Bidyadhar Mantry

Children Stories Classics Children

3  

Bidyadhar Mantry

Children Stories Classics Children

ବାଘର କୁକୁଡ଼ା ଚୋରି

ବାଘର କୁକୁଡ଼ା ଚୋରି

3 mins
11



ଗାଁ ମୁଣ୍ଡରେ ଖଣ୍ଡିଆ ବଣ।କେଉଁଠି କଣ୍ଟା ବୁଦା ତ ଆଉ କେଉଁଠି ଛୋଟ ଗୋଡ଼ି ପଥର ଗଦା ହୋଇ ରହିଲା ପରି ଉଚ୍ଚା ରହିଛି।ଶିକାରୀ ଜୀବ ଜନ୍ତୁ କେହି କେବେ ଦେଖି ନାହାନ୍ତି।ପାଗ ଅନୁକୂଳ ଥିଲେ ପିଲା ମାନେ ସେହି ଖଣ୍ଡିଆ ବଣ ଭିତରେ ବୁଲି ବିଭିନ୍ନ ରଙ୍ଗର କୋଳି ଖାଇ ଥାଆନ୍ତି।

ଦିନକର ଘଟଣା।ଚାରି ଜଣ ପିଲା ଖରା ବେଳେ ସେହି ଖଣ୍ଡିଆ ବଣ ଭିତରେ ବୁଲୁ ବୁଲୁ ଏକ କଲରା ପତରିଆ ବାଘକୁ ବୁଦା ଭିତରେ ଥିବା ଦେଖି ଡରି ଯାଇ ପ୍ରାଣ ବିକଳରେ ଗାଁ ଭିତରକୁ ଧାଇଁ ଆସିଲେ।କ୍ରମେ ଖବର ଗାଁ ସାରା ପ୍ରସାରିତ ହେଲା।ଖଣ୍ଡିଆ ବଣରେ ବାଘ ଥିବା କଥା ସମସ୍ତେ ଶୁଣି ଆଶ୍ଚର୍ଯ୍ୟ ହେଲେ।କିନ୍ତୁ ମାଧବ ନାମକ ବଳିଷ୍ଠ ଯୁବକ ବାଘ କଥା ଶୁଣି ତାତ୍ସଲ୍ୟ କରି ହସି ହସି ମିଛ କଥା ବୋଲି କହି ବୁଲିଲା ।"ପିଲା ଦିନରୁ କେବେ ଠେକୁଆ ଛୁଆ ଟିଏ ଆମେ ଦେଖି ନାହୁଁ,ବାଘ ପୁଣି କୁଆଡୁ ଆସିବ",ଏହି ପରି ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇଲା ସତ କିନ୍ତୁ ଗାଁ ଲୋକେ ପିଲା ମାନଙ୍କ କଥାକୁ ଅବିଶ୍ବାସ ମଧ୍ୟ କରୁ ନ ଥିଲେ। ଚରା ବୁଲା ଜନ୍ତୁ,ହୋଇ ପାରେ କୌଣସି ପାଖ ଜଙ୍ଗଲ ରୁ ଆସି ବୋଧେ ବାଟ ବଣା ହୋଇ ଯାଇଛି।

ଗାଁ ଲୋକଙ୍କ ତରଫରୁ ଗାଁ ମୁଣ୍ଡରେ ଆଲୋକ ବ୍ୟବସ୍ଥା କରା ଗଲା,ଯଦ୍ୱାରା ରାତ୍ରୀ ସମୟରେ ବାଘ ଯେପରି ଗାଁ ଭିତରକୁ ପଶି ନ ପାରେ।ପିଲା ଅଝଟ ହେଲେ ବା ଅମାନିଆ ହୋଇ ନ ଖାଇଲେ, ମାଆ ମାନେ ବାଘ କଥା କହି ଡରାଇଲେ ,କିନ୍ତୁ ଅଧିକାଂଶ ପିଲା ବାଘ ଦେଖିବାକୁ ଜିଦ୍ କରୁଥିଲେ। ମାଆ ମାନେ ବାଘ ପାଖକୁ ନ ଯିବା ବା ଖଣ୍ଡିଆ ବଣ ଭିତରକୁ ନ ଯିବାକୁ ତାଗିଦ୍ କଲେ।

ଗାଈ,ଛେଳି ରହୁଥିବା ଗୁହାଳ ଓ କୁକୁଡ଼ା ରହୁଥିବା ଜାଗାରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଗଲା ।ମାଧବ କେତେ ଜଣ ଯୁବକ ପିଲାଙ୍କୁ ସାଥୀ କରି ରାତି ହେଲେ କୁକୁଡ଼ା ଚୋରି କରି ଭୋଜି ଭାତ ର ଆୟୋଜନ କରି ମଜା ନେବାକୁ ଲାଗିଲା ।ତେଣୁ ଗାଁ ଲୋକଙ୍କ ମନରେ ଆହୁରି ଡର ରହିଲା ଯେ,ବାଘ ଆସି ରାତିରେ କୁକୁଡ଼ା ନେଇ ଯାଉଛି।ତେଣୁ ରାତି ହେଲେ ଆଉ ଘର ବାହାରେ କେହି ବୁଲା ବୁଲି କଲେ ନାହିଁ।ମାଧବ ବାଘ ନ ଥିବା ଆଗରୁ କହୁଥିଲା,ଏବେ କିନ୍ତୁ କହି ବୁଲିଲା," ସତ,ବୋଧେ ବାଘ କେଉଁଠି ଲୁଚି ଲୁଚି ରହି,ରାତି ହେଲେ କୁକୁଡ଼ା ନେଇ ଖାଉଛି ",ନିଜକୁ ଭଲ ପିଲା ବୋଲି ଦେଖେଇ ହେବା ପାଇଁ,ଦୁଇ ଚାରି ଯୁବକ ପିଲାଙ୍କୁ ସାଥୀ କରି ରାତି ହେଲେ ଗାଁ ଜଗିବାକୁ ଏକ ପ୍ରସ୍ତାବ ଗାଁ ଲୋକଙ୍କୁ କହିଲା ।ଗାଁ ଲୋକେ ବି ନିଜ ସୁରକ୍ଷା ପାଇଁ ରାଜି ହେଲେ।

ବାଘ ନାଁ ଆଢ଼ୁଆଳେ ମାଧବ ର କୁକୁଡ଼ା ଖିଆ ଅଭିଯାନ ଚାଲୁ ରହିଲା ।ଲୋକଙ୍କ ମନରେ କ୍ରମେ ସନ୍ଦେହ ହେଲା।ପ୍ରକୃତରେ ବାଘ ଆସୁଛି ନା ବାଘ ନାଁ ନେଇ ମାଧବ ର କରାମତି।

ହେଲେ ସବୁଦିନ ସମାନ ଯାଏ ନାହିଁ ।ଦିନେ ରାତିରେ କୁକୁଡ଼ା ଚୋରି କରି ଭୋଜିର ଆୟୋଜନ ହେଉ ଥିଲା ବେଳେ,ସତକୁ ସତ କଲରା ପତରିଆ ବାଘ କୁ ଗାଁ ମୁଣ୍ଡରେ ମାଧବ ଓ ମାଧବ ର ସାଙ୍ଗ ମାନେ ଦେଖି ପାରିଲେ।ବାଘ ଡର ରେ ଯିଏ ଯା ଘର କୁ ଧାଇଁ ଚାଲି ଗଲେ ।କୁକୁଡ଼ା ମାଂସର ଗନ୍ଧ ବାରି ବାଘ ଆସି ଖାଇ ଦେଇ ପୁଣି କୁଆଡେ଼ ଚାଲି ଗଲା।ସକାଳୁ ସକାଳୁ ଗାଁରେ କୁକୁଡ଼ା ଚୋରି ଆଉ ବାଘ ଦେଖିବା କଥା ପ୍ରଚାର ହୋଇଗଲା। ମାଧବ ନିଜ ସଫେଇରେ କୁକୁଡ଼ା ଚୋରି କରି ଖାଉ ଥିବା କଥା ସ୍ବୀକାର କଲା ଏବଂ ନିଜ ଆଡୁ ପଇସା ଖର୍ଚ୍ଚ କରି ଲୁହା ର 

ଯନ୍ତା ତିଆରି କରି ବାଘ ଧରି ବାକୁ ପ୍ରସ୍ତାବ ରଖିଲା।

ଯୋଜନା ମୁତାବକ ଯନ୍ତା ତିଆରି ହୋଇ ,ଯନ୍ତା ଭିତରେ କୁକୁଡ଼ା ରଖି ଗାଁ ମୁଣ୍ଡରେ ରଖା ଗଲା।ରାତିରେ ବାଘ କୁ ଧରିବା ପାଇଁ ମାଧବ ଓ ତା ସାଙ୍ଗ ମାନେ ଛକି ରହିଲେ।ଆଗରୁ କୁକୁଡ଼ା ଖାଇବାର ମଜା ଭୁଲି ନ ପାରି ବାଘ ଆସି କୁକୁଡ଼ା ଖାଇବା ପାଇଁ ଯନ୍ତା ଭିତରକୁ ପଶିଲା ବେଳେ ଛକି ରହିଥିବା ମାଧବ ଯନ୍ତା ଭିତରକୁ ପ୍ରବେଶ କରିବା ଦ୍ଵାର ବନ୍ଦ କରି ଦେଲା।ବାଘ ଗର୍ଜନ କରିବାକୁ ଲାଗିଲା। ବାଘ ଏବେ ଯନ୍ତା ଭିତରେ।ବାଘ ଧରା ପଡ଼ିଛି ବୋଲି ପାଟି କରିବାରୁ ଗାଁ ଲୋକେ ରୁଣ୍ଡ ହୋଇ ସତ ବାଘକୁ ଦେଖି ଆଶ୍ଚର୍ଯ୍ୟ ହେଲେ।ମାଧବ କୁ ବେଶି ପ୍ରଂଶସା କଲେ।

ସକାଳ ହେଲା ।ମାଧବ ଫୋନ୍ କରି ନିକଟସ୍ଥ ବନ ବିଭାଗ କୁ ବାଘ କଥା କହିଲା।କିଛି ସମୟ ପରେ ବନ ବିଭାଗ ର କର୍ମଚାରୀ ମାନେ ଆସି ବାଘକୁ ଚିଡ଼ିଆଖାନା ପଠେଇବା ବ୍ୟବସ୍ଥା କରିବା ସହ ବାଘ କୁ ସେଠାରୁ ନେଇ ଚାଲିଗଲେ।

ଗାଁ ରେ ଆଉ ବାଘ ଭୟ ନାହିଁ ।ତଥାପି ମଝିରେ ମଝିରେ କୁକୁଡ଼ା ଚୋରି ହେଉଛି....ବୋଧେ ଆଉ ଗୋଟିଏ କୁକୁଡ଼ା ଖିଆ ବାଘ ବୁଲୁଛି !!


Rate this content
Log in