କେବେ କେବେ ମନେପଡେ
କେବେ କେବେ ମନେପଡେ
ହସ ଲାଗେ, ମନ ଫୁଲି ଫୁଲି ଯାଏ
ଓଠ ଚାପି କହିବାକୁ କିଛି ଚାହେଁ,
କେବେ କେବେ ମନେପଡେ ଯେବେ ସେହି କଥା
ତୁନି ତୁନି କହି ମନ ମୋହେ |
କେମିତି କେଜାଣି ସବୁ ଥିଲା ସେହି ଦିନ
ଚାହୁଁ ଚାହୁଁ ସବୁ ବିତି ଗଲା,
କେବେ କେବେ ମନେପଡେ, ଭାରି ଭଲ ଲାଗେ
ଏବେ ସିଏ ସ୍ମୃତି ହୋଇ ରହିଗଲା |
କେହି କେହି ଦେଖି କହୁଥିଲେ ବଡ଼ ଆଦରରେ
ସିଏ ପରା ଆମ ବଡ଼ ବଗୁଲିଆ,
କେବେ କେବେ ମନେପଡେ ତାର ଅଙ୍ଗ ଭଙ୍ଗୀ
ମନ କୁହେ ସିଏ ଗୋଟେ ବାଇଆ |
କିଛି କିଛି ତାର କଥା ଶୁଣି ଲାଗୁଥିଲା
ବଗୁଲିଆ ହେଲେ ବି ମିଠା ମିଠା,
କେବେ କେବେ ମନେପଡେ ସେହି ଆମ ବାଇଆ
କହୁ ଥିଲା ସତେ କେତେ କଥା |
ବେଳେ ବେଳେ କରୁଥିଲା ଦର୍ଶନର କିଛି କଥା
ଆଉ କେବେ କିଛି ଥଟ୍ଟା ମଜା,
କେବେ କେବେ ମନେପଡେ ସେହି ବଗୁଲିଆ ପୁଣି
ବାଇଆ ହୋଇ ପାଉଥିଲା କିଛି ସଜା |
ତଥାପି ସିଏ କେବେ ରହି ଯାଇ ନାହିଁ
ଏବେ ବି କହେ ବଗୁଲିଆ କଥା,
କେବେ କେବେ ମନେପଡେ ଆମ ସେହି ବାଇଆ
ଶିଖାଏ, କହି ଅତୀତର କିଛି ଗାଥା |
ସମୟ ଚାପରେ ସିନା ବଢିଛି ଏହି ବୟସ
ବୁଢା ହୋଇ ନାହିଁ ଆମ ବଗୁଲିଆ,
କେବେ କେବେ ମନେପଡେ ଏଇ ତ ଜୀବନ
କହେ ସଦା ଆମ ଏହି ବାଇଆ |