Lopamudra Parida

Action Inspirational

4  

Lopamudra Parida

Action Inspirational

ଟିପା ଓ ଦଶଟି ସାନଗପ

ଟିପା ଓ ଦଶଟି ସାନଗପ

8 mins
8


ଟିପା 


ଲୋକଙ୍କ ଚାହାଣୀ କହେ ଆଖି ପଡିଲେ ଘଡିଏ ଅଟକି ରହିଲା ପରି ଚେହେରାଟି ତାର । ମାଆ କହିହୁଏ , "ଛୋଟ ଟିପାଟେ ପଛେ ହଉ ନାଇକି ଘରୁ ବାହାରକୁ ବାହାରେ । ଝିଅ ପିଲା।ମଥା ଖାଲି ରଖନ୍ତି ଆଗ ! ନୁଖୁରା ମୁହଁ କେଡେ ଶ୍ରୀହୀନ ଦିଶେ କହନି! ମୋ ଲକ୍ଷ୍ମୀ ପରା କଥା ମାନ ‌ । ତୋ ମୁହଁ କୁ ବେଶ୍ ମାନିବରେ ଟିପାଟି ।ଲଗେଇକି ଦେଖ ।  

" ନିଜେ ତୁଳସୀ ମାଟି ମାରି ଦେଉଥାଏ ଅନିକା ଗେଟ୍ ଯାଏ ପହଞ୍ଚି ନ ଥିବା ଭିତରେ ପ୍ରତିଦିନ ।

ତାକୁ କିନ୍ତୁ ଲାଗେ ଏ ସବୁ ବେକାର କଥା। ଜାବୁଡି ଧରିଥିବା ମୁଠା ମୁଠା ଅନ୍ଧ ବିଶ୍ବାସ। ଯୁଗ ଯାଇ କୋଉଠି ହେଲାଣି, ମାଆ ତାର ସେଇ କଳାଧଳା ଗଳିରୁ ପାଦେ ଘୁଞ୍ଚିନି।


ଅଙ୍କିତ ସହ ଦେଖା ହେବା ପରଠୁ କାହିଁକି କେଜାଣି ଏବେ ଏବେ ଗାଧୁଆ ଘର ଆଇନାରେ ଲାଗିଥିବା ମାଆର ବଡ଼ ଲାଲି ଟିପାଟି ତାକୁ ବାରମ୍ବାର ନାଇବାକୁ ମନ ହୁଏ। 


ସିଏ ଏବେ ଏବେ ନିଜକୁ ହିଁ ନିତି ମନ ପୁରେଇ ଘଡିଏ ଘଡିଏ ଦେଖୁଥାଏ ।

ଇସ୍.... ସତରେ ତ ।


୨ : ସିନ୍ଦୂର ବିନ୍ଦୁ 


ଆଜି ଆଉ ଏକ ସହରରୁ ପ୍ରୋଜେକ୍ଟ କାମରୁ ଫେରିଲା ବେଳେ ବାଟରେ ଗୋଟେ ମଂଦିରରେ ଘଣ୍ଟ ଶବ୍ଦ ଶୁଣି ଗାଡି ରୋକିବାକୁ କହିଲା ନିଶି। ହେଲେ ଦର୍ଶନ କରି ଫେରିବା ପରେ ସତେ ଯେମିତି ସିଏ ନିଜକୁ କୋଉଠି ହଜେଇ ଆସିଥିଲା।


ସେଇ ଚେହେରାଟି ତାର ମନରୁ ଯାଉନଥିଲା। 

ନିଜ ଉପରୁ ବି ତାର ନଜର କୋଉ ଘୁଞ୍ଚୁଥିଲା ଯେ ।


ସେତେବେଳକୁ ସିଏ ଗାଧୁଆ ଘର ଦର୍ପଣକୁ ଚାହିଁ ଠିଆ ହେଇଛି ଯେ ହେଇଛି। ମନ୍ଦିରରେ ମୁଣ୍ଡିଆ ମାରି ଉଠୁ ଉଠୁ ଅଜାଣତେ ବାଡେଇ ହେଇ ଯାଇଥିଲା ତାଙ୍କ ସହ । ସିଏ ଧରିଥିବା ସିନ୍ଦୂର ଥାଳି ନିଶିର ମୁଣ୍ଡରେ ଓଜାଡି ହେଇଯାଇଥିଲା ଏଇ ଅଜାଣତ ଧକ୍କା ଯୋଗୁଁ । ସେତିକି ବେଳେ ଭିତରୁ ଆସୁଥିବା ବ୍ରାହ୍ମଣ ନନା କହିଲେ," ସୈାଭାଗ୍ୟ ଲକ୍ଷ୍ମୀ ଭବ। ଏଇ ସିନ୍ଦୂର ଏମିତି ଦାଉ ଦାଉ ଜଳୁଥାଉ ସ୍ଵର୍ଗଦ୍ଵାର ଯାଏ। " ଥାଳି ଧରିଥିବା ଲୋକ ଜଣକ ଏମିତି ଏକ ହସ ସହ ତାକୁ ଚାହିଁ ଦେଇ ଚାଲିଗଲେ ଯେ ସିଏ ଏବେ ଯାଏ ସେଇଠି ବନ୍ଧା ପଡିଗଲା। 


ନିଶି ସେତେବେଳେ ତ ଉଠିପଡି ଝାଡି ଝୁଡି ହେଇ ତାର ଅହଂ ସହ ଗାଡିକୁ ଫେରିଆସିଥିଲା ସତ କିନ୍ତୁ ମଥାରେ ବଡ ଗୋଲ ଆକାରରେ ଲାଖିରହିଥିଲା ଲାଲ୍ ସିନ୍ଦୂର ବିନ୍ଦୁ ଠିକ୍ ସେଇ ମନ୍ଦିରର ଦେବୀ ପିନ୍ଧି ଥିବା ପରି ।


ଡ୍ର' ରୁ ନିଶିକାନ୍ତଙ୍କୁ ପଠେଇବାକୁ ରଖିଥିବା ଡିଭୋର୍ସ କାଗଜ ଥାକକ କାଢି ସିଏ ସେଇ ମୂହୁର୍ତ୍ତରେ ଚିରି ଫିଙ୍ଗିଦେଲା କେଉଁ ଏକ ଅବ୍ୟକ୍ତ ଶକ୍ତି ବଳରେ। 


ଜୀବନର ନାଁ ତ ଦୁଇପଟର ସହଭାଗିତା ।।

ଏକା ଏକା ନାଆକୁ ବା ମଙ୍ଗ ଧରେଇବ କିଏ ?




୩: ବିଧୁର ବେଳା 


ଶ୍ବେତଗଙ୍ଗାର ଶିଉଳି ପାଣିରେ ତା ନିଜ ଚେହେରା ତାକୁ ପିଶାଚି ପରି ଦିଶୁଥାଏ । ଛିଃ । ହେଲେ ଏ ସମାଜ ? କେବେ କ'ଣ କାହାର ଅନ୍ତର ବୁଝେ ? 


ନିତି ନିୟମ ନାଁରେ ଶେଷ ଦଶ ଦିନରୁ କ'ଣ କ:ଣ ସବୁ କରେଇ ନେଉଥାନ୍ତି ସମସ୍ତେ ତା ସହ । ତୁଠରୁ ଫେରି ସିଏ ତାର ଗାଧୁଆ ଘରକୁ ପଶିଗଲା । ପେଟେ କାନ୍ଦିବାର ଇଛ୍ଛା ନେଇ । ମନବୋଧ କି କାନ୍ଦି ସାରି ସିଏ ମୁହଁକୁ ପାଣି ଛାଟିଲା ଆଉ ଦର୍ପଣକୁ ଚାହିଁଲା।ନିଜକୁ ନିଜେ ଅଚିହ୍ନା ପାଇଲା । ତା ଦର୍ପଣ ସାରା ତାରି ସବୁଦିନିଆ ବିଭିନ୍ନ ଆକୃତିର ଲାଲି ,ଖଇରିଆ,ନୀଳ , ଇନ୍ଦ୍ର ଧନୁଷି ଟିକିଲିସବୁର ସମ୍ଭାର ଯେମିତି ତାକୁ ଖତେଇ ହେଉଛନ୍ତି କି ସମବେଦନା ଢାଳୁଛନ୍ତି ଅବୁଝା ଲାଗୁଛି ତାକୁ ସବୁ। ସିଏ ଦର୍ପଣକୁ ଚାହିଁ ଠିଆ ହେଇଛି ଗଲା । ଚମକି ପଡୁଛି ଥରକୁ ଥର। ନୀରବତା ଭିତରେ ଥରି ଯାଉଛି।


ହଠାତ୍ କରି ଦର୍ପଣକୁ ଚାହିଁ କହିଉଠିଲା


ଆରେ ଏ କଣ? ଅମ୍ଲାନ ତୁମେ? ତୁମେ ଫେରିଆସିଛ ଅମ୍ଲାନ? ଦେଖ ନା ଏମାନେ ସବୁ ମତେ କଣ କରୁଛନ୍ତି? ମନେ ଅଛି ଅମ୍ଲାନ ଏକ ବିଭୋର ବେଳାରେ ତୁମେ ତୁମ ରାଣ ଦେଇ ମତେ କହିଥିଲ ନା," କିଛି ବି ହେଇଯାଉ ତୁମ କପାଳରେ ମୁଁ ଏଇ ଉଦିତ ସୂର୍ଯ୍ୟ ପରି ଲାଲିମା ଦେଖିବାକୁ ଜୀଁ ଥିବି ସିୟା " ଏମାନେ ବୁଝୁନାହାନ୍ତି କି ଶୁଣୁ ବି ନାହାନ୍ତି ମୋ କଥା କିଛି । ତମେ ବୁଝାଅ ତ ! ତମ କଥା ସମସ୍ତେ ଶୁଣିବେ। ତୁମେ ଏବେ ଚାଲ ମୋ ସହ ଆଉ ସମସ୍ତଙ୍କୁ କୁହ ଯେ ତୁମେ ଅଛ।ମୋର ଏଇ ସିନ୍ଦୂର ପିନ୍ଧିବାର ଅଧିକାର ମୋଠୁ କେହି ନ ନିଅନ୍ତୁ।ଏ ଟୋପାକ ବିନା ମୁଁ କେତେ ଅସୁନ୍ଦର ଦିଶେ ତୁମେ ନିଜେ କୁହ ତ। "


ଅମ୍ଲାନ କିଛି କହୁନଥିଲେ ।କେବଳ ହସ ହସ ମୁହଁରେ ଦର୍ପଣରୁ ସବୁଠୁ ବଡ ଲାଲ ଟିକିଲିଟି ଆଣି ସିୟାର ମଥାରେ ଲଗେଇ ଦେଲେ ।


ଏବେ ଏ ସମାଜ ମିଳେଇଗଲା , ତାର ଆଉ ଅମ୍ଲାନ ମଝିରୁ। 



ବାହାରେ ସମସ୍ତେ କବାଟ ପିଟୁଥିଲେ।

" ସିୟା,ସିୟା,ସିୟା କବାଟ ଖୋଲ ମାଆ।" 



୪ : ସେଦିନ ନିଘଞ୍ଚ ପାହାଡ ତଳି ଡଙ୍ଗରରୁ ଫେରୁଥିବା କୁସୁବି। ଧୋକା ଦେଇଥିଲା ସହରି ବାବୁ ସିନ୍ଦୁର ଦବ କହି । "ଚେରମୂଳି ଔଷଧ କରି ପେଟର ପିଲାଟାକୁ ତରଳେଇଦେ" କହି ନିଜେ ପବନରେ ମିଳେଇଯାଇଥିଲା ସେ ପଇସା ବାଲା। 

କୁସୁବି ଭାବୁଥିଲା ତତଲା ପଥର କି ଲହରିଆ ଝରଣା କିଏ ବା ପାରିବ ତାର ଦୁଃଖ ଧୋଇ।ହେଲେ ସିଏ ବି ଏ ପାହାଡର ଝିଅ। ପ୍ରକୃତି ମାଆ ପରି ମୁଣ୍ଡ ଟେକି ଠିଆ ହବ । ହଲିବ ନାଇଁ। ମୁଣ୍ଡି ପଥରମଙ୍ଗଳାଠୁ ଚେକାଏ ଘିଅ ଗୋଳା ସିନ୍ଦୁର ନେଇ ଠ ବୁଲେଇଲା ମଝି କପାଳରେ।


କେମିତି ଯୋଗକୁ ଦେଖ , ସେଦିନକୁ ଆଜି ବାଇଶି ବରଷ ପୁରିଲାଣି। କୁସୁବିର ଝିଅ ମହୁଲିର ଆଜି ବିହାତୋଳା ।


ଦର୍ପଣକୁ ନଈ ପାଣିରେ ଚହଲେଇ ଲୁଗା କାନିରେ ପୋଛିଲା କୁସୁବି । କୋ ' କାଳର ମୁଣିରୁ କାଢିଲା ଗିଲିଟିରୂପା ପାଉଁଜି ହଳେ ଆଉ କିଣା ଅଠାଦିଆ ବଡ ନାଲି ଟିକିଲି ପାକିଟି । ବଢେଇଦେଲା ମହୁଲି ହାତକୁ। ଖୁସିରେ ସେ ଚିଜ ତକକୁ ଓଲଟେଇ ପାଲଟେଇ ଦେଖୁ ଦେଖୁ ପଚାରିଲା ମହୁଲି ମାଆକୁ," ଏ ଦରବ,କୋଉଠୁ ଆଣଲୁ ମାଆ?"


ଅନ୍ୟମନସ୍କତା ରେ ଚମକି ପଡି କୁସୁବି କହିଲା ," ତୋର ବାଆ ଦେଇଥିଲା ଗୋ ନନୀ।" 


ନାରୀ କ୍ଷମା ସହ ପ୍ରେମକୁ ସାଇତି ପାରେ 

ହେଲେ ଦୁଃଖକୁ ବହିବାକୁ ଦିଏନି ।


୫: ନିରୁତ୍ତର 


ଦୁଇ ତିନି ମାସରୁ ପୁଅ ସହ ତାର ଚାକିରୀରେ ରହିବା ଯାଗାକୁ ଚାଲିଆସିଥିଲେ ସଂଧ୍ୟା । କୁଶାଲ୍ ହି ନିଜେ ଜିଦ୍ କରି ନେଇଆସିଥିଲା। କହିଲା," ବାପା ନାହାନ୍ତି,ତୁ ଏକା କେମିତି ଏତେ ବଡ ତଳ ଉପର ଘରେ ରହିବୁ,ଚଳିବୁ ଶୁଣେ। ଆଜିକାଲି କୋଉଠି ବିଶ୍ଵସ୍ତ ଲୋକ ଗୋଟେ କିଏ ମିଳୁଛି,ଯାହା ଭରସାରେ ତତେ ଛାଡି ଯିବି।ଦେହ ପା ଭଲ ମନ୍ଦରେ କିଏ ଠିଆ ହବ।ତୁ ଚାଲ୍। କିଛି ଶୁଣାଶୁଣି ନାହିଁ, ଯୁକ୍ତି କରନା ଚାଲ୍। " 


କିରେ ନିଜ ଭିଟାମାଟି ରେ ପିଣ୍ଡରୁ ପ୍ରାଣପକ୍ଷୀଟି ଉଡିଗଲେ ସିନା ସପ୍ତ ପୁରୁଷ ଶାନ୍ତି । ତଥାପି ପିଲାଙ୍କ ଜିଦ୍ ଆଗରେ ସବୁ ହାର୍‌ ।


କୁଶାଲ ତାର ସାତେ ସାଢେ଼ ସାତରୁ ବାହାରି ଯାଏ। ଫେରୁ ଫେରୁ ସଞ୍ଜ । କଣ କରିବ ମଣିଷ ଦିନ ସାରା। 


ପାଞ୍ଚ ସାତ ଦିନ ପରେ ।

ଦିନେ ଚଞ୍ଚଳ ଆସି ଯାଇଥାଏ କୁଶାଲ।ତାର ଖାଇବା କଥା ବୁଝି ସାରି ବାଲକୋନୀରେ ବସି ଅନ୍ୟମନସ୍କ ଭାବେ ଚିରୁଣିରେ ମୁଣ୍ଡ କୁଣ୍ଢଉଥିବା ସଂଧ୍ୟା ଆଗରେ ଥୁଆ ହୋଇଥିବା ଆଇନାରେ ନିଜକୁ ଚାହିଁ ରହିଥିଲେ ।ସ୍ଥିର ହେଇଯାଉଥିଲା ସମୟ । ତାଙ୍କ ଶୂନ୍ୟ କପାଳକୁ ଲୁହ ଲୁହ ଆଖିରେ ଛୁଇଁ ଆସୁ ଆସୁ ପଛପଟୁ ପୁଅର ପ୍ରତିବିମ୍ବ ଦେଖି ଚମକି ପଡି ଆଖି ଲୁହ ପାପୁଲିରେ ପୋଛିଦେଲେ।ଆଉ ତୁରନ୍ତ ହସଟିକୁ ମଡେଇ ନେଇ ଚଟ୍ କରି କୁଶାଲ ଗାଲରେ ହାତ ବୁଲେଇ ଆଣିଲେ। ସିଏ ବୁଝି ପାରୁଥିଲେ ଯେ ପୁଅ ଦେଖିପାରିଛି କିଛି ଅଦୃଶ୍ୟ ଲୁହର ରଙ୍ଗକୁ ତାଙ୍କଠି,ଯାହାକୁ ଘୋଡେଇ ରଖିବାର ଶତତ ଚେଷ୍ଟା ଥାଏ ତାଙ୍କର। 


ସେମିତି ମାଆ କାନ୍ଧରେ ମୁହଁ ରଖି ନୀରିହ ସ୍ବରରେ କୁଶାଲ ସବୁ ରଙ୍ଗର ଟିକିଲି ଥିବା ପ୍ୟାକେଟ ଟିଏ ବଢେଇ ଦେଉ ଦେଉ କହିଲା ," ମାଆ, ମୋର କଥା ରଖିବୁ ପ୍ଲିଜ୍। ମୋ ଖୁସି ପାଇଁ।ତତେ ଖାଲି ମଥାରେ ଦେଖିଲେ ମୋ ଛାତି କଣ ହେଇଯାଏ ମାଆ। "


ଆଗକୁ କେବଳ ନୀରବତାରେ ଭିଜୁଥିଲା ମୂହୁର୍ତ୍ତ ।

ପୁଅର ହାତରେ ହାତ ରଖିଲେ ସଂଧ୍ୟା ।


6: ଦାସୀ


କୃଷ୍ଣଙ୍କୁ ଦିଅ ଗୋ ତୁଳସୀ 

ହେ ମଦାଳସୀ ।।

କୃଷ୍ଣ ହୋଇବେ ବଡ ଖୁସି, ହେ ମଦାଳସୀ ।।


ଗାଉ ଗାଉ ଚମକି ପଡି ସିଏ‌ କହିଲେ


" ଆଲୋ ଆରିସିଟା ହଲାନି ଲୋ ଚାନ୍ଦ । ପ୍ରଭୁ ସେବା ପାଇଁ ସଜ ହେଲାବେଳେ ଏଡେ ଅଥିର ହେଲେ କଣ ହବ ! ଅଳଙ୍କାର ପ୍ରିୟ ବିଷ୍ଣୁ ପରା। ମନମୁନଚୈତନ ସବୁ ଓଜାଡି ଦଉଥିବୁଟି .... ମୁଁ ତୋର, ମୁଁ ତୋର ଜପୁଥିବୁ ଏକ ଲୟେ .... ତା' ହେଲେ ଯାଇ ହେନା ମହମହ ବାସିବ.... ଜାଣିଥା। ଆରିସୀଟି ଆଉ ଟିକେ ଏଣିକି ନୁଆଁ ।"


( ମଝି ଆଙ୍ଗୁଳିରେ ଫରୁଆରୁ ସିନ୍ଦୂର ନେଇ କପାଳରେ ଆଙ୍କି ହେଉଥାଏ ଅନୁରାଗ। ଶ୍ୟାମଳ ମେଘମାଳାକୁ ଦୃଷ୍ଟି ଉଲ୍ଲୋକିତ ହୁଏ ତତ୍ କ୍ଷଣାତ ... ଭାବମଗ୍ନା ସ୍ବର ପୁଣି ଝଙ୍କାର ତୋଳେ ଗୀତଗୋବିନ୍ଦ )



କଥା ଶୁଣି ହସିଦେଉଥାଏ ତାପସୀ। ତାର କାମ ନିତି ଆସି ତାରାମଣି ମାହାରିଙ୍କୁ ଦେଉଳ ସେବା ପାଇଁ ଫୁଲସଜ କରିଦବ। ଖୋସାଠୁ ନାକଗୁଣା ସାଇତିକି ବସେଇ ଦବ। ବୟସର ସଞ୍ଜରେ ଦେବକନ୍ୟା।

ଅଣସର ଦିନ ତକ ଢାଳି‌ହେଇ ସିନ୍ଦୁର ମଥାରେ ଭରିବେ। ନିଠେଇକି ରୂପାକାଠିରେ ଉଦିଆ ସୂର୍ଯ୍ୟ ପରି ' ଠ' ଆଙ୍କୁଥିବେ ଯେ ଗଲା ଆଙ୍କୁଥିବେ। କହିବେ," ଠୋପା ଯେଡେ ଉଜ୍ଜ୍ୱଳ ଦିଶିବ, ଜଗଦେବ ପରା ସେପଟେ ସେତେ ଚଞ୍ଚଳ ଝାଡିଝୁଡି ହେଇ ଉଠି ବସିବେ ଲ। ଖଈ ଫଟୁଥିବା କୋମଳ ତନୁଟିରେ ଆହାଃ କେଡେ ଜରଜର କଷ୍ଟ ନ ସହୁଛନ୍ତି କହ ତ ? " 


ଆଖିରେ ଅମୃତଲୁହ ଚିବୁକ ଛୁଁ ଥାଏ ପ୍ରତିଥର ।


୭: ଅର୍ଦ୍ଧନାରୀଶ୍ବର 


ଅଳକା ଆଇନାରେ ନିଜକୁ ଦେଖେ । ବଡକି ଗାଢ ନାଲି ଟିକିଲିଟା ମାଡିଦିଏ କପାଳ ମଝିରେ । ଛଇ ଛଟକରେ ପୁରା କଟକରେ ତା ପରି କେହି ନାହିଁ । ସିଏ ବାଦାମବାଡିଠୁ କାଫଲା ସବୁ ଠି ହକ୍ ରେ ତାଳିମାରେ .... ଠାଏ ଠାଏ କରି। ତାର ଠାରରେ ଠସ୍ ଠସ୍ ପଇସା କାଢି ବଢେଇ ଦିଅନ୍ତି ଯାତ୍ରୀ ମାନେ। ହେଲେ ଏ ଦମ୍ଭ ଚେହେରା ତଳେ ପରିଚୟଟେ ଲୋଡେ ଅଳକା । ତାକୁ ଲାଗେ ଏଇ ତାର ନାଲି ଟିପାଟି ତାକୁ ସୁରକ୍ଷା ଦିଏ ଓ ପରିଚୟ ବି । 


ଏଇ ସିନ୍ଦୂର ତ ତାକୁ ଆଈ, ଆମ୍ମା, ଦେଇ ଡାକ ଦେଇଛି ନା,ତାରି ପରି ଅନେକଙ୍କ ପାଇଁ ।ତେଣୁ ନିତି ବଡ ଯତନେଇକି ସିଏ ମଝିମଥା ସଜାଏ।


୮ : ଆୟୁଷ


ପାଞ୍ଚ ବର୍ଷ.... କିଛି କମ ସମୟ ନୁହେଁ 

ଏକ ଦୀର୍ଘ ମିଆଦ କହିହେବ।

ଖଟରେ ସବୁ ଚାଲିଛି ଚୈଧୁରୀ ବାବୁଙ୍କର।

ତାଙ୍କ ଯାବତୀୟ ନିତ୍ୟକର୍ମଠୁ ଯେ ରାତିରେ ଉଷୁମ ରସୁଣ ଫୁଟା ତେଲ ମାଲସ ଯାଏ ସ୍ବହସ୍ତରେ ସଂପାଦିତ କରିବେ ପତ୍ନୀ ଗିରିଜା ।ତିନି ପୁଅ,ତିନି ବୋହୁ ଏକାଠି ଗୋଟିଏ ଛାତ ତଳେ ସ୍ବଚ୍ଛଳ ରୂପେ ଥାଇ ବି ଆଉ କାହାରିକୁ ସିଏ ଏ ଅଧିକାର ଦେଇ ନାହାନ୍ତି। ତାଙ୍କ ସ୍ଵାମୀ କେବଳ ତାଙ୍କ କର୍ତ୍ତବ୍ୟ। ଏମିତି ମାନି ନେଇଛନ୍ତି ସିଏ ।ପିଲେ କେତେଥର ନର୍ସଟିଏ ରଖିଦବା କଥା ଉଠାଇବାରେ ବି ଅରାଜି ଗିରିଜା। " କେତେ ହଗଘୁଅମୁତ କରିବୁ ଯେ ଆଉ ବୋଉ? ତୁ ଘାଣ୍ଟି ହେଇଯାଉଛୁ।ବୁଝୁନୁ କାହିଁକି?" ପ୍ରଶ୍ନରେ କେବଳ ହସିଦିଅନ୍ତି ଗିରିଜା।ନିରୁତ୍ତର।ହେଲେ ପ୍ରବଳ ଆଶାବାଦୀ। ଚୈଧୁରୀ ବାବୁପାଇଁ ନୀରବରେ ଜଳୁଥିବା ଅମ୍ଲାନ ଦୀପଶିଖାଟିଏ ଯେମିତି ।ଲାଗିଥାନ୍ତି ଦିନରାତି କେଉଁ ଏକ ଅଦୃଶ୍ୟ ବିଶ୍ବାସକୁ କାନିରେ ଗଣ୍ଠି କରି।


ସେଦିନ ସକାଳେ 

ନାକରେ ଝାଙ୍କ ଛଡେଇ ସାରିଥିଲେ ଚୈଧୁରୀ ବାବୁ । ଖାଇବାକୁ ଏକଦମ ନାରାଜ। ଖଟରେ ପଡିରହିଥିବା ସତୁରି ବର୍ଷର ମଣିଷଟି ଯେ ସାତ ବର୍ଷର ବାଳକ ସୁଲଭ ବ୍ୟବହାରଟିଏ କରିପାରେ ଏଥିରେ ଆଶ୍ଚର୍ଯ୍ୟ ବା କଣ ଅଛି! ଏଇ ତ ଚକ୍ର। 

ବୁଝେଇ ଚାଲିଥିଲେ ଗିରିଜା କୋଳ ପିଲା ପରି ତାଙ୍କୁ । ହଠାତ୍ ରାଗ ସରବର ହୋଇ ଜଳଖିଆ ଥାଳିକୁ ସବୁ ବଳ ଲଗେଇ ଗୋଇଠା ମାରି ଛାଟିଦେଲେ ଚୈଧୁରୀ ବାବୁ। ଝଣ୍ କରି ଥାଳି ତଳେ ପଡି ଚକ୍ରି କାଟିଲା ଚାରିଘେରା। ଖେଳେଇ ହେଇ ବୁଣିଗଲା ଖଇକୋରା ମୁଠାକ ଘରଯାକ ତାଙ୍କ ଆଖି ଆଗରେ , ଯାହା ସ୍ବାମୀଙ୍କୁ ଖୋଇସାରି ମୁଠେ ପାଟିରେ ଦେବେ ବୋଲି ରାଧାଦାମୋଦର ଙ୍କ ପାଖେ ପାଣି ଛଡେଇକି ଆଣିଥିଲେ ଗିରିଜା। ଶର୍କରା ବଢି ଯାଉଛି ଯେ ମୁଣ୍ଡ ବୁଲଉଛି କାହିଁରେ ‌କଣ ।ପିଲେ ଡବଲ ହଇରାଣ ହେବେନି ଯଦି ସିଏ ପୁଣି ପଡିଯାନ୍ତି।କିଏ ଭେରା ଭେରା କରି ଖାଲି ସେବା ବାଢିବ? ଯତନ କରି ପାଣିଗିଲାସେ ପରା କିଏ ଦି ଥର ରୁ ତିନି ଥର ହେଲେ ମୁହଁ ମୋଡିବେ। 


ଉଠିଆସିଲେ ଗିରିଜା। ମଝିଅଗଣାର ମିରର୍ ଉପରେ ଆଖି ପଡିଗଲାରୁ ଚମକି ପଡିଲେ ।

ଆଜି କେମିତି କେଜାଣି ସିନ୍ଦୂର ନାଇବାକୁ ଏତେ ବେଳ ଗଡିଲାଣି । ଦିନ ନଅଟା ବାଜିବକି କଣ ? ତରବର ହେଇ ସିନ୍ଦୁର ଡବା ନେଇ ଦର୍ପଣ ଆଡକୁ ଯାଉଛନ୍ତି କି ସେପଟୁ ଧାଇଁ ଆସୁଥିବା ଛ' ବର୍ଷର ନାତିଆ ବିଠୁଲ ଆସି ତାଙ୍କ ପେଟରେ ବାଡେଇ ହେଇ ଗଲା। ହାତରୁ ଫରୁଆ ଖସି ପଡୁପଡୁ ରକ୍ଷା ପାଇଗଲା। 

କୁନ୍ଦକଟା ପଳାଶ ଚଉକିଟାକୁ ଟାଣି ନେଇ ବସିଲେ ଗିରିଜା।ଆଇନାରେ ନିଜକୁ ଦେଖି କେତେ କଣ ଭୋଗିସାରିଥିବା ଦିନ ସବୁର ଚିହ୍ନ ସବୁକୁ ପରଖୁ ଥିଲେ ଗିରିଜା କି ,ବିଠୁଲ ଆମର ଗଳ୍ କି ଗିରିଜାଙ୍କ ବେକରେ ଝୁଲି ଯାଇ ପଚାରିଲା ," ଏଇ ମାଆ ତୋ ହେଡ୍ ର ବିଗ୍ ବ୍ରାଇଟ ସନ୍ କାଇଁ? ଲଗିନୁ? ଲଗୁନୁ। ସେଇଟା କାଇଁ ଲଗୁ? ଲଗିଲେ କଣ ହବ? ଯଦି ନ ଲଗିବୁ ଜେଜେବାପା ଷ୍ଟାର ହେଇଯିବେ କି ।। " 


ଗିରିଜାଙ୍କ ଆଗରେ ଅତୀତ ଲେଉଟୁ ଥିଲା। ଏଇ ବିଠୁଲର ପାପାଟା ଠିକ୍ ଏତିକି ସାନ ଥିଲା ବେଳେ ଏମିତି ଗଦଉଥିଲା ପ୍ରଶ୍ନ।ଆଉ ଚୈଧୁରୀ ବାବୁ ତାକୁ କାନ୍ଧରେ ବସେଇ ଗିରିଜାଙ୍କୁ କଣେଇ କଣେଇ ଚାହିଁ କହୁଥିଲେ,

"ଜାଣ ତୁମର ଏଇ ମଥାର ସାନ ଲାଲ ବିନ୍ଦୁଟି ଏଇ ଦେଖ ସେଇ ଆକାଶର ଝଲମଲ ଜହ୍ନ କୁ ବି ଲାଜରେ ଭିଜେଇ ଦେଇପାରେ ।"


ସିଏ ବିଠୁଲ କୁ କୋଳକୁ ଟାଣିନେଇ ତା କପାଳରେ ଗେଲ୍ହା କଲେ ଓ କହିଲେ," ତୁ ପରା ମୋର ବୁଢା । ତୋରି ଲାଗି ପରା ବଞ୍ଚିଛି। ରହ ହଲାନା । ସୁନ୍ଦର କରି ଲଗେଇଦିଏ ଯେ ତୋର ଆଉ ଜେଜେର ମୋ ଠୁଁ ମୋ ଆୟୁଷ ନେଇ ଯାଇ ଯୁଗରାଇଜ କରିବ । " 


ବିଠୁଲ ପଚାରୁଥିଲା," ଆଉ ତୁ ? ତୁ କଣ ସ୍କାଏକୁ ପଳିବୁ? " 


9: ବହିଷ୍କାର


ଚକଡାଏକର ମାଟି କାନ୍ଥରେ ଟଙ୍ଗା ଫଟା ଫ୍ରେମର ଆଇନାଟିକୁ ଚାହିଁ ରହିଥିଲା ସୁଗୁଣି ତେତେ ବେଳୁ 


ଜୀବନ ବେଳେ ବେଳେ ଘାଇକୁ ପେଲିଦିଏ। ଆଣ୍ଠେଇ ପେଟେଇ ଉପରକୁ ଉଠିଆ,ନୋହିଲେ ତାରି ଭିତରେ ପଚିଯା ।


ନିଷ୍ପତ୍ତି ନେବାର ବେଳ କେବେ ବା ସରଳ ଥାଏ! ସବୁବେଳେ ତ ପରସ୍ତେ କୁହୁଡିଆ ବାଦଲ ଧୁନ୍ଦୁଲେଇ ଦିଏ ଆଖି ପରଦା।


ଆଜିଯାଏଁ ତା ସହ ଯାହା ହଉଥିଲା ହଉଥିଲା ,ତା ଝିଅ ସହ ସେଇ ସେଇ କଥାକୁ ସିଏ କାହିଁ ସହନ୍ତା 

ପୃଥିବୀ ତାର ଗୋଲ ବୁଲିବ ବୋଲି କଣ ଦୋହର କରି ଭୋଗିହଉଥିବା ସବୁ କଷ୍ଟ ଲୁହ । ଛେଃ ।


ବାଁ ପାପୁଲିରେ ଘସି ବୋଳିଦେଲା ସୁଗୁଣି ତାର ସରାଗର ସୁହାଗ ଚକା ଚିହ୍ନଟିକୁ । କୋଳରେ କାଖେଇନେଲା ତିନି ବର୍ଷର ମୁକୁତାକୁ । 


ବାହାରିଗଲା ଘରୁ 

ଏକ ମୁହାଁ 


10 : ମାଆ


ମୁଣ୍ଡ ବୁଡେଇକି ଗାଧେଇ ପଡି ରାଣୀ ଆଙ୍ଗୁଠିରେ ବଡକି ଟିପା ନାଏ ବୋଉ। ମୁଁ ଆଁ କରି ଚାହେଁ। ସତ କହିବି ମତେ ବଡ ଆକର୍ଷିତ କରେ ତାର ମନ୍ଦାର ଲାଲ ଝକଝକ ଜଳୁଥିବା ଟିପାଟି। ମୋର ଏମିତିକା " ଆଁ" କରିବା ଭାବଟିକୁ ମାପି ବୋଉ ହସି ଦେଇ ମୋ ମୁଣ୍ଡ ଆଉଁସି ଦିଏ । 

ମୁଁ ଦିନେ ତା ମୁହଁ କୁ ଚାହି ଚାହିଁ କହିଲି," ଏତେ ବଡକି ଲଗଉଛୁ ନା ବୋଉ‌ ଟିପା....... । " ମୋ କଥା ସରିନି, ବୋଉ କହିଲା," ନାଇଁ ଧନ ସିନ୍ଦୁରକୁ ଖୁଣନ୍ତିନି । ଲକ୍ଷ୍ମୀ ପରା ।" 


ଆଉ ଦିନେ ତାର ହାତ ଧରି ଶ୍ରୀମନ୍ଦିର ବେଢାରେ ବୁଲୁବୁଲୁ କମଳିନୀଙ୍କର ଜଗମୋହନରେ ଆଖି ଲାଖିରହିଲା,ଆଉ‌ ମୁଁ ପୁଣି ବଡ ପାଟିରେ କହିଦେଲି "ବୋଉ ବୋଉ କାଳିଆ ମନ୍ଦିରର ଲକ୍ଷ୍ମୀ ସାଆନ୍ତାଣୀ ପରି ଦିଶୁଛୁ ତୁ ଦେଖେ ଦେଖେ।" 


ବୋଉ ଖାଲି ହସିଦେଲା ସୁନ୍ଦର କରି 

ଆଉ କାନି ଗୁଡେଇ ନେଇ ଗଳାବନ୍ଧରେ " ମାଆ " ବୋଲି ହାତ ଯୋଡିଲା ।




Rate this content
Log in

Similar oriya story from Action