ଠି। ତାକୁ ଶୁଣୁ ଶୁଣୁ ବୁଝୁ ବୁଝୁ ଅନ୍ବେଷ ଫେରୁଥାନ୍ତି ଅତୀତର ଝର୍କା ମୁହାଣକୁ ଅଜାଣତେ ଅନେକ ଥର। 

ଅନ୍ୟମନସ୍କ ହେଉଥାନ୍ତି..........ନିଜ ସହ ।

ମନ ଝର୍କାରେ ଉଙ୍କି ମାରୁଥାଏ କିଛି ଗୋଲ ଗୋଲ ଅକ୍ଷର । 


ଦିନେ 


ଅନ୍ବେଷ ଝିଅଟିକୁ ଥେରାପି ଦେବା ବେଳେ ଆପେ କହୁଥାନ୍ତି," ନାରୀ: ଏକ ରଜ୍ଜୁ.... ଯାହା ଦୟା,କ୍ଷମା,ପ୍ରେମ, ଶକ୍ତି,ସାହାସ, ଧର୍ଯ୍ୟର ମାଳି ସବୁରେ ଗୁନ୍ଥା । ସିଏ ସେଇ ଗଛର ଚେର ଯାହାର ଡାଳ, ପତ୍ର,ଫୁଲ,ଫଳ,ଡାଳ ସହ ବସା ବାନ୍ଧିଥିବା ହଜାରେ ପକ୍ଷୀ ବି ତା ଉପରେ ଭରସା କରନ୍ତି। ନିର୍ଭର କରନ୍ତି। ନାରୀ ମାଟି।ନାରୀ ମାଆ । ନାରୀ ବନ୍ଧନ ନୁହେଁ, ସିଏ ମୁକ୍ତିପଥ।.......।ଯିଏ ନିଜେ ତୋଫା ଜହ୍ନ ପରି ତାକୁ ବା କୋଉ ଅନ୍ଧକାର ରୋକିପାରେ ।."


ଝିଅଟି ଆଶ୍ଚର୍ଯ୍ୟ ହେଇ ଚାହିଁ ରହେ ଅନ୍ବେଷ ମୁହଁକୁ ସେହି କ୍ଷଣି।


ଆଉ କହେ," ଡକ୍ଟର ଗୋଟେ କଥା ପଚାରିବି ? କିଛି ମନେ କରିବେନି ନା ! ଆପଣ କଣ ଅନ୍ବେଷ ଦାସ ଅଙ୍କଲ? 

କିଛି ବର୍ଷ ତଳେ ଆପଣ ହିଁ ଏଇସବୁ ଶବ୍ଦ ସହ ଗୋଟେ ଚିଠି ଲେଖିଥିଲେ କି କାହାକୁ ଜଣଙ୍କୁ ? " 


ଏବେ ଅନ୍ବେଷଙ୍କର ସୀମା ହୀନ ଆଶ୍ଚର୍ଯ୍ୟ ହେବାର ପାଳି।


ଅନର୍ଗଳ ଗପଝରଣା ପରି ଗପୁଥାଏ ଝିଅକି,ଯେମିତି ସୁଅମୁହଁକୁ ଖିଅ ମିଳି ଯାଇଛି ।


" ମତେ ଚିହ୍ନିଲେ ଦେଖି .... ? ମୁଁ କାଳେ ଡିଟୋ ମୋ ମାମା ପରି ଦିଶେ ବୋଲି ସମସ୍ତେ କହନ୍ତି । ସତ ନା । ଦେଖନ୍ତୁ ତ । ମାମାକୁ ଦେଖିନି ତ କେବେ .... ମତେ ଜନ୍ମ କଲାବେଳେ ହି ତାର ବଡି କୋଲାପ୍ସ କରି ଯାଇଥିଲା ବୋଲି ଘରେ କୁହନ୍ତି । ଆଉ ଆପଣଙ୍କ ଚିଠିଟି ମୁଁ ପଢିଥିଲି ମାମାର ଡାଇରୀରୁ। ହଁ ରିପ୍ଲାଇ ଲେଟରସ୍ ବି ଥିଲା ..... ବହୁତ ସାରା।

ଏକ ନିତ୍ୟ ନୂତନ ନାଆ .... ମୁକ୍ତପକ୍ଷୀ .....ଆଣ୍ଡ ସମ୍ ଥିଙ୍ଗ ଲାଇକ୍ ଦିସ୍ ରୁ ଆରମ୍ଭ ମୋଷ୍ଟ ଅଫ୍ ଦେମ୍।"


ଅନ୍ବେଷ ଶବ୍ଦ ଶୂନ୍ୟ ଥିଲେ । ଚପଳା,ଚଞ୍ଚଳା ଝରଣା ଟି ଆହାଃ ।


ଭାବୁଥିଲେ ନାରୀ କଣ ?ଏକ କୋଲପ ଦିଆ ସିନ୍ଧୁକ । ନିଜେ ପୋଥି ନିଜେ ପାଠ ନା ଏକ ସ୍ମୃତିଘର । ଏମିତି ଏକ ବହି ଯାହାର ପ୍ରଚ୍ଛଦ ହୁଏତ ବୁଝିହେଲାପରି ଲାଗେ ହେଲେ ଭିତର ରହସ୍ୟ କେହି ଜାଣେନା। ଫର୍ଦ୍ଦ ପରେ ଫର୍ଦ୍ଦ ପ୍ରତିଓଲଟରେ ନୂଆ।


ଶାନ୍ତମନର ଠିକଣା ମନ୍ତ୍ର ବର୍ତ୍ତମାନରେ ନିହିତ.... ନା ଅତୀତ ନା ବି ଭବିଷ୍ୟତ ତାକୁ ଧରେଇଦେଇପାରେ ।


ଆଉଁସି ଦେଇଥିଲେ ଅନ୍ବେଷାର ମଥାକୁ ।ଚୁମିଥିଲେ ଥିରେ ତାର କପାଳରେ।


ଚଷମା ପୋଛୁଥିଲେ ବାତାୟନ ବାହାରକୁ ଚାହିଁ । ମିଳେ.... ଖୋଜୁଥିବା ଠିକଣା ..... ହଜେଇଦେଇଥିବା ମନ । ଅକ୍ଷତ। ଅକ୍ଷୂର୍ଣ୍ଣ।


ବାହାରେ ଆଜି ବେଶ୍ କୁହୁଡିର ଘେର।

ଲୁହ କିଏ କାକର ବିନ୍ଦୁ କିଏ ବା ବାରି ପାରିବ ।


Rate this content
Log in

Similar oriya story from Action