ନିଃସଙ୍ଗଚା
ନିଃସଙ୍ଗଚା
ଅପରାହ୍ନ ଯେବେ
ଅପସରି ଯାଏ
ବୟସର ଆକାଶରୁ ,
ନିଃସଙ୍ଗଚା ଆସେ
ନୀରବତା ସାଥେ
ନିରୁଦ୍ଦିଷ୍ଟ ଆୟୁଷରୁ ।
ବିଜନରେ ବସି
ଅଙ୍କ କଷି କଷି
ଭାଗଫଳ ରହେ ଶୂନ ,
ଝରି ଆସେ ଲୁହ
ଅତୀତ ଆଖିରୁ
ଲେଖିବାକୁ ଶେଷମାନ ।
ହରେଇଛି କେତେ
ଫେରେଇଛି କେତେ
ପୁରେଇଛି କେତେ ପୂଣ୍ୟ ,
ଉଧାର ସେରକ
ପାଞ୍ଚପା' ହେଲାଣି
ତଥାପି ପୂରୁନି ମାଣ ।
ସାଥୀ ହେଇ ଥିଲ
କଥା ଦେଇ ଥିଲ
ସାଥି ହେଇ ଯିବା ବୋଲି,
କେମିତି ନିର୍ଦ୍ଦୟ
ହେଲା ସେ ହୃଦୟ
ଏକା କରି ଗଲ ଚାଲି ।
ପୁଅ ଚାଲି ଗଲା
ବୋହୂ ହାତ ଧରି
ଝିଅ ଗଲା ପରଘରି ,
ନିଃସଙ୍ଗତା ସାଙ୍ଗ
ହେଇଛି ସେଦିନୁ
ଗଲା ଦିନୁ ପର କରି ।
ସ୍ୱପ୍ନମାନେ ଯେବେ
ସାକାର ହୁଅନ୍ତି
ଆକାର ପାଏନି ରାତି ,
ଧିକ୍କାର କରେ
ନିଃସଙ୍ଗ ଜୀବନ
ଚିତ୍କାର କରେ ପ୍ରୀତି ।
ନିଃସଙ୍ଗ ଜୀବନ
ଗାଆଁ ଶେଷ ମୁଣ୍ଡ
ମଶାଣି ପଦାର ଜୁଇ
ସ୍ମୃତି କେଞ୍ଚୁ ଥାଏ
ଅପୋଡ଼ା ଦେହକୁ
କେଞ୍ଚଡ଼ା ବାଡ଼ିଟେ ହେଇ ।
ଜୀବନ ସାଥୀର
ଅଭାବକୁ କେହି
ପାରେନା ପୂରଣ କରି ,
ସବୁ ଥାଇ କିଆଁ
ଲାଗେ ଖାଁ ଖାଁ
କେହି ବି ନଥିଲା ପରି ।
ନିଃସଙ୍ଗ ଜୀବନ
ଚକୋରୀର ସମ
ଦିନଠୁଁ ରାତିଟା କଷ୍ଟ ,
ଚା' ପିଆଲାରୁ
ଚତୁର୍ଥ ପ୍ରହର
ନିଛାଟିଆ ଚଲା ବାଟ ।