ଭୂତାଣୁ ଦାନବ
ଭୂତାଣୁ ଦାନବ
ଭୂତାଣୁ ଦାନବ ରଚୁଛି ତାଣ୍ଡବ
ବର୍ଷ ମାସ ଦିନ ଧରି
ଲୀଳା ଏଠି ତାର କେଡେ ଭୟଙ୍କର
ଭାଳି ବ୍ୟଥା ଲାଗେ ଭାରି।
କରୋନା ଆତଙ୍କେ ବିଶ୍ୱ ନିତି ଆଙ୍କେ
ନିର୍ଦ୍ଦୟ କରାଳ ଛବି
ଦ୍ଵିତୀୟ ଲହର କରେ ହାହାକାର
ଚଉପାଶେ ତାର ଦାବି।
ଆର୍ତ୍ତନାଦେ ନର ହ୍ୱନ୍ତି ଥରହର
ଏ ଘୋର ବିପତ୍ତି କାଳେ
ବଢ଼ଇ ଯାତନା ତା' ସାଥେ ବେଦନା
ବଢେ ଭୀତି ମହୀ କୋଳେ।
ନିତି ନବ ବେଶେ ଜୀବ ପ୍ରାଣ ଗ୍ରାସେ
ବଦଳାଇ ତାର ରୂପ
ଲକ୍ଷ ଲକ୍ଷ ଜନେ ବଢେ ନିତି ଦିନେ
ସଂକ୍ରମଣ ସାଥେ କୋପ।
ମାନେନା ସେ ଜାତି ଧନ କି ସମ୍ପତ୍ତି
ମାନେ ନାହିଁ ଦୀନ ଦୁଃଖୀ
ଥାନ କାଳ ପାତ୍ର ପଦ ଆଉ କ୍ଷେତ୍ର
ପାରେନା ସେ ତିଳେ ଦେଖି।
ପୋକ ମାଛି ପରି ଲୋକେ ଯା'ନ୍ତି ମରି
ଏ ବିଶ୍ୱ ଭୁବନେ ଆଜି
କେତେ ଯେ ଅନାଥ ହେଉଛନ୍ତି ସୁତ
ମାତୃ ପିତୃ ହୀନ ସାଜି।
ଯେ ଯୁଗେ ମାନବ କରଇ ଗରବ
ଅଣୁ ପରମାଣୁ ସକାଶେ
ସେ ଯୁଗେ ଆମେରେ ନତ କଲୁ ଶିରେ
କ୍ଷୁଦ୍ର ଏ ଭୂତାଣୁ ପାଶେ।
ମୋ ଦେଶ ଭାରତ ବିଶ୍ୱେ ପରିଚିତ
ଦ୍ଵିତୀୟ ଲହର ବେଳେ
ଡାକତରଖାନା ରୋଗୀ ପାଇଁ ମନା
ଏ ଘୋର ସଙ୍କଟ କାଳେ।
ରୋଗୀ କରେ ଅଳି ଅମ୍ଳଜାନ ଥଳୀ
ଦିଅ ହେ ଯୋଗାଇ ମୋତେ
ନୋହିଲେ ଜୀବନ ଯିବ ମୋର ଧନ
ଜିଇଁବି କି ଆଉ ସତେ?
ଦୁଇ ଦୁଇ ରୋଗୀ ଏକ ଶେଯେ ଜାଗି
ବିତାନ୍ତି ସେ ଦିନ ରାତି
ସାମାଜିକ ଦୂର ହୁଏ ସାତପର
ବଢ଼ଇ ମରଣ ଭୀତି।
ମିଳେ ନାହିଁ ଖଟ ହ୍ୱନ୍ତି ଛଟପଟ
କେତେ କେତେ ରୋଗୀ ଏଠି
ଡାକନ୍ତି ଏ କାଳେ ପରାଣ ବିକଳେ
ପାରି କର ପ୍ରଭୁ ଘାଟି।
କେତେ ଆଶା ନେଇ ପିତା ଚିନ୍ତି ଥାଇ
ପୁତ୍ର ଦେବ ନିଆଁ ମୁଖେ
ସାହି ପରିଜନେ ପୂରିବେ ଶ୍ମଶାନେ
ରାମ ନାମ ସତ୍ୟ ଡାକେ।
ଛଅ ଖଣ୍ଡ କାଠ ଅଲୋଡ଼ା ହୋଇଚି
ଅନ୍ତିମ ଯାତରା ପାଇଁ
ଖଇ ବିଞ୍ଚି ବିଞ୍ଚି ଗଙ୍ଗା ଜଳ ଛିଞ୍ଚି
ଆଉ କେ' ଯାଆନ୍ତି ନାହିଁ।
ଶବ ଦାହ କଥା ଚିନ୍ତି ଲାଗେ ବ୍ୟଥା
କିସ ହେଲା ଏ ଦୁନିଆ
ମାଳ ମାଳ ଶବ ହେଉଥାଏ ଦାହ
ଲିଭେନି ଶ୍ମଶାନ ନିଆଁ।
ବିଗତ ବରଷେ ରହି ସ୍ୱୟଂ ବାସେ
ନେତା କରୁଥିଲେ ନୀତି
ଏଥର ସେ ନେତା ଭୁଲି ନୀତି କଥା
କଲେ କେତେ ରାଜନୀତି।
ଅମାନିଆ ହୋଇ ସବୁ ଭୁଲି ଯାଇ
କଲେ ରାଜନୀତି ମେଳି
ଆଜି ତାର ଫଳ ଦେଶ ପାଇଁ କାଳ
ଆଣଇ ସଙ୍କଟ ଥଳୀ।
କୁମ୍ଭମେଳା ସମ ଜନ ସମାଗମ
ଡାକି କଲେ ରାଜନୀତି
ସର୍ବେ ଏକାକାର ହୋଇ ନେତା ନର
ଭୁଲିଲେ କୋଭିଡ ନୀତି।
କୋଭିଡ ନିୟମ ରାମବାଣ ସମ
ଏ ଘୋର ବିପତ୍ତି କାଳେ
ବେଳୁ୍ ସାବଧାନ ନ ହୋଇଲେ ଧନ
ଝଡ଼ିଯିବୁ ତୁ ଅକାଳେ।
ତୁଣ୍ଡି ବାନ୍ଧି ମୁଖେ ଦୂରତା ଯେ ରଖେ
ଧୋଇ ବାର ବାର ହାତ
ଭୂତାଣୁ ଦାନବ କାହୁଁ ପ୍ରବେଶିଵ
ସାଥେ ନେଇ ଯମଦୂତ।