ଜଉ ଘର
ଜଉ ଘର
ନନ୍ଦିନୀ ର ବିବାହ ବୟସ ଅତିକ୍ରମ କରିବା ପରେ ନିଜ ବାପା-ମା ଙ୍କ ରୋଜଗାର କାମରେ ସାହାଯ୍ୟ କରୁଥିଲା।ଗରିବ ଝିଅ ବୋଲି ମନରେ ଦୁଃଖ ନ ଥିଲା।ଦୁଃଖୀ ଥିଲେ ଜନ୍ମ କଲା ବାପା-ମା।ଅର୍ଥାଭାବରୁ ଝିଅ ବାହା ହୋଇ ନ ପାରି ଘରେ ବାନ୍ଧି ହୋଇ ରହିଲା।ପାଞ୍ଚ ଭାଇ ଭଉଣୀ ଭିତରେ ନନ୍ଦିନୀ ବଡ।ପିଲା ଦିନରୁ ସ୍କୁଲ୍ କଣ ଜାଣି ନାହିଁ।
ଘର ର ଯାବତୀୟ କାମ କରି ଅନ୍ୟ ଭାଇ ଭଉଣୀ ମାନଙ୍କ ପାଠ ପଢ଼ା କଥା କେବଳ ବୁଝୁ ଥାଏ।
କ୍ରମେ ବାପାଙ୍କର ଦେହ ଖରାପ ହୋଇ ଘର ଭିତରେ ଶଯ୍ୟାଶାୟୀ। ଚେର ମୁଳି ଔଷଧ ଖାଇ ବଞ୍ଚି ରହିଛନ୍ତି। ଭଲ ଡାକ୍ତର ଙ୍କୁ ଦେଖେଇବାକୁ ବି ପଇସା ନାହିଁ।ଦିନ ମଜୁରିଆ ହୋଇ ନନ୍ଦିନୀ ଘର ପାଇଁ ମୁଠାଏ ଖାଇବା କେବଳ ଯୋଗାଡ କରି ପାରୁଛି। ମାଆ ବି ମୂଲ ଲାଗିବାକୁ ଯାଉଥିଲା, ହେଲେ ଆଣ୍ଠୁ ବାତ ରୋଗ ରେ ଆକ୍ରାନ୍ତ ହେଲା ପରେ ଘରୁ ନ ଯାଇ,ଘର କଥା ବୁଝୁଛି।ନନ୍ଦିନୀ ତଳକୁ ଭାଇ ଏବେ ରୋଜଗାର ପାଇଁ ଅଣ୍ଟା ଭିଡ଼ିଛି।ନିଜ ପାଠ ପଢା ଛାଡ଼ି ସେ ବି ଦିନ ମଜୁରିଆ ହିସାବରେ ଦି ପଇସା ରୋଜଗାର କରୁଛି।ଅନ୍ୟ ତିନି ଭାଇ ଭଉଣୀ କେବଳ ସ୍କୁଲ୍ ଯାଉଛନ୍ତି।ଯେଉଁଠିକୁ ନନ୍ଦିନୀ କାମ କରିବାକୁ ଯାଏ,ସେହି ପାଖରେ ମାଧବ ନାମ ରେ ଜଣେ ପଇସା ବାଲା ରହୁଥାଏ।ତା'ର ସ୍ତ୍ରୀ ଦୁଇ ବର୍ଷ ହେଲା କରୋନା ରେ ମରିଯାଇଛି।ଖବର ନେଇ ଜାଣିଲା,ନନ୍ଦିନୀ ଗରିବ ଝିଅ ଟିଏ।ତେଣୁ ନନ୍ଦିନୀ ର ହାତ ମାଗିବା ପାଇଁ ,ନନ୍ଦିନୀ ର ବାପା ମା ଙ୍କ ପାଖରେ ଜିଦ୍ କଲା,ପୁଣି କିଛି ଧନ ପଇସା ଦରକାର ବିନା ସେ ନନ୍ଦିନୀ କୁ ବାହା ହେବା କଥା କହି ରଖିଲା।ଏତେ ଦିନ ପରେ ବିବାହ ପ୍ରସ୍ତାବ ନେଇ ଜଣେ ଆସିଛି,ପୁଣି ବିନା ଯୌତୁକ ରେ।
ନନ୍ଦିନୀ ର ଅନିଚ୍ଛା ସତ୍ତ୍ବେ ବାହାଘର କାମ ସରିଲା।
ନୂଆ ନୂଆ କେତେ ଦିନ ବହୁତ ହସ ଖୁସିରେ ବିତି ଗଲା।ମାଧବ ର ଆଗରୁ ଦୁଇଟି ପୁଅ ଅଛନ୍ତି।ପୁଣି ବଡ ପିଲା।ବିବାହ ବୟସ ବି ହେଲାଣି।ଘରୁ ପଇସା ନେଇ ଅଯଥା ସାଙ୍ଗ ସାଥୀ କରି ଉଡାଉଛନ୍ତି ।ନନ୍ଦିନୀ କୁ ଘରର ସବୁ କାମ କରିବାକୁ ହୁଏ ।ଦିନ ରାତି ହାତରୁ କାମ ଛାଡ଼ୁ ନାହିଁ।ସମସ୍ତଙ୍କର ଜଞ୍ଜାଳ ବୁଝିବାକୁ ହେଉଛି।
ଜଣକ ପରେ ଜଣେ ବିଭିନ୍ନ କାମ କରିବାକୁ କହୁଛନ୍ତି ।ଦିନ ମୂଲିଆ ଠୁ ଆହୁରି ଅଧିକ କାମ।
କେହି କିଛି ଖରାପ ବ୍ୟବହାର ନ କଲେ ସୁଦ୍ଧା,କାମ କରି କରି ଥକି ଯାଇଛି ବିଚରା ନନ୍ଦିନୀ।
ଆଜି ନନ୍ଦିନୀ ର ଭାଇ ଆସିଛି ।ନନ୍ଦିନୀ କୁ ଡାକି ନେଇ ଘର କୁ ନେଇ ଯିବାକୁ ।ନନ୍ଦିନୀ ର ବାପାର ଶେଷ ଅବସ୍ଥା।ସେ ଟିକେ ଆଖି ପୁରେଇ ଦେଖିବାକୁ ଚାହୁଁଛି। କାନ୍ଦ କାନ୍ଦ ହୋଇ ନନ୍ଦିନୀ ଧାଇଁ ଆସିଛି ବାପାଙ୍କୁ ଦେଖିବାକୁ ।
ବାପାଙ୍କୁ ଦେଖି ନନ୍ଦିନୀ ଆହୁରି କାନ୍ଦିବାକୁ ଲାଗିଲା।ବାପା ଆଉ କଥା କହି ପାରୁ ନାହାନ୍ତି।ଯାହା ହାତ ଠାର ରୁ ବୁଝିବାକୁ ହୁଏ ।ନନ୍ଦିନୀ ର ମା କୁ ଠାର କରି,ନନ୍ଦିନୀ ଭଲରେ ଅଛି ନା ନାହିଁ ପଚାର କହିଲା ।ନନ୍ଦିନୀ ଆଉ କଣ କହିବ,ଦିନ ରାତି କାମ କରି କେବଳ ମୁଠାଏ ଖାଇ ବଞ୍ଚି ରହିଛି ।ସେଇଟା ଘର ନୁହେଁ ମା,ମୋ ପାଇଁ ଜଉ ଘର।କେଉଁ ମୁହୂର୍ତ୍ତରେ ସେଇ ଜଉ ଘରେ ମୋ ଜୀବନ ଚାଲିଯିବ,ନିଜେ ମୁଁ ଜାଣି ପାରୁନି ।ମୂଲ ଲାଗି ଏଠି ଖାଇ ପିଇ ଖୁସିରେ ଥିଲି।ସମାଜ ଆଗରେ ଅବିବାହିତ ଝିଅ ଘରେ ରହିବା ନିନ୍ଦା ରୁ ମୁକ୍ତି ପାଇବା ପାଇଁ ମୁଁ ବାହା ହୋଇ ଥିଲି।ମୋ ପାଇଁ ସେଇଟା ଜଉ ଘର ମାଏକା ନିଃଶ୍ୱାସ ରେ ନନ୍ଦିନୀ କହି ଚାଲିଥିଲା...ନନ୍ଦିନୀ ର ଦୁଃଖ ଶୁଣିବା ଭିତରେ ହିଁ ,ନନ୍ଦିନୀ ର ବାପା ଶେଷ ନିଃଶ୍ୱାସ ଛାଡ଼ି ଦେଇଛନ୍ତି।ବାପାଙ୍କୁ ହାତରେ ହଲେଇ ଜାଣିଲା,ବାପା ଆଉ ଜୀବିତ ଅବସ୍ଥାରେ ନାହାନ୍ତି।
କାନ୍ଦିବାର ସ୍ୱର କ୍ରମେ ଲମ୍ବି ଯାଇଥିଲା ମାଧବ ର ଘର ପର୍ଯ୍ୟନ୍ତ।
ବିଚରା ନନ୍ଦିନୀ ଆଉ କଣ କରିବ,ବାପା-ମା ଗରିବ କୁଡିଆ ରେ ଥିଲେ ବି ରାଜ ଉଆସ ର ଅନୁଭବ ହେଉଥିଲା ।ଆଉ ଯେଉଁ ଘରେ ରାଜ ଉଆସ ପରି ସବୁ କିଛି ସୁବିଧା ଅଛି, ସେଠି ଶାନ୍ତି ନାହିଁ । ଜଉ ଘର କହିଲେ ଭୁଲ୍ ହେବ ନାହିଁ ।
ବାପାଙ୍କର ଶୁଦ୍ଧି କ୍ରିୟା ପରେ ପରେ ନନ୍ଦିନୀ ଏବେ ପୁଣି ଜଉ ଘର ମୁହାଁ।ହେଲେ ହେଉ ଜଉ ଘର,ଆଉ ଅନ୍ୟ ବିକଳ୍ପ ନାହିଁ ନନ୍ଦିନୀ ହାତରେ...
ଜଉ ଘରେ ଜୀବନ ଯାଉ,ବରଂ ଜଉ ଘରେ ଅଛି ବୋଲି ମାଧବ ଓ ତା ପିଲା ମାନେ ନ ଜାଣନ୍ତୁ,ଏହି ମହତ ଭାବନା ନେଇ,ନନ୍ଦିନୀ ନିଜ ଘର ଲୋକଙ୍କ ପାଖରୁ ବିଦାୟ ନେଇଛି ବିଚରା ନନ୍ଦିନୀ ଏବେ ଜଉ ଘର ଘେରରେ ।