ଭୁତର ହସ ଓ କାନ୍ଦ
ଭୁତର ହସ ଓ କାନ୍ଦ
ଅନ୍ତେବାସୀ ଛାତ୍ର ଓ ହଷ୍ଟେଲ ଜୀବନ ର ଅନୁଭୂତି ନିଆରା।ସେଇ ନିଆରା ଅନୁଭୂତି ରେ ବି ଭୂତ କଥା ଅଛି। ସେ ଦିନ ରାତିରେ ସମସ୍ତେ ଶୋଇଥିଲେ । ରାତି ପ୍ରାୟ ବାର ହେବ ।ଅଚାନକ ଜଣେ କେହି ହସୁ ଥିବାର ଶୁଣି, ହାଡୁ ଜାଣିବାକୁ ଚାହିଁଲା କିଏ ହସୁଛି। ହାଡୁ ଦଶମ ପଡୁଛି।ହୃଷ୍ଟ ପୃଷ୍ଟ ଶରୀର।ବିନା ଭୟରେ କିଏ ହସୁଛି ଜାଣିବାକୁ ଇଛା ପ୍ରବଳ ହେଲା।ଲାଇଟ୍ ଜଳାଇ ଦେଖିଲା,ସପ୍ତମ ଶ୍ରେଣୀରେ ପଢ଼ୁଥବା ପିଲାଟିଏ ନିଦରେ ଶୋଇ ହସୁଛି।ପିଲାଟିକୁ ନିଦରୁ ଉଠାଇବାକୁ ଚେଷ୍ଟା କରି ତା ମୁହଁରେ ପାଣି ଛିଟିକା ମାରିଲା।ଆଖି ବନ୍ଦ କରି ପିଲାଟି ଅଭଦ୍ର ଭାଷାରେ ଗାଳି କରିବାକୁ ଲାଗିଲା।ପୁଣି ପାଣି ଛିଟିକା ମାରିଲା ପରେ ପିଲାଟି କାନ୍ଦିବାକୁ ଲାଗିଲା।ହାଡୁ ଆଶ୍ଚର୍ଯ୍ୟ ହୋଇ ପିଲାଟିକୁ ହଲେଇ ପଚାରିଲା କାନ୍ଦିବାର କାରଣ।ପୁଅ ପିଲାଟି ଝିଅ ସ୍ଵରରେ କଥା କହିବାକୁ ଆରମ୍ଭ କଲା। ମୁଁ ଛାଡିବିନି, ମୁଁ ସମସ୍ତଙ୍କୁ ଖାଇ ଦେବି ଏପରି ଅଜବ କଥା ବାର୍ତ୍ତା କରିବାକୁ ଲାଗିଲା।
ପାଟି ଶୁଣି ଅନ୍ୟ ପିଲାମାନେ ବି ଉଠି ଗଲେଣି । ତଥାପି ପିଲାଟି ଅଜବ କଥାବାର୍ତ୍ତା କରୁଥାଏ।ଏଥର ହାଡୁ ତା ହାତ ଧରି ଉଠାଇ ବସାଇଲା ଓ ତା ନାମ ଧରି ପଚାରିଲା ।ପିଲାଟି କିନ୍ତୁ ଅନ୍ୟ ଏକ ନାମ କହି ହସିବାକୁ ଲାଗିଲା ।ପିଲାଟି ହସି ହସି କହିଲା ମୁଁ ଏଠାରେ ରହିବାକୁ ଆସିଛି । ଏପରି ଅଜବ କଥା ଶୁଣି ହାଡୁ ର ମୁଣ୍ଡ ଗରମ ହୋଇଗଲା।ପିଲାଟିର ଦୁଇ ଗାଲରେ ଦୁଇଟି ଶକ୍ତ ଚାପୁଡ଼ା ମାରିଲା।ମାଡ଼ ଖାଇଲା ପରେ ପ୍ରକୃତିସ୍ଥ ହୋଇ ପିଲାଟି ଆଖି ଖୋଲି ଦେଖିଲା ଏବଂ ଅନ୍ୟ ମାନଙ୍କୁ ଦେଖି ପଚାରିଲା ତୁମେ ମାନେ କାହିଁକି ଶୋଇ ନାହଁ।
ହାଡୁ କହିଲା," ତୁ ନିଦରେ ଶୋଇ ହସିଲୁ,ପୁଣି କାନ୍ଦିଲୁ, ଝିଅ ପିଲା ପରି କଥା କହିଲୁ,ତୋ ନାମ ପଚାରିବାରୁ ଗୋଟିଏ ଝିଅର ନାଁ କହିଲୁ,ସେ ଝିଅକୁ ତୁ ଜାଣିଛୁ କି?"
ସବୁ ଶୁଣି ପିଲାଟି କହିଲା,ସେ ମୋ ବଡ ଭଉଣୀ ।
ସେ ଆତ୍ମ ହତ୍ୟା କରିଛି । ମଝିରେ ମଝିରେ ମୋ ଦେହକୁ ଆସୁଛି । ମୋତେ ଭାରି ଗେଲ କରୁଥିଲା । ମୋତେ ଦେଖିବା ପାଇଁ ସେ ବେଳେ ବେଳେ ଆସୁଛି।କିଛି ସମୟ ପରେ ପୁଣି ଚାଲି ଯାଉଛି । ହେଲେ ଏ କଥା କେହି ଜାଣି ନାହାଁନ୍ତି କି ମୁଁ କାହାକୁ କହିନାହିଁ । କିଛି କ୍ଷତି କରିବାକୁ ସେ ଆସେନାହିଁ ।
ସେ ପିଲାର କଥା ହାଡୁ କୁ ଅଡୁଆ ଅଡ଼ୁଆ ଲାଗିଲା । ରାତି ବେଶି ହେଲାଣି । ଅନ୍ୟ ପିଲାମାନଙ୍କୁ ଶୋଇବାକୁ କହି ନିଜେ ଶୋଇବାକୁ ଚେଷ୍ଟା କଲା।କିନ୍ତୁ ନିଦ ହେଉ ନ ଥାଏ।ସେ ପିଲା ଯାହା ସବୁ କହିଲା ତାହା ସତ ନା ମିଛ ଜାଣିବାକୁ ଇଚ୍ଛା ହେଲା ଏମିତି ଭାବୁ ଭାବୁ ନିଦ ଆସିଗଲା।
ସକାଳ ହେଲା । ସେ ପିଲା ପାଖକୁ ଯାଇ ପୁଣି ପଚାରିଲା।ପିଲାଟି ପୁଣି ସେଇ କଥା କହିଲା । ହାଡୁ ଏଥର ଉପାୟ ନ ପାଇ ଶିକ୍ଷକଙ୍କୁ ପଚାରିଲା।ଶିକ୍ଷକ କହିଲେ,"ଆମ ସମାଜରେ ଗୋଟିଏ ବିଶ୍ୱାସ ଅଛି ଯେ, ଯିଏ ଆତ୍ମହତ୍ୟା କରିଥାଏ ତା 'ର ଆତ୍ମା ଏ ଦୁନିଆରେ ଘୁରି ବୁଲୁଥାଏ । ଏହି ବିଶ୍ୱାସ ଏବେ ବି ଲୋକଙ୍କ ମନରେ ଅଛି। ଆମେ ଯେତେ ବିଜ୍ଞାନ ବିଷୟରେ ଜାଣିଲେ ବି ଲୋକଙ୍କର ବିଶ୍ୱାସକୁ ବଦଳାଇ ହେବ ନାହିଁ। ଏଠି ସବୁ ବିଶ୍ଵାସରେ ଚାଲୁଛି । ଠାକୁରଙ୍କୁ କଣ କେହି ଦେଖି ପାରୁଛି । ପବନ କୁ କଣ କେହି ଦେଖି ପାରୁଛି ।ସେହିପରି ଭୂତ ଅଛି ବୋଲି ଲୋକଙ୍କ ବିଶ୍ୱାସ ମଧ୍ୟ ରହିଛି।"
ହାଡୁ ଶିକ୍ଷକଙ୍କ କଥା ଶୁଣି ସେ ବି ବିଶ୍ୱାସ କରିଛି । ଆଉ ରାତିରେ କେହି କାନ୍ଦିଲେ କି ହସିଲେ ତା ପାଖକୁ ଯିବାକୁ ଡରୁଛି । କିଏ ଜାଣେ ଭୂତ ହୋଇଥିବ । ଏବେ ହାଡୁ ଆଉ ବେଶି ରାତି ପର୍ଯ୍ୟନ୍ତ ଅନିଦ୍ରା ରହୁ ନାହିଁ । କାଳେ ଭୂତ ଆସି ପାରେ,ସେଇ ଭୟରେ ଶୀଘ୍ର ଶୋଇ ଶୀଘ୍ର ଉଠୁଛି ।