SUKANTA KHANDA

Abstract

4  

SUKANTA KHANDA

Abstract

ସୁସ୍ଥ ଓଡିଶା ସୁଖୀ ଓଡ଼ିଶା

ସୁସ୍ଥ ଓଡିଶା ସୁଖୀ ଓଡ଼ିଶା

3 mins
345



ସେ ଦିନ ଟୁନା ଘରୁ ଗୋଡ଼ କାଢ଼ି ଦେଖିଲା ଗ୍ରାମ ମଝିରେଥିବା ତେନ୍ତୁଳି ଗଛଟା କାଟିବାକୁ କେଉଁଠୁ ଦଳେ ଅଜଣା ଲୋକ ଆସି ସଜବାଜ ହେଉଛନ୍ତି। ଯେଉଁଠି ହଜାର ହଜାର ସଂଖ୍ୟାରେ ବଗ ଓ ଗେଣ୍ଡାଳିଆ ପକ୍ଷୀ ବାସ କରୁଛନ୍ତି। ତାଙ୍କର ଜୀବନ ଏବେ ଦୁର୍ବିସହ ହେବାକୁ ଯାଉଛି। ସେମାନେ ରହିବେ କେଉଁଠି ଓ ବଞ୍ଚିବେ କେମିତି? ଏ ସବୁ ଟୁନା ଆଖି ଆଗରେ ଘଟିଯିବ ତ ବିରୋଧ କଲା ମାତ୍ର ଟୁନା କଥାକୁ ଶୁଣୁଛି କିଏ? ଟୁନା ଆଖିରେ ଲୁହର ବନ୍ୟା। ତାର ଦେହ ଓ ମନରେ ଅସରନ୍ତି ଭାବନା। ଏହି ଅସରନ୍ତି ଭାବନା ହୃଦୟ କନ୍ଦରେ ଦଳି ଚକଟି ହେବା ସହିତ ପାଖ ପାହାଡ ନିକଟକୁ ଚାଲିଗଲା ଦେଖିଲା ଦଳେ ଅଜଣା ଲୋକ ମଧ୍ୟ ପାହାଡ଼କୁ ଭାଙ୍ଗି ସଫା କରୁଛନ୍ତି। ଯେଉଁ ପାହାଡ ଗାଁ ଲୋକଙ୍କୁ ସହିବାର ଶିକ୍ଷା ଦେଇଥାଏ। ତାର କୋଳରୁ ଝରଝର ଝରଣା ବୋହି ଯାଉଥାଏ। ସେହି ଝରଣା ପାଣିକୁ ବ୍ୟବହାର କରି ଗାଁ ଲୋକେ କାହିଁକି ଏଠାର ପ୍ରାଣୀ ଚଳିଥାନ୍ତି। ସେହି ପାହାଡକୁ ଏ ଦିକୁଗଣ ଅବା ସୁନ୍ଦରତାକୁ ନଷ୍ଟ କରୁଛନ୍ତି କାହିଁକି? ଟୁନା ପାଖକୁ ଗଲା ଆଉ ବିରୋଧ କଲା ମାତ୍ର ବକଟେ ହେବ ଛୁଆ ଭାବି କେହି ବି କୌଣସି ପ୍ରତିକ୍ରିୟା ଦେଲେ ନାହିଁ।

     ସେ ଫେରି ଆସିବାକୁ ମନସ୍ତ କଲା କିନ୍ତୁ ସେ ଶୁଣିବାକୁ ପାଇଲା କାଠହଣାର ଶବ୍ଦ। ପାଖକୁ ଯାଇ ଦେଖିଲା ତ ପାଦ ତଳର ମାଟି ଖସିଗଲା। ଜଙ୍ଗଲରେ ଥିବା ବିରାଟକାୟ ଶାଳ,ଆସନ, ମହୁଲ ଓ ପିଆଶାଳ ଗଛକୁ ବିଲକୁଲ ହଣା ଚାଲିଛି ଆଉ କେତେ ଟ୍ରକରେ ବୋଝେଇ ହୋଇ ଚାଲିଛି। ଟୁନା ପାଖକୁ ଯାଇ ବିରୋଧ କଲା ତ କେହି ବି ଶୁଣିବାକୁ ନାରାଜ। ଟୁନା ତ ମାତ୍ର ଦଶ ବର୍ଷ ବୟସର ପିଲା ତାକୁ ଭଲା ଆଇନ ଜଣା ନା ଦେହରେ ବଳ ଅଛି? ସେ ଲୁହ ଓ କୋହରେ ଫେରିଲା। ତାକୁ ଭାରି ଶୋଷ ହେଲା ତ ପାଣି ପିଇବାକୁ ନଦୀକୁ ଗଲା ମାତ୍ର ଦେଖିଲା ନଦୀର ବାଲି ଅବାଧରେ ଚାଲାଣ ହେଉଛି। ତାର ଶୋଷ ମରିଗଲା ବାଲି ନ ଚାଲାଣ ହେବାକୁ ବୁଝାଇଲା ମାତ୍ର ଶୁଣୁଛି କିଏ? ଓଲଟି ତାକୁ ଗାଳି ଓ ମାଡ଼ ଖାଇବାକୁ ହେଲା। ଟୁନା ଫେରିଲା ଓ ଗଛ ମୂଳରେ ବସି ଲୁହ ଗଡ଼େଇ କାନ୍ଦିଲା। ତାର କାନ୍ଦିବା ପାଖରେ ଥିବା ହନୁମାଙ୍କଡ଼ ଦେଖିଲା ଓ ଶୁଣିଲା। ସେ ପାଖକୁ ଆସି ଜୁଳୁଜୁଳୁ ଆନେଇଲା। ଟୁନା ବିଲକୁଲ ଡରି ନ ଯାଇ କହିଲା,",ହେ ହନୁମାଙ୍କଡ଼ ! ତୁମମାନଙ୍କ ରହିବା,ଖାଇବା ଓ ଶୋଇବା ନଷ୍ଟକର ହେବାକୁ ଯାଉଛି। କେଉଁ ଦୂର ସହରରୁ ଦିକୁଦଳ ଆସି ଯାଇଛନ୍ତି ସେମାନଙ୍କୁ ନ ହଟାଇଲେ ଆମ ପ୍ରାଣୀଙ୍କର ଜୀବନ ଶୈଳୀ କାଠିକର ପାଠ ହେବ। ତୁମେ ମୋତେ ସହାୟତା କରିବ ତ ପାହାଡ଼,ଜଙ୍ଗଲ ଓ ବାଲି ପରି ପ୍ରାକୃତିକ ସୌନ୍ଦର୍ଯ୍ୟର ସୁରକ୍ଷା ହୋଇ ପାରିବା ସହିତ ଏ ଅଞ୍ଚଳର ପ୍ରାଣୀ ଓ ଉଦ୍ଦିଦ ବଞ୍ଚିଯିବେ।" ଏ କଥା ଶୁଣି ହନୁମାଙ୍କଡ଼ ରଣହୁଙ୍କାର ଦେଲା ତ ହଜାର ହଜାର ହନୁମାଙ୍କଡ ରୁଣ୍ଡ ହୋଇଗଲେ ଓ ଅତର୍କିତ ଭାବରେ ଦିକୁମାନଙ୍କୁ ଆକ୍ରମଣ କଲେ। ଦେଖୁଦେଖୁ ପାହାଡ଼ କଟାଳି,ଗଛ କଟାଳି,ବାଲି ବୋଝେଇ ଟ୍ରକରେ କାମ କରୁଥିବା ଦିକୁଗଣ ଛାତ୍ରଭଙ୍ଗ ହେଲେ। ହନୁମାଙ୍କଡ ଦଳ ଗୋଡେଇ ଗୋଡେଇ କାହାକୁ କାମୁଡ଼ିଲେ କାହାକୁ ପିଟିଲେ ତ ଦିକୁଦଳ ପ୍ରାଣ ଭୟରେ କିଏ କୁଆଡେ ଲୁଚିଲେ।

      ଦ୍ଵିତୀୟ ଥର ସେଇ ଦିକୁଦଳ ପୁଣି ଆସିଲେ ଓ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ନଷ୍ଟ କରିବାକୁ ଲାଗିଲେ ତ ହନୁମାଙ୍କଡ ସହିତ ପକ୍ଷୀକୁଳ ଯୋଗ ଦେଇଥିଲେ। ଏବେ କାଉ,କୋଇଲି,ବାଜପକ୍ଷୀ ଓ ହନୁମାଙ୍କଡ ମିଳିତ ଶକ୍ତିକୁ ହରେଇବା ଦିକୁଙ୍କର ସାହସ ନ ଥିଲା ତ ଛତ୍ରଭଙ୍ଗ ହୋଇ ରହି ପାରିଲେ ନାହିଁ। କିଛିଦିନ ପରେ ତୃତୀୟ ଥର ପାଇଁ ସେଇ ଦିକୁଙ୍କର ପୁଣି ଭିଡ ହେଲା ତ ପଶୁଗଣ ଯୋଗ ଦେଲେ। ଏଥର ବାଘ,ଭାଲୁ,ହାତୀ ଓ ସିଂହଙ୍କ ହେଣ୍ଟାଳ ଶୁଣି ଭୟରେ କିଏ କୁଆଡେ଼ ଦୌଡ଼ି ପଳେଇଲେ। ଚତୁର୍ଥ ଥର ଦିକୁଗଣ ହାତ ହତିଆର ସହ ମାଡ଼ି ଆସିଲେ। ଏଥର ମଧ୍ୟ ହନୁମାଙ୍କଡମାନେ ସାପମାନଙ୍କୁ ଆହ୍ଵାନ କଲେ। ସଭିଏଁ ଏକଜୁଟ ହୋଇ ଲୁଚିକି ରହିଲେ। ସେମାନେ ଯେତେବେଳେ ଭୟଙ୍କର ଶବ୍ଦରେ ମାଡିଆସି ନିଜର ହକ ଛଡେଇ ନେବାକୁ ବଦ୍ଧପରିକର କାରଣ ସେମାନେ ସରକାରଙ୍କ ଠାରୁ ଅନୁମତି ନେଇକି ଆସିଛନ୍ତି କି ସୁସ୍ଥ ଓଡ଼ିଶା ଓ ସୁନ୍ଦର ଓଡ଼ିଶା ଚୁଲିକୁ ଯାଉ ତାଙ୍କର ପକେଟ ଗରମ ହେବା ନିହାତି ଦରକାର। ସେମାନେ ବନ୍ଧୁକରୁ ଗୁଳି ଫୁଟାଇଲେ ଓ ବମ୍ ଫୋପାଡ଼ିଲେ। ଏ ସବୁକୁ ଦେଖି ଓ ଶୁଣି ହନୁମାଙ୍କଡଗଣ ଭୟରେ ଦୂରକୁ ଚାଲିଗଲେ ତ ଦିକୁଗଣ ଅଚିରେ ସେମାନଙ୍କ କାମ କରିବାକୁ ଅଣ୍ଟା ଭିଡ଼ିଲେ।

     ହଠାତ ଟୁନା ପ୍ରବେଶ କରି ପୁଣି ବାଟ ଓଗାଳିଲା ମାତ୍ର ଟୁନାକୁ ଉତ୍ତମ ମଧ୍ୟମ ଛେଚା ଦିଆଗଲା। ଏ ଦୃଶ୍ୟ ଦେଖି ସହି ପାରିଲାନି ସାପଗଣ ସେମାନେ ଗାତରୁ ବାହାରି ଆସି ଦିକୁମାନଙ୍କୁ ଭିଡ଼ି ପକାଇଲେ। ହନୁମାଙ୍କଡ଼ ସହ ପକ୍ଷୀକୁଳ ପ୍ରବଳ ମାଡ଼ ଓ ଖୁମ୍ଫି ପକାଇଲେ ତ ଛିନ୍ନଛତ୍ର ହେବାକୁ ଦିକୁଗଣ ବାଟ ପାଇଲେ ନାହିଁ। କେତେ ଦିକୁଙ୍କର ଗୋଡ଼ ଓ ହାତ ଭାଙ୍ଗିଲା କେତେ ଦିକୁଙ୍କର ଅଣ୍ଟା ଓ ମୁଣ୍ଡ ଫାଟିଲା। ସାପମାନେ ବାନ୍ଧି ପକାଇଥିବା ଦିକୁଙ୍କୁ ଟୁନା ଅକଲ ଦେଲା କି ଯଦି ଚତୁର୍ଥ ଥର ପୁଣି ଆସନ୍ତି ତ ତେବେ ସଭିଏଁ ମୃତ୍ୟୁର କୋଳରେ ଶୋଇବେ। ଦିକୁଗଣ ଟୁନା ପାଖରେ ହାତ ଯୋଡ଼ି ଶପଥ ନେଲେ କି ଆଉ ଜୀବନରେ ଆସିବେ ନାହିଁ। ଏଥର ଟୁନାର ଇଙ୍ଗିତରେ ଦିକୁମାନଙ୍କୁ ଛାଡ଼ି ଦିଆଗଲା। ଟୁନା ପଶୁ,ପକ୍ଷୀ ଓ ସରୀସୃପଙ୍କୁ କୋଟି ଧନ୍ୟବାଦ ହେଲା ତ ସେମାନେ ବେଶୀ କୃତଜ୍ଞତା ଜଣାଇ ଓଲଗି ହେଲେ ଟୁନା ପଖରେ କାରଣ ଟୁନାର ହିଁ ଅଗ୍ରସାରଥି ଯୋଗୁଁ ହିଁ ଏ ଯୁଦ୍ଧରେ ଜୟଲାଭ କଲେ।

      ସତରେ ! ଓଡ଼ିଶା ସୁସ୍ଥ ରହିବ ସେତେବେଳେ ଯେତେବେଳେ ଈଶ୍ବରଙ୍କ ସୃଷ୍ଟି ରକ୍ଷା ହେବା ସହିତ ପ୍ରାଣୀ ଓ ଉଦ୍ଦିଦମାନେ ଭଲରେ ରହିବେ। ଏହି ସୁଖୀ ଜୀବନ ପାଇଁ ଆମକୁ ଆଲୋକ,ପାଣି ଓ ପବନ,ମାଟି ବୃକ୍ଷରାଜିର ଶୁଦ୍ଧତା ରହବା ଦରକାର। ଏମାନଙ୍କ ବିନା କୌଣସି ପ୍ରାଣୀଏ କ୍ଷଣେ ବଞ୍ଚିବା ଅସମ୍ଭବ।

        ଆସନ୍ତୁ ଟୁନା ପରି ଆମେ ସୁସ୍ଥ ଓଡ଼ିଶା ଓ ସୁନ୍ଦର ଓଡ଼ିଶା ଗଠନ କରିବା ପାଇଁ ଶପଥ ନେବା। 

      


Rate this content
Log in

Similar oriya story from Abstract