ଭକ୍ତର ଭଗବାନ
ଭକ୍ତର ଭଗବାନ
ଗୋଟେ ଦିନ ଅଫିସରେ ଥିଲା ବେଳେ କାଳବୈଶାଖି ହେଲା. ସମସ୍ତେ କିଛି ଖାଇବା ପିଇବା କରିବା ପ୍ରସ୍ତାବରେ ରାଜି ହୋଇ ବୁଢା ପିଅନ ରାଜୁକୁ ପଚାରିଲେ ତ ସେ ରାଜି. ଏଇ କଥାତ ବାବୁ, କେତେ କେତେ ସାହେବ ହାକିମମାନଙ୍କୁ ରାଜୁର ଏ ହାତ କେତେ ସୁସ୍ୱାଦୁ ଖାଦ୍ୟ କରି ପରଷି ଦେଇଛି ଆଉ ଆଜି ସେ ହାତ ଏଇ ପକଡି, ବରା, ଆଳୁଚପ ଦିଇଟା ସହ ମଟର ଘୁଗୁନି ଟିକେ କଣ କରିପାରିବ ନାହିଁ?
ସମସ୍ତେ ଖୁସି ହୋଇଗଲେ. ହାକିମ, କିରାଣୀ ପିଅନର ଭାବ ଭେଦ ଭୁଲି ଲାଗିପଡିଲେ. ବୁଢାଲୋକ ରାଜୁ ମଉସାଙ୍କୁ ଏବେ ଭଲ ଦେଖା ଯାଉନି. ଏକା ଏକା ଏତେ ସବୁ ତାଙ୍କ ଉପରେ ଛାଡ଼ିଦେବା ଅନୁଚିତ ଭାବି ସମସ୍ତେ ଲାଗିପଡିଲେ. କିଏ ପିଆଜ କାଟିଦେଲେ ତ କିଏ ସିଝା ଆଳୁରୁ ଚୋପା ଛାଡେଇଦେଲେ. କାଳବୈଶାଖି ତା ବାଟରେ. ଏ ଗରମରେ ତେଲଭାଜି ବହୁତ ଦିନ ହେଲା ପାଟିରେ ବାଜିନି. ଘରେ ମାଆ, ଭାଉଜ, ଭଉଣୀ ଏମିତିକି ସ୍ତ୍ରୀମାନଙ୍କର ବାରଣ ଅଂଶୁଘାତ ହୋଇଯିବ କାଳେ!
ସବୁ ରେଡ୍ଡୀ. ସମସ୍ତେ ଗୋଲ ଟେବୁଲ ଚାରିପଟେ ବସିଗଲେ. ହାକିମ ଏକଦମ ପିଲାଲୋକ.ପିଜି ସରୁ ସରୁ ପାଇଯାଇଛନ୍ତି କମ୍ପିଟିଟିଭ. ତ ଅଶୋକ ସମ୍ଭାଳି ନପାରି ଆଳୁଚପଟିକୁ ଦୁଇଭାଗ କରି ଭାଗେ ପାଟିରେ ପୁରେଇ ଆରଫାଳକୁ ଚାହିଁ ଚମକି ପଡିଲେ. ଅହଃ ଅହଃ ହୋଇ ଥୁ ଥୁ କରି କାଢିପକେଇ ବେସିନ ଉପରେ ହାମୁଡ଼େଇ ପଡିବା ଦେଖି ସମସ୍ତେ ଉଠି ଆସି ଦେଖିଲେ ସଦ୍ୟ ତେଲୁଗୁଣିଟା ଛାଣି ହୋଇ ଲେପଟେଇ ଲାଗିରହିଛି ଗୋଟେ ଫାଳେ. ଦଉଡି ଆସିଲା ରାଜୁ. ବାହାରେ ଛୁଆ ଦିଇଟା ମାଗୁଥିଲେ ବାବୁ କିଛି ମିଳିବ. ବାବୁମାନେ ଉଠିଯାଇଥିଲେ ଖାଦ୍ୟଥାଳି ଛାଡ଼ି. ରାଜୁ ମୁଣ୍ଡରେ ହାତ ଦେଇ ବସିପଡିବା ପୂର୍ବରୁ ଛୁଆ ଦିଇଟା ଡାକ ପକାଉଥିଲେ ଭାରି ଭୋକ.. କିଛି ଦେବ ବାବୁ?
ରାଜୁ ବାହାରକୁ ଗଲା. ଛୁଆ ଦୁଇଟାଙ୍କୁ ଚାହିଁଲା. ସବୁ ସତ କଥା କହି ପଚାରିଲା ତାକୁ ଖାଇ ତୁମର ଯଦି କିଛି ହୋଇଯାଏ? କଣ ଆଉ ହେବ ମଉସା. ଏମିତି ଭୋକ ଦାଉରେ ସବୁଦିନ ମରିବା ଅପେକ୍ଷା ଦିନେ ମରିଯିବା ବରଂ ଭଲ କହି ପ୍ଲେଟ ପରେ ପ୍ଲେଟ ଉଠାଇ ନେଇ ଖାଇ ପୁଣି ଝୋଲା ମୁଣୀରେ ଭରୁଥିଲେ ସେମାନେ.ଝୁଲାମୁଣିରେ କାହା ପାଇଁ ନେଉଛ. ଆମେ ଯାହା ଖାଉ ଆମ ପିତାମାତା ରୂପୀ ଭଗବାନଙ୍କୁ ଦେଇଥାଉ କହି ଆଖିପିଛୁଳାକେ ଚାଲିଗଲେ ପିଲା ଦୁଇଟି.ତା ପରଦିନ ଅଫିସରେ ଗୁମସୁମ ପରିସ୍ଥିତି. ରାଜୁ ମଉସା ନୀରବତା ଭାଙ୍ଗି ପଚାରୁଥିଲେ ଆଜିର ଖବର କାଗଜରେ କିଛି ଅପ୍ରିତିକର ପରିସ୍ଥିତିରେ ପଡି ବା ବିଷାକ୍ତ ଖାଦ୍ୟ ଖାଇ କେହି ମୃତ୍ୟୁ ମୁଖରେ ପଡିବା ଖବର ବାହାରିନି ତ ବାବୁ? ଅଶୋକ କହୁଥିଲେକି ଆମେ ତ କେହି ଖାଇନୁ. ପ୍ରଭୁଙ୍କ ଦୟାରୁ ପ୍ରଥମ ଆଳୁଚପ, ପୁଣି ମୋ ହାବୁଡ଼ରେ ପଡି ସତ ଜାଣିଗଲା ପରେ ଆମେ କଣ କେହି ଖାଇଛୁ ଯେ ବିଷାକ୍ତ ଖାଦ୍ୟ ଖାଇ ମରିବା ଖବର ବାହାରିଥାନ୍ତା!ଏତିକି ବେଳେ ବାହାରେ ସେଇ ଦୁଇ ଛୁଆ ଡାକୁଥିଲେ ବାବୁ ଆଜି କିଛି ମିଳିବ. ହସିଲେ ରାଜୁ କହିଲେ ନାହିଁ ନାହିଁ କେହି ମରିନାହାଁନ୍ତି କହି ପିଲାଦିଇଟିଙ୍କ ପାଖକୁ ଆଗେଇ ଗଲାବେଳେ ପଛରୁ କେହି କହୁଥିଲେକି ବୁଢା ଲୋକ. ଏକରେ ଦିଶୁନି ପୁଣି ଅବସର ପାଖେଇ ଗଲାଣି ତ ମୁଣ୍ଡ କାମ କରୁନି. ରାଜୁ ମଉସା କିନ୍ତୁ ପିଲା ଦୁହିଁଙ୍କ ଦେହ ମୁଣ୍ଡ ଆଉଁସି ପଚାରୁଥିଲେ ତୁମର କାହାର କିଛି ହୋଇନିତ?
ପାଖକୁ ଲାଗି ରହୁଥାଏ ବୁଢ଼ୀଟିଏ.ବୁଢ଼ୀର କେହି ନଥାନ୍ତି. ମୁଢ଼ି ଭାଜି ବୁଢ଼ୀ ଚଳେ.ସେଇଥିରେ ନିଜ ଗୁଜୁରାଣ ସହ ଗାଈ ନେତପାଇଁ କିଛି ଖର୍ଚ୍ଚ କରିବା ପୂର୍ବରୁ କିଛି ନା କିଛି ସମର୍ପଣ କରେ ଭଗବାନଙ୍କୁ. କୋଉଦିନ ନିଜେ ଓପାସ ରହିଯାଏ ପଛେ ଭଗବାନଙ୍କୁ ଚିନି କି ଗୁଡ଼ ଟିକେ ହେଲେ ଦେବାକୁ ଭୁଲେ ନାହିଁ କି ପେଟରେ ଯେତେ ଭୋକ ଥିଲେ ବି ନେତ କଥା ବୁଝି କାଟି ଆଣିଥାଏ କଅଁଳ ଦୁବଘାସ ଦିଟା. ମାଗିଆଣି ଥାଏ ଘର ଘର ବୁଲି ପଖାଳ ପାଣି ସହ ପେଜ ମୁନ୍ଦାକ.
ଏବେ ଡହ ଡହ ତାତି. ଖରା ଗରମରେ ଫାଟିଯାଉଛି ଛାତି. ଖାଲି ପାଦରେ ଚାଲିହେଉନି କି ଦୁବ ଘାସ ମିଳୁନି. ସେଦିନ ନିଜ ପାଇଁ କି ନେତ ପାଇଁ କିଛି ଯୋଗାଡ଼ ନକରି ପାରି ମନଦୁଃଖରେ ଶୋଇଥାଏ ବୁଢ଼ୀ. ପେଟରେ ଦାନା ନାହିଁ. ନିଆଁ ବର୍ଷୁଛି ଆକାଶରୁ ଯେମିତି. ବେପାର ମାନ୍ଦା. ଭଗବାନଙ୍କୁ ଡାକିଲା ବୁଢ଼ୀ ପ୍ରଭୁହେ ତୁମକୁ ଲାଗିଲା ମୋ ନେତ ଆଉ ମୋ ଛାତ.. ତୁମକୁ ଲାଗିଲା ପ୍ରଭୁ.
କାଳବୈଶାଖି ତାଣ୍ଡବ ରଚିଗଲା. ଗାଈ ନେତର ପଘା ଫିଟାଇ ଆକୁଳରେ ଠାକୁରଙ୍କ ପାଦ ତଳେ ପଡିରହିଲା ବୁଢ଼ୀ. ସେ ଜାଣିଥିଲା ନେତର ପଘା ଫିଟାଇ ଦେଇଛି ସେ ହୁଏତ କୁଆଡେ ଯାଇ ଆଶ୍ରୟ ନେଇଯିବ କିନ୍ତୁ ତା ପ୍ରଭୁଙ୍କୁ ଛାଡ଼ି ସେ କୁଆଡେ ଯିବନି. ଆଖି ନଖୋଲି ପ୍ରଭୁଙ୍କ ପାଦ ତଳେ ପଡିଥାଏ ସେମିତି ନିର୍ଜୀଵଙ୍କ ଭଳି.
ହଠାତ ସୁଉ ସୁଉ ଗର୍ଜ୍ଜନ ଓ କାଳବୈଶାଖିର ତାଣ୍ଡବ ଛାଡିଗଲା. ବୁଢ଼ୀ ଡରି ଡରି ଆଖି ଖୋଲିଲା. କଣ ଦେଖୁଛି ସେ ତା କଣା ଚାଳ ଉପରେ?କି ସୁନ୍ଦର ପାଲ ପଡିଛି. ଅଗଣା ସାରା ଅମୃତଭଣ୍ଡା, ନଡ଼ିଆ ଓ ଆମ୍ବରେ ଭରି.ଆଉ ଗୁହାଳରେ ନେତ ଉଡିଆସିଥିବା ସଜନା ଡ଼ାଳ ଖାଉଛି. ଗୁହାଳ ଉପରେ ବରଡ଼ା ପଡି ଘୋଡେଇ ହୋଇଛି ଛାତ. ବୁଢ଼ୀ ଆଖିରେ ଚମକ ଦଉଡି ଗଲା ଠାକୁରଙ୍କ ପାଖକୁ କହିଲା ପ୍ରଭୁ କାହା ତମ୍ଭୁ ପାଲ କିଏ ଖୋଜୁଥିବ, କାହା ନଡ଼ିଆ ଗଛ ସଜନା ଗଛ, ଅମୃତଭଣ୍ଡା ଗଛ ଭାଙ୍ଗିଥିବ, କାହାକୁ କି ବିପତ୍ତି ପଡ଼ିଥିବ ତାଙ୍କୁ ରକ୍ଷାକର ପ୍ରଭୁ.
ସାହିତ୍ୟ ଆସରରୁ ଉଡିଆସିଥିବା ତମ୍ଭୁ ପାଲ ସେମାନେ ନେଇନଥିଲେ. ନଡ଼ିଆ, ଆମ୍ବ, ପଇଡ଼ କି ଅମୃତଭଣ୍ଡା କେହି ଖୋଜିନଥିଲେ କିନ୍ତୁ ବୁଢ଼ୀ ଡାକ ଛାଡୁଥିଲା ମୁଢ଼ି ନେବ ମୁଢ଼ି... ପଇସା ନେବିନି ଦେବି ଛାଡ଼ି.ସେହି ପିଲା ଦ୍ବୟଙ୍କ ସହ ଅନେକ ପିଲା ତ ଆସିଥିଲେ. ତା ଭିତରେ ଅଫିସର ସମସ୍ତ କର୍ମଚାରୀ ମଧ୍ୟ ଥିଲେ. ରାଜୁ ମଉସା ଆଜି ମୁଢ଼ି ପାଗ କରିବା କିନ୍ତୁ ଜବରଦସ୍ତ ବୁଢୀକୁ ପଇସା ଦେବାକୁ ଭୁଲିନଥିଲେ ସେମାନେ ।