ଅମଙ୍ଗୁଳିଆ
ଅମଙ୍ଗୁଳିଆ
ବୟସର ଅପରାହ୍ନ ରେ ପାଦ ଦେଇ ଅତୀତର ସ୍ମୃତି ସହ ବଞ୍ଚି ରହିଛି ମଦନ।ବୟସ ପଚାଶ ରୁ ଅଧିକ। ଗାଁ ସାରା ସଭିଏଁ କହନ୍ତି ସେ କୁଆଡେ଼ ଅମଙ୍ଗୁଳିଆ । ତା ମୁହଁ ଚାହିଁ କୁଆଡେ଼ ଗଲେ ହେବା କାମ ବି ଅଟକି ଯାଉଛି।ସେମାନଙ୍କୁ କିଏ ବୁଝାଇବ।ଦିନ ଥିଲା ସବୁ ଶୁଭ କାମରେ ମୋତେ ଖୋଜା ହେଉଥିଲା ।କେଉଁ କାରଣରୁ ଗାଁ ଲୋକେ ମୋତେ ଅମଙ୍ଗୁଳିଆ କହୁଛନ୍ତି,ତାହା ସେମାନଙ୍କୁ ଜଣା ।
ସେମିତି କିଛି ଅବଗୁଣ ନ ଥାଇ ବି ଲୋକଙ୍କ ମୁଖରେ ସେଇ ଅପବାଦ କଥା। ଅଯଥା ଯୁକ୍ତି ତର୍କ ରୁ କଣ ମିଳିବ।ଯିଏ ଯାହା କହୁଛି କହୁ।
ରାତି ସାରା ବିଛଣାରେ ପଡି ରହି ଆଖିକୁ ନିଦ ନାହିଁ।ପାଖରେ ବି କେହି ନାହିଁ। କିଛି ଦିନ ହେଲା ସ୍ତ୍ରୀ ବି ଆର ପାରି କୁ ଚାଲିଗଲା ।ପିଲାମାନେ ସବୁ ଚାକିରି କରି ବାହାରେ ରହିଛନ୍ତି।ମନରେ ପଛ କଥା ଗୋଳେଇ ଘାଣ୍ଟି ହେଉଛି।ଆଉ ବେଶି ସମୟ ବିଛଣାରେ ପଡି ରହିବା ଭଲ ଲାଗି ନ ଥିଲା।
ସକାଳୁ ଘର ପିଣ୍ଡା ରେ ବସିଛି ।ଦାନ୍ତ କାଠି ଧରି ଥୁ ଥୁ ହେଉଛି।ପଡୋଶୀ ଘର ଭେଣ୍ଡିଆ ପୁଅ ମକରା ବାହାରିଛି କୁଆଡେ଼ ଯିବ ବୋଲି।ଘର ଭିତରକୁ ଯାଉଛି ,ପୁଣି ବାହାରକୁ ଆସୁଛି ,ହେଲେ ଆଗକୁ ଯାଉ ନାହିଁ।ବୋଧେ କାହାକୁ ଅପେକ୍ଷା କରିଛି। କିନ୍ତୁ ଏତେ ସକାଳୁ ଗାଁ ସାରା କେହି ଜଣେ ବାହାର କୁ ବାହାରି ନାହାନ୍ତି।ମଦନ ଆଉ ସମ୍ଭାଳି ନ ପାରି
ମକରା କୁ ପଚାରି ଦେଲା,"" କୁଆଡେ଼ ଦୂରକୁ ଯିବୁ କି'ରେ"।କଥା ଏକ ବିଷମ ସମସ୍ୟା ସୃଷ୍ଟି କଲା।
ମକରା ର ରାଗ କହିଲେ ନ ସରେ।ଦୁଇ ପଦ କଡ଼ା ଭାଷାରେ ଶୁଣେଇଲା," ଯୁଆଡେ ଯାଉଛି,ଯଦି ସେଇ କାମ ବିଗିଡି ଗଲା,ତାହା ହେଲେ ତୁମ କଥା ଫେରିଲେ ବୁଝିବି"।
ମକରା ସହର ମୁହାଁ ହେଲା।ଠିକ୍ ସମୟରେ ସାକ୍ଷାତକାର ସ୍ଥଳରେ ପହଞ୍ଚି ଗଲା।କିନ୍ତୁ କାହାର ବି ଦେଖା ନାହିଁ।କାରଖାନା ରେ ଚାକିରି ମିଳିବା ପାଇଁ ଆଜି ତ ସାକ୍ଷାତକାର ଅଛି।ହେଉ,ଦେଖିବା କଣ ହେଉଛି ।ବାହାରେ ସିମେଣ୍ଟ ବେଞ୍ଚ ରେ ବସି ବସି ଆଖି କୁ ନିଦ ଆସି ଯାଇଥିଲା। ଏ ଭିତରେ ସମୟ ସକାଳ ଏଗାର ହୋଇ ଗଲାଣି।କିଏ ଗୋଟେ ଜୋର୍ ରେ ମକରା ମକରା ବୋଲି ଡାକ ଛାଡୁଛି । ମକରା ଆଉ ନିଦରେ ନ ଢୋଳେଇ ସିଧା ନାଁ ଧରି ଡାକୁ ଥିବା ଭଦ୍ର ବ୍ୟକ୍ତିକୁ ପଚାରିଲା,କାହିଁକି ଦାକିଲ କୁହ,ମୋ ନାଁ ମକରା।
ସେ ଭଦ୍ର ବ୍ୟକ୍ତି ଜଣକ ହେଲେ ପିଅନ।ତାକୁ ଯାହା ସୂଚନା ମିଳିଛି ସେଇୟା ମକରା କୁ କହିଲା ।ପନ୍ଦର ଜଣ ନାମ ଦେଇଥିଲେ,କେହି ଆସି ନାହାନ୍ତି।ଶେଷ ନାଁ ମକରା।ଯାହା ହେଉ,ତୁମେ ଭିତରକୁ ଯାଇ ବାବୁ ମାନଙ୍କୁ ଦେଖା କର।ତୁମେ ବୋଧେ ଆସିଲା ବେଳେ ଭଲ ମୁହଁ ଦେଖି ଘରୁ ବାହାରିଛ!,ତୁମର ଚାକିରି ଥୁଆ।
ମକରା ଆଉ ଡେରି ନ କରି ସାକ୍ଷାତକାର ରୁମ୍ ଭିତରକୁ ଗଲା,ମାତ୍ର ପାଞ୍ଚ ମିନିଟ ପରେ ହସି ହସି ସେଇ ରୁମ୍ ରୁ ବାହାରିବା ଦେଖି,ପିଅନ ପଚାରିଲା, କଣ ବାବୁ,ହେଇ ଗଲା କି?
ହଁ ହଁ କହି ପିଅନ ସହିତ ହାତ ମିଶେଇ ପିଅନ ପକେଟ ରେ କିଛି ଟଙ୍କା ଉପହାର ସ୍ବରୂପ ଭର୍ତ୍ତି ବି କଲା।ହେଲେ,ପିଅନ ବିଚରା ପୁଣି ପଚାରିଲା,ଭିତରେ ବାବୁ ମାନେ କଣ ସବୁ କହିଲେ ଓ ପଚାରିଲେ। ମକରା ଏକା ନିଃଶ୍ବାସ ରେ କହିଲା, ଭିତରେ ବାବୁ ମାନେ ମୋ ଗାଁ ନାମ ପଚାରିଲେ।କହିଲେ ସେଇ ଗାଁ ର ମଦନ କୁ ଜାଣିଛ? ମୁଁ ହଁ କହିଲି,ଆଉ କହିଲି ମୁଁ ଆସିଲା ବେଳେ ସେ ପିଣ୍ଡା ରେ ବସିଥିଲା। ବାସ୍ ସେତିକି କଥା। ତା' ପରେ ମୋତେ ନିଯୁକ୍ତି ପତ୍ର ଦେଇଦେଲେ।ହେଲେ ମୁଁ ବୁଝି ପାରୁନି,ମଦନ ତ ଆମ ଗାଁ ରେ ଜଣେ ଅମଙ୍ଗୁଳିଆ ଲୋକ ବୋଲି ସଭିଏଁ ଜାଣନ୍ତି। ତା ନାଁ କାହିଁକି ପଚାରିଲେ।
ବୁଢ଼ା ପିଅନ।ସେ ବି ଜାଣିଛି ମଦନ ନାମରେ ଜଣେ ଲୋକ ଏଇଠି କାମ କରୁଥିଲା ।ଯେବେ କିଛି ଶୁଭ କାମ ବା ନୂଆ କାମ ଆରମ୍ଭ ହେଉ ଥିଲା
, ମଦନ କୁ ଖୋଜା ହେଉଥିଲା। ତା ହାତ ଲାଗି ଅନୁକୂଳ ହେଲେ ସେଇ କାମ ଭଲ ହେଉଥିଲା।
ଯାହା ହେଉ,ତୁମେ ସେଇ ମଦନ ଗାଁ ଲୋକ।ଭଲ ହେଲା।
ସନ୍ଧ୍ୟା ନ ହେଉଣୁ ମକରା ଗାଁ ରେ ପହଞ୍ଚି ଯାଇଥିଲା।ହାତରେ ମିଠେଇ ଧରି ପ୍ରଥମେ ମଦନ କୁ ଖୁଆଇଲା।ମଦନ କୁ ମୁଣ୍ଡିଆ ମାରିଲା।ହେଲେ ମଦନ କୁ କିଛି ନ ପଚାରି ନିଜ ଘର କୁ ଗଲା।
ମଦନ ବିଷୟରେ ସବୁ କାନ କୁହା କଥା ଭୁଲ୍ ବୋଲି ପ୍ରଥମେ ନିଜ ଘର ଲୋକଙ୍କୁ କହିବା ସହିତ କ୍ରମେ ଗାଁ ସାରା କହି ବୁଲିଲା।
ଅଯଥା ଭଲ ଲୋକକୁ ଅମଙ୍ଗୁଳିଆ କହି
ନିନ୍ଦା କରିବା କେତେ ନିନ୍ଦୁକଙ୍କ ସହଜାତ ପ୍ରକୃତି
ବୋଲି ନିଜେ ବୁଝି ଅନ୍ୟ ମାନଙ୍କ ମନରେ ବିଶ୍ଵାସ ସୃଷ୍ଟି କଲା।କ୍ରମେ ମଦନ ସହିତ ସଭିଏଁ ଭଲରେ ମିଳାମିଶା କଲେ।ଆଉ ଆଗ ପରି ସେଇ ଆଖ୍ୟା କାହା ମୁଖରୁ ଶୁଣା ଯାଉ ନାହିଁ।ମଦନ ବି ଟିକିଏ ଆଶ୍ୱସ୍ତି ଅନୁଭବ କରୁଛି ଯେ,ଆଗରେ ବା ପଛରେ ଆଉ କେହି ଅମଙ୍ଗୁଳିଆ କହୁ ନାହାନ୍ତି ।ବୋଧେ ମକରା ସେମାନଙ୍କୁ କିଛି କହି ବୁଝାଇ ଦେଇଛି।
ଭଲ କଥା, ମୁଁ କଣ ସତରେ ଅମଙ୍ଗୁଳିଆ.ନିଜକୁ ନିଜେ ପଚାରୁଛି ମଦନ ।