Aparajita Sarangi

Abstract Drama Romance

4.5  

Aparajita Sarangi

Abstract Drama Romance

ମଣିଷ ନାଁ ଦେବତା

ମଣିଷ ନାଁ ଦେବତା

6 mins
12


ଓଃ ଆଉ ପାରି ହେବନି... ଗରମ ସାଙ୍ଗକୁ ସଂସାର ଜଞ୍ଜାଳ ମୋ ଅସ୍ତିତ୍ୱ କୁ ହିଁ ଧୂଳିସାତ କରିଦେଲା.... ଛିଃ ଏ ଜୀବନ... ମୋ ଜୀବନ କୁ ଧିକ... ମୋ ଭାଗ୍ୟ କୁ ଧିକ, କହି କହି କବାଟ ଟାକୁ ଦୁଲ କିନା ବାଡେଇ ଦୁମୁ ଦୁମୁ ହେଇ ରୋଷେଇ ଘରେ ପଶିଗଲି l ଠଣ ଠାଣ ହେଇ ଦୁଇ ଚାରିଟା ଡବା ତଳେ ପଡିଗଲା l ମୁଣ୍ଡ ମୋର ଆହୁରି ଗରମ ହେଇ ଗଲା l ହେଁ ଯାହାତ ଜୀବନ ସେଥିରେ ଜିନିଷ ପତ୍ର ବି ଦାଉ ସାଧିବା ଆରମ୍ଭ କଲେଣି l ମନକୁ ମନ କହି ଡବା ଗୋଟେଇବା ଆରମ୍ଭ କରିଦେଲି l

ମାମା କଅଣ ହେଲା, ଆସି ମଝିଆଁ ପୁଅଟା ପାଖରେ ଠିଆ ହେଇ ପଚାରିଲା l

ତୋ ମାମା ମରିଗଲା.... ଯାଃ ଆଉ କିଛି ଶୁଣିବାକୁ ଚାହୁଁଛୁ....

ମାମା ତୁ ମରିଗଲେ ଆମକୁ କିଏ ଖାଇବାକୁ ଦେବ...

ତୋ ବାପାକୁ କହିବୁ ନୂଆ ମାଆ ଆଣିବ ସେ ଦେବ...

ଏତକ ଶୁଣିଦେଇ ପୁଅ ମୋର ନୂଆ ମାମା କହି କହି ବାପା ପାଖକୁ ଦଉଡିଲା l ତା ପଛେ ପଛେ ବଡ଼ ଆଉ ସାନ ପୁଅ ବି ଦଉଡ଼ିଲେ ବାପା ପାଖକୁ l କିଛି ସମୟ ପରେ ସାନ ପୁଅ ଦଉଡ଼ି ଆସି କହିଲା, ବାପା କହିଲେ ତୁ ମଲାପରେ ଆସିବ l

ଯାହା ତ ଗରମ ହେଉଥିଲା ଵାସ ଏତିକି ଶୁଣିଦେଇ ମୋ ମୁଣ୍ଡ କୁ ଆହୁରି ରାଗ ଉଠିଗଲା l ଆଖିକୁ ଲୁହ ଆସିଗଲା l ଆଉ କିଛି ନକହି ଚୁପ ଚାପ ରୋଷେଇ କରିବା ଆରମ୍ଭ କରିଦେଲି l ବାହାଘର ଦଶ ବର୍ଷ ଭିତରେ ତିନିଟା ଛୁଆ ହେଲାଣି l ସରକାରୀ ଚାକିରିଆ ଦେଖି ବାପା ମାଆ ବାହା କରିଦେଲେ କିନ୍ତୁ ଅଭାବ ନିଅଣ୍ଟ କେବେ ଛାଡିଲାନି l ଏମିତିଆ ସ୍ୱାମୀ ପାଇଲି ଯେ ଅଳ୍ପକେ ସନ୍ତୁଷ୍ଟ l ରାଗିଲେ ଚୁପ କାନ୍ଦିଲେ ଚୁପ ସବୁବେଳେ ଚୁପ l ସତେକି ମଣିଷ ନୁହେଁ ପଥର l କେବେଠାରୁ କହିଥିଲି ଗରମ ସହି ହେଉନି ଏସି ଟେ କିଣିଦିଅ ନାଁ ହେଲାନି l ଗୋଟିଏ କଥା ଟଙ୍କାର ଅଭାବ l

ରୋଷେଇ ଖିଆପିଆ ସlରି ରାତିରେ ଲୁଗା କାଚି ନେଇ ବାଲକୋନୀ ରେ ଶୁଖାଉ ଥାଏ l ହଠାତ ମତେ ଲାଗିଲା ସତେ ଯେପରି ମତେ ଦୁଇଟି ଆଖି ଘୁ୍ରି ଘୁ୍ରି ଦେଖୁଛି l ମୁଁ ଚାରିଆଡ଼ କୁ ଚାହିଁଲି l କେହି ଦିଶିଲେନି l ଭାବିଲି ଏ ଦର ବୁଢ଼ୀ ବୟସ ରେ କିଏ ବା ମତେ ଚାହିଁବ l ଆଗର ସେଇ ରୂପ ଆଉ ଅଛିକି l ଏ ଧତଡା ସଂସାରୀ ଜୀବନ ତ ସବୁ ପୋଡି ଖାଇଗଲା l କଣ ମନ ହେଲା କେଜାଣି ବୁଲି ପଡି ପାଖ ବାଲକୋନୀ କୁ ବାର୍ଲାଇଟ କୁ ଲଗେଇ ଚାହେଁ ତ ଜଣେ ବ୍ୟକ୍ତି ମତେ ସିଧା ସଳଖ ଚାହିଁଛି ଆଉ ମୁହଁଟା ବି ଚିହ୍ନା ଚିହ୍ନା ଲାଗୁଛି ସତେ ଯେପରି ବହୁତ ଚିହ୍ନା l

ମୁଁ ଭଲକି ଚାହିଁଲି l ଆରେ ଏ ତ ଅନମୋଲ l ହଁ ଯିଏ ମୋ ସହ କଲେଜ ରେ ପଢୁଥିଲା ଆଉ ଆମେ ଦୁହେଁ ପରସ୍ପର କୁ ଭଲ ପାଉଥିଲୁ l ମୋ ଛାତି ଧଡ଼ ଧଡ଼ ହେଇଗଲା l ମୁଁ ଆଉ କ୍ଷଣେ ମାତ୍ର ସେଠି ନରହି ଦଉଡ଼ିକି ଘର ଭିତରକୁ ଚାଲି ଆସିଲି ଆଉ ମୋ ଶୋଇବା ଘର କବାଟ ଟା ବନ୍ଦ କରିଦେଲି l ଦେଖିଲି ସ୍ୱlମୀ ଶୋଇକି ଘୁଙ୍ଗୁଡ଼ି ମାରୁଛନ୍ତି l ମୁଁ ଚୁପ ଚାପ ଯାଇ ଖଟରେ ଶୋଇ ଗଲି l

ମୋ ଆଖିରେ ନିଦ ନଥାଏ l ପୁରୁଣା ଦିନର ସ୍ମୃତି ମୋ ଆଖି ଆଗରେ ନାଚି ଉଠୁଥାଏ l କଲେଜ ର ପ୍ରଥମ ଦିନରୁ ହିଁ ମୁଁ ଅନମୋଲ ପ୍ରତି ଆକୃଷ୍ଟ ହୋଇ ପଡ଼ିଥିଲି l ତା ବୟସ ଦୋଷ ଥିଲା ନାଁ ମୋ ମନର ଦୁର୍ବଳତା ତା ମଧ୍ୟ ମୁଁ ଜାଣେନା l କେତେ କେତେ ସନ୍ଧ୍ୟା ଦିବସ ଆମେ ପାଖାପାଖି ବସି ସ୍ୱପ୍ନ ରେ ଭାବ ବିହ୍ଵଳ ହୋଇ ଉଠିଥିଲୁ l ଜୀବନ ସାରା ସାଥିରେ ରହିବାର ଇଚ୍ଛାକୁ ନେଇ ଆଗକୁ ବଢିଥିଲୁ l କିନ୍ତୁ ସେଇ ଚିରାଚରିତ ପ୍ରଥା l ଜାତି ଓ ଦାରିଦ୍ର୍ୟ କୁ ଦେଖି ଆମ ଘରେ ଜୋର ଜବରଦସ୍ତ ମୋ ବାହାଘର ଅଲଗା ଜାଗାରେ କରିଦେଲେ l ଅନମୋଲ ବହୁତ କହିଲା ଚାଲ ଘର ଛାଡି ପଳେଇବା l କିନ୍ତୁ ମୋର ସଂସ୍କାର ତା କରିବାକୁ ମତେ ଦେଲାନି l ମୁଁ ଶେଷରେ ଆମ ସମ୍ପର୍କ ଭାଙ୍ଗି ମୋ ପରିବାର ଯେଉଁଠି ଠିକ କଲେ ସେଇଠି ବାହାହେଲି l ସରକାରୀ ଚାକିରିଆ ବର l ଯାହାର ପାଉଣା ଦାରିଦ୍ର୍ୟ ଭିତରେ ମୁଁ ଆଜି ବି ଭରୁଅଛି l ମନେ ପଡିଗଲା ଶେଷ ଦିନର ଦେଖା ଅନମୋଲ ସହ l ମତେ ବିଦାୟ ଦେବା ବେଳାରେ କାନ୍ଦିକି କହିଲା, ସ୍ୱପ୍ନା ତୁ ମୋର ସ୍ୱପ୍ନ.... ତତେ ପାଇ ପାରିଲିନି କିନ୍ତୁ ମନେରଖ ତୋ ପାଇଁ ମୁଁ ସାରା ଜୀବନ ଅବିବାହିତ ରହିବି ତୋ ଅପେକ୍ଷାରେ... ଏହା ମୋର ପ୍ରତିଜ୍ଞା l

ବିବାହ ପରେ ଅନେକ ଥର ସେ ମତେ ଦେଖା କରିବାକୁ ଚାହିଁଲା l କିନ୍ତୁ ମୁଁ ମନା କଲି l ଶେଷରେ ମୋ ସ୍ୱାମୀଙ୍କର ବାଲେଶ୍ୱର ଟ୍ରାନ୍ସଫର ହୋଇଗଲା ଓ ମୁଁ ଚାଲି ଆସିଲି l ଆଜି ଦୀର୍ଘ ଆଠ ବର୍ଷ ପରେ ପୁଣି ତା ସହ ଦେଖା l ଭାବୁ ଭାବୁ କେତେବେଳେ ମୁଁ ଆଖି ବୁଜି ଶୋଇଗଲି ନିଜେ ମଧ୍ୟ ଜାଣି ପାରିଲିନି l

ସକାଳୁ ସବୁ କାମ ସାରି ଭାରି ହାଲିଆ ଲାଗୁଥାଏ l ସ୍ୱାମୀ ଅଫିସ ଓ ପିଲାମାନେ ସ୍କୁଲ ଗଲାପରେ ମୁଁ ଆସି ଥକ୍କା ମାରି ଟିକେ ସୋଫାରେ ବସି ପଡ଼ିଲି l ଇଚ୍ଛା ହେଲା ଥରେ ବାଲକୋନୀ କୁ ଯାଇ ଦେଖିବି ଅନମୋଲ ଅଛି ନାଁ ନାହିଁ l କେଜାଣି କାହିଁକି ଭାରି ଭୟ ଲାଗିଲା l ମୋ ଆଖି ବନ୍ଦ ହେଇ ଆସୁଥାଏ l ହଠାତ କବାଟ ରେ ଠକ ଠକ ଶବ୍ଦ ହେଲା l ଉଠିକି ଯାଇ ଖୋଲିକି ଦେଖେତ ଅନମୋଲ ଠିଆ ହେଇଛି l ଭୟରେ ମୋ ଦେହରୁ ଝାଳ ବାହାରି ପଡିଲା l ମୁଁ ମୁହଁ ଗମ୍ଭୀର କରି ପଚାରିଲି, କଅଣ ହେଲା.... ଏଠିକୁ କାହିଁକି ଆସିଛ....

ସରକାରୀ ଚାକିରିଆ ବୋଲି ମତେ ଛାଡି ବାହା ହେଇଗଲୁ... ନିଜ ଶାଢ଼ୀ ଦେଖ ଚେହେରା ଦେଖ କେମିତି ଦିଶୁଛୁ....ଗରମରେ ରହି ରହି କେମିତି କଳା ଦିଶୁଛୁ...ଜଣା ପଡୁଛି କେତେ ଭଲରେ ଅଛୁ.... ମନକୁ ମlରିକି ଚଳୁଛୁ.... ଜାଣିଚୁ ମୁଁ ଆଜି ବି ଅବିବାହିତ ଅଛି ତୋ ଅପେକ୍ଷାରେ l

ଅନମୋଲ ର କଥାଗୁଡା ମତେ ଚଟକଣୀ ମାରିଲା ଭଳି ଲାଗୁଥାଏ l ମୁଁ ନିଜ ପିନ୍ଧା ଶାଢୀକୁ ଚାହିଁଲି ଦେଖିଲି ରଙ୍ଗ ଛାଡି ଯାଇଛି l ଗରମରେ ରାତିରେ ନିଦ ନହେବାରୁ ଆଖି ତଳ ଶେତା ଦିଶୁଛି l ଦିନକୁ ଥରେ ବୋଧେ ମୁଣ୍ଡ ମୁଁ କୁଣ୍ଡାଏନି.... ଚେହେରା ରେ କଳା ଦାଗ ହେଇଗଲାଣି l ଅନମୋଲ କହିକି ବି କଣ ଭୁଲ କଲା l ସତ ତ କହିଛି l ମୁଁ ତ ମୋ ହାତରେ ମୋ ଜୀବନ ବର୍ବାଦ କରିଛି l ମୋ ଆଖିଜୁ ଲୁହ ଆସିଗଲା l ମୁଁ ଭୋ ଭୋ ହୋଇ କାନ୍ଦି ଉଠିଲି l ମନର କଷ୍ଟ ଅବା କେତେ ଲୁଚେଇବି l ଅନମୋଲ ସଙ୍ଗେ ସଙ୍ଗେ ରୁମାଲ କାଢି ମୋ ଆଡ଼କୁ ବଢ଼େଇ କହିଲା ନେ ଲୁହ ପୋଛିଦେ.... ତୋ ଲୁହ ମୁଁ ସହି ପାରିବିନି... ତୁ ସିନା ମତେ ଭୁଲିଗଲୁ ମୁଁ କିନ୍ତୁ ତତେ ଭୁଲିନି... ଆଜିବି

ମୁଁ ତତେ ଆପଣେଇବାକୁ ପ୍ରସ୍ତୁତ...

ହଠାତ ଶିଢ଼ି ରେ ଢାଏ କିନା କିଛି ଗୋଟେ ପଡିବା ଭଳି ଶବ୍ଦ ହେଲା l ମୁଁ ଡ଼ରିକି ଚାହିଁଲି କିନ୍ତୁ କିଛି ଦିଶିଲାନି l

ମୋ ପାଟିରୁ ବାହାରି ଆସିଲା, ମୁଁ ତ ଚାଲିଯିବି କିନ୍ତୁ ମୋ ଛୁଆ...

ତାଙ୍କ ଦାୟିତ୍ୱ ମୁଁ ନେବାକୁ ପ୍ରସ୍ତୁତ..... ସେମାନଙ୍କୁ ହଷ୍ଟେଲ ରେ ଛାଡ଼ିଦେବା.... ଥରେ ତ ମୋ ପାଖକୁ ଫେରିଆ....ଆଜି ରାତିରେ ମୁଁ ଆପାର୍ଟମେଣ୍ଟ ଗେଟ ବାହାରେ ତତେ ଅପେକ୍ଷା କରିବି l

କହିଦେଇ ଅନମୋଲ ଚାଲିଗଲା l ମୁଁ ଉଁ କି ଚୁଁ କିଛି ନକହି ଚୁପ ଚାପ ସେଠି ଠିଆ ହେଇଥାଏ l ସତେକି ମୁଁ ସ୍ୱପ୍ନ ଦେଖୁଛି l ଘର ଭିତରକୁ ଆସି ଖଟରେ ବସି ପଡ଼ିଲି l ରଙ୍ଗ ଛଡ଼ା କାନ୍ଥ ଭଙ୍ଗା ଜିନିଷ ଦେଖି ମୋ ମନ ବିଦ୍ରୋହ କରି ଉଠୁଥାଏ l ଭାବିଲି, ଏମିତି ଜୀବନ ମତେ ଦେଇଛି କଅଣ... କେତେ ଜଣଙ୍କ ଭାଗ୍ୟରେ ଥାଏ ଆଉ ଥରେ ଜୀବନ ଆରମ୍ଭ କରିବା... ସଂସ୍କାର ମତେ ଦେଇଛି କଣ... ଦୁଃଖ ଦାରିଦ୍ର୍ୟ...

ମୁଁ ଖଣ୍ଡେ ଦିଖଣ୍ଡ ଲୁଗା ମୋ ବାକ୍ସରେ ପୁରେଇଲି l ଭଲ ଶାଢୀଟିଏ ପିନ୍ଧି ଦର୍ପଣ ଆଗରେ ଠିଆ ହୋଇ ବହୁଦିନ ପରେ ନିଜକୁ ସଜେଇଲି l ଘରର ବଳକା କାମ ସାରିଲି l ସମସ୍ତେ ଫେରିଲେ l ରାତି ହେଲା l ଖିଆ ପିଅl ମଧ୍ୟ ସରିଲା l ଦେଖିଲି ସ୍ୱାମୀ ଛୁଆଙ୍କୁ ବସି ଗପ ଶୁଣାଉଛନ୍ତି l ଯାଇ ପାଖରେ ବସିଲି l ଭାରି ଭୟ ଲାଗୁଥାଏ l କେମିତି ଏଡ଼େ ବଡ଼ କଥାଟେ କହିବି ଯେ ପ୍ରେମିକ ସହ ପଳେଇବି l ମନକୁ ଟାଣ କରୁଥାଏ l

ହଠାତ ସ୍ୱାମୀ କହିଲେ, କୁଆଡ଼େ ବାହାରିଛ କି... ଏତେ ବେଶଭୂଷା ହେଇଛ ଯେ....

ମୋ ପାଟିରୁ ଆପଣାଛାଏଁ ବାହାରି ଆସିଲା, ମରିବାକୁ... ତମେ ନୂଆ ସ୍ତ୍ରୀ ଆଣିବ ତ ସେଥିପାଇଁ...

ହୋ ହୋ ହୋଇ ହସିଦେଇ ସ୍ୱାମୀ କହିଲେ, ଗୋଟେ ସ୍ତ୍ରୀ କୁ ତ ଯୋଉ ସୁଖ ଦେଲି ଛାଡ଼ ଆଉ ଗୋଟେ ପୁଣି ଆଣିବି...

କହୁ କହୁ ତାଙ୍କ ଆଖି ଲୁହ ଛଳ ଛଳ ହୋଇଗଲା l ସେ ପିଲାମାନଙ୍କୁ କହିଲେ, ଯାଅ ଶୋଇପଡ କାଲି ସ୍କୁଲ ଯିବାର ଅଛି l

ପିଲାମାନେ ଉଠି ଚାଲିଗଲେ l ହଠାତ ଆଲମାରୀ ଖୋଲି କିଛି ଟଙ୍କା ମତେ ଦେଇ କହିଲେ, ଏସି କିଣିବି ବୋଲି ରଖିଥିଲି ଆଉ ଦର୍କାର ନାହିଁ....ରଖିଥା ଦର୍କାର ବେଳେ କାମରେ ଆସିବ... ଆଉ ଛୁଆଙ୍କ ପାଇଁ ବ୍ୟସ୍ତ ହୁଅନି... ମୁଁ ତାଙ୍କ କଥା ବୁଝିବି.... ମୋ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବି ତାଙ୍କୁ ଭଲରେ ରଖିବାକୁ... ତମ ପରେ ତାଙ୍କ ଛଡ଼ା ମୋର ଆଉ କିଏ ଅଛି.... କିଛି ସୁଖ ତମକୁ ଦେଇ ପାରିଲିନି... ସେଥିପାଇଁ ରୋକିବିନି... ପିଲା ପଚାରିଲେ କହିଦେବି ମାମାର ଚାକିରୀ ହେଇଗଲା ସେ ବାହାରେ ରହୁଛି... ବ୍ୟସ୍ତ ହେବନି କେହି ଜାଣିବେନି....

ମୁଁ ବୁଝିଗଲି ତା ଅର୍ଥ ସକାଳେ ଶିଢ଼ି ରେ ଯୋଉ ଶବ୍ଦ ହେଇଥିଲା ତା ମୋ ସ୍ୱାମୀଙ୍କ ଜିନିଷ ପଡିବା ଶବ୍ଦ ଥିଲା ଆଉ ସେ ସବୁ ଶୁଣି ନେଇଛନ୍ତି l ମୋ ଛାତି ବିଦାରି ହେଇ ଯାଉଥାଏ l ବାକ୍ସ ଧରି ଉଠିକି ଗଲି l କବାଟ ଖୋଲି ବାହାରକୁ ଆସିଲି l କାହିଁକି କେଜାଣି ଗୋଡ଼ ବଢୁ ନଥାଏ l ଲାଗୁଥାଏ ଯେମିତି ଚାରିଆଡ଼ ଶୂନ୍ୟ l ମୁଁ ଏକୁଟିଆ ହେଇ ଯାଉଛି l ବୁଲିପଡି ଚାହିଁଲି ଦେଖିଲି ସ୍ୱାମୀ କବାଟ ପଛପଟେ ଚାହିଁଛନ୍ତି ଆଖିରୁ ତାଙ୍କର ଲୁହ ବହି ଯାଉଛି କିନ୍ତୁ ପଦେ କିଛି କହୁ ନାହାନ୍ତି l

ମନେ ମନେ ଭାବିଲି ବହୁତ ପ୍ରେମ ହେଇଗଲା l କଣ ଟଙ୍କା ଜୀବନର ସବୁ l ଭିତରକୁ ଯାଇ କାନ୍ଦିକି କହିଲି, କଅଣ ଟିକେ ସାହସ ନାହିଁ ମତେ କହିବାକୁ ରହିଯା..... ଯାଆନାଁ.... ମୁଁ ମରିଗଲେ ତମ ମନ ଶାନ୍ତ ହେବ.... ନୂଆ ସ୍ତ୍ରୀ ଆଣିବାକୁ ଏତେ ଇଚ୍ଛା.... ନୀରବ ରହିବାର ବି ଗୋଟେ ସୀମା ଥାଏ...

ସ୍ୱାମୀ ଧୀରେକିନା ଆସି ମତେ ତାଙ୍କ ଛାତିରେ ଆଉଜାଇ ନେଇ କହିଲେ, ସତ କହିବି ତମେ ଯଦି ଆଜି ଯାଇଥାନ୍ତ ମୁଁ ଜାଣେନା ମୋର କଅଣ ହେଇ ଥାଆନ୍ତା.... ଆଉ ମୁଁ ଭାବେ ଯିଏ ମରିଯିବି କହେ ସେ ବେଶିଦିନ ବଞ୍ଚେ.... ମୋ ନୀରବତା ହିଁ ମୋର ଭଲପାଇବା.... ଆଉ ଅଧିକ କଣ ଶୁଣିବାକୁ ଚାହୁଁଛମୁଁ ଆଉ ଶୁଣିବା ଅବସ୍ଥାରେ ନଥିଲି l ଖାଲି ଭୋ ଭୋ ହୋଇ କାନ୍ଦି ମୋ ସ୍ୱାମୀଙ୍କୁ କୁଣ୍ଢାଇ ଧରିଥିଲି ଆଉ କହୁଥିଲି, ତମେ ମଣିଷ ନାଁ ଦେବତା ।



Rate this content
Log in

Similar oriya story from Abstract