Bidyadhar Mantry

Romance

3  

Bidyadhar Mantry

Romance

ଭୁଲ୍ ହୋଇଗଲା ତୋତେ ଭଲ ପାଇ

ଭୁଲ୍ ହୋଇଗଲା ତୋତେ ଭଲ ପାଇ

3 mins
13



ଆଖି ବୁଜି ଭଲ ପାଉ ଥିଲା ମାଧବ।

ପିଲା ଦିନର ସାଙ୍ଗ ନନ୍ଦିନୀ, ଘର ଠୁ ଅଳ୍ପ ଦୂରରେ ତା ଘର।ପିଲା ଦିନରୁ ବାଲି ଖେଳ ଠାରୁ ଆରମ୍ଭ ସେଇ ସମ୍ପର୍କ।ବୟସର କୃଷ୍ଣ ଚୁଡ଼ା ଛୁଇଁଲା ପରେ ନନ୍ଦିନୀ ଆହୁରି ସୁନ୍ଦର ଲାଗିଲା।ମାଧବ ମନେ ମନେ ସୁନ୍ଦରତା ଉପଭୋଗ କରି ନିଜକୁ ସବୁ ବେଳେ ଖୁସି ଅନୁଭବ କରେ।

ଘର ଠୁ ଅଳ୍ପ ଦୂରରେ ଯାତ୍ରା। ପଣା ସଂକ୍ରାନ୍ତି ଉପଲକ୍ଷେ ନାହିଁ ନ ଥିବା ଭିଡ ।ଭିଡ ଭିତରେ ମାଧବ ନନ୍ଦିନୀକୁ ଲକ୍ଷ୍ୟ କରିଛି।ଖୋଜିଲା ଖୋଜିଲା ଆଖିରେ ଏ ପେଟ ସେପଟେ ଚାହୁଁଛି ନନ୍ଦିନୀ।ଆଉ ନିଜକୁ ଦୂରରେ ନ ରଖି ମାଧବ ନନ୍ଦିନୀର ପଛ ପଟେ ଯାଇ ଆଖି ବନ୍ଦ କରିବା ଆଗରୁ ନନ୍ଦିନୀ ବୁଲି ଦେଖି ଦେଇଛି ।ଦୁହେଁ ଦୁହିଁଙ୍କୁ ନିକଟରେ ପାଇ ବହୁତ ଖୁସି ।ଭୀଷଣ ଭିଡ ଭିତରେ ଅଣନିଃଶ୍ବାସୀ ଅନୁଭବ କରି ଦୁହେଁ ନିରୋଳା ଜାଗା ଖୋଜିବାକୁ ଲାଗିଲେ ।ପାଖରେ ଗଛଟିଏ ।ଗଛ ଛାଇରେ ଦୁହେଁ ହାତ ଧରା ଧରି ହୋଇ ବସିଛନ୍ତି । ହସ ଖୁସି କଥା ବାର୍ତ୍ତା ବି ଚାଲିଛି । ଆଉ ପିଲା ଦିନ ପରି ଟଣା ଓଟରା ନାହିଁ। କିନ୍ତୁ ଖୋଲା ଖୋଲି କଥା ବାର୍ତ୍ତା ଚାଲୁ ରହିଛି ।

ଘର ପାଖ ଲୋକଙ୍କ ନଜରରେ ଦୁହେଁ ଛାପି ହୋଇଗଲେ । ଏ କାନରୁ ସେ କାନକୁ କଥା ଘୁରି ବୁଲିଲା,ଯିଏ ବା ଘର ପାଖ ଲୋକ ଯାତ୍ରା ଦେଖିବାକୁ ଯାଇଥିଲେ ଦୂରରୁ ହେଉ ବା ପାଖକୁ ଯାଇ ନ ଜାଣିଲା ପରି ଘେର ଟିଏ ମାରି ଆସିଲେ।

କଥା ଆଉ ସେଇଠି ଅଟକି ନ ଥିଲା ।ତା ପର ଦିନ ନନ୍ଦିନୀ ଘର ତରଫରୁ ମାଧବକୁ ସତର୍କ କରି ଦିଆଗଲା ।ନନ୍ଦିନୀ ଠାରୁ ଦୂରରେ ରହିଲେ ଉଭୟ ପରିବାରର ମଙ୍ଗଳ ହେବ ବୋଲି ସୂଚାଇ ଦିଆଗଲା ।

ମାଧବର ସ୍ଵପ୍ନ ଦେଖିବା ଆଶା ଜୀବନ୍ତ କରିବା ପାଇଁ ନନ୍ଦିନୀକୁ ଭେଟିବାକୁ ଚେଷ୍ଟା ଜାରି ରହିଲା ...ଯଦିଓ ନନ୍ଦିନୀକୁ ଦେଖୁଥିଲା,ଆଉ ସାହସ ନ ଥିଲା ସିଧା ସଳଖ ଯାଇ କିଛି ପଚାରିବାକୁ।କାଲି ଯିଏ ସାଥୀ ହୋଇ ସାରା ଜିବନ ରହିବା କହୁଥିଲା,ଆଜି ମୁଣ୍ଡ ତଳକୁ କରି ଯାଉଛି ।ଆଗ ପରି ଆଉ ଚଂଚଳତା ନାହିଁ କି ସେଇ ଫିକ୍ କରି ହସିବା ନାହିଁ ।ଘର ପାଖରେ ଘର ।ସବୁ ଖବର ବି ସାଙ୍ଗେ ସାଙ୍ଗେ ମିଳି ଯାଉଛି ।ନନ୍ଦିନୀ ପାଇଁ କୁଆଡେ଼ ପ୍ରସ୍ତାବ ଠିକ୍ ହୋଇଛି ।ନନ୍ଦିନୀର ବାରଣ ସତ୍ତ୍ୱେ ପ୍ରସ୍ତାବକୁ ସ୍ଵିକୃତି ବି ମିଳି ସାରିଛି।

     ମାଧବର ସବୁ ଚେଷ୍ଟା ବିଫଳ।ଏକୁଟିଆ ଦେଖା ହୋଇ ନିଜ କଥା କିଛି କହିବାକୁ ।ସୁଯୋଗକୁ ଅପେକ୍ଷା କରିଛି ମାଧବ।ଆଉ ସୁଯୋଗ ବି ପୁଣି ଆସିଛି ।ଏକ ବିବାହ ଉତ୍ସଵ ଅବସରରେ ନନ୍ଦିନୀକୁ ଭେଟି ମନ କଥା ଖୋଲି କହିଲା....

"ଆରେ ପାଗଳୀ,ତୁ ମୋ ସାଙ୍ଗ,ସାଥୀ ପିଲା ଦିନର।ଜୀବନ ସାଥି ଯଦି ହୋଇ ପାରିବା ପାଇଁ ଆମକୁ ସୁଯୋଗ ମିଳିଲା ନାହିଁ,ଠିକ୍ ଅଛି,ଦୁଃଖ କାହିଁକି,ମୋର ଭୁଲ୍ ହୋଇଗଲା ତୋତେ ଭଲ ପାଇ...ସେ ଭୁଲ୍ ର ସଂଶୋଧନ ପାଇଁ ଉପାୟ ଅଛି,କିନ୍ତୁ ମୁଁ ସେ ଉପାୟ ଚାହୁଁ ନାହିଁ,ତୋତେ ସମସ୍ତ ଙ୍କ ଅଜାଣତରେ ନେଇ କୁଆଡେ଼ ହଜି ଯିବାକୁ।ସେ ଭୁଲ୍ ଆମର ଭୁଲ୍ ହୋଇ ରହୁ।ତୋ ମୁହଁରେ ହସ କିନ୍ତୁ ସବୁବେଳେ ଚମକି ଥାଉ। ବାସ୍ ଏତିକି କହିବା ପାଇଁ ତୋତେ ନିକଟରେ ଖୋଜୁଥିଲି। ଆମେ ସାଙ୍ଗ ହୋଇଥିଲେ,ସାଙ୍ଗ ହୋଇ ରହିବା...."

ମାଧବ ସହିତ ଆଉ ନନ୍ଦିନୀର ଭେଟ ହୋଇନାହିଁ।ମାଧବର ସେଇ ଭୁଲ୍ ହୋଇଯିବା କଥା ପଦକ ଆଜି ନନ୍ଦିନୀ ର ଭାରି ମନେ ପଡୁଛି।ବିବାହର କୋଡ଼ିଏ ବର୍ଷ ପରେ ନିଜ ଝିଅକୁ ଭଲ ପାଉଥିବା ପୁଅ ମୁହଁରୁ ସେଇ ମାଧବ କହିଥିବା କଥା ଶୁଣି ।ସେଇ ଭୁଲ୍ ମାଧବର ନ ଥିଲା।ନନ୍ଦିନୀ ନିଜକୁ ନିଜେ କହି ଚାଲିଛି..."ସେଇ ଭୁଲ୍ ଆମ ସମୟର ଏକ ସାମାଜିକ ବ୍ୟାଧି ଥିଲା "

ନିଜକୁ ନିଜ ଝିଅ ଆସନରେ ରଖି,ଝିଅକୁ ପାଖକୁ ଡାକି ନନ୍ଦିନୀ କହିଲା ..."ମୋ ଜୀବନରେ ବି ସେଇ ଦୁଃଖ ଥିଲା । କେତେ ଯନ୍ତ୍ରଣା ସହ୍ୟ କରିଛି, ମୁଁ ଜାଣେ,ହେଲେ ତୁ ସେମିତି ହେବାକୁ ସୁଯୋଗ ନ ଦେଲେ ଭଲ ହେବ,ସେ ପୁଅକୁ ଭେଟ ହୋଇ ଥରେ କହ...ତୁମ ଭଲ ପାଇବା ଭୁଲ୍ କୁ ମୁଁ ଠିକ୍ କରିବାକୁ ପ୍ରସ୍ତୁତ"

ନନ୍ଦିନୀର କଥା ଶୁଣି ତା ଝିଅ ,ନନ୍ଦିନୀ କୋଳରେ ମୁଣ୍ଡ ଗୁଞ୍ଜି ରହିଛି.....ବୋଧ ହୁଏ,ମାର ସେଇ ପଦକ କଥାରେ ସବୁ କିଛି ପାଇ ଯାଇଛି...!




Rate this content
Log in

Similar oriya story from Romance