Aparajita Sarangi

Abstract Romance Classics

4  

Aparajita Sarangi

Abstract Romance Classics

ମୂଲ୍ୟବାନ ମନ!!

ମୂଲ୍ୟବାନ ମନ!!

8 mins
22


ଜୀବନ ର କଷଟି ପଥର ରେ ଘଷି ମାଜି ହୋଇ ଚକ ଚକ ଦିଶିବାକୁ ତ ଇଚ୍ଛା ହୁଏ କିନ୍ତୁ ଉଜ୍ଜ୍ୱଳ ଅନୁଭୂତି କଣ ସମସ୍ତଙ୍କ କପାଳ ରେ ଥାଏ l ଘଷି ମାଜି ହେଇ ବି ସେଇ କଳା ଜୀବନ ଟାକୁ ଧରି ବଞ୍ଚିବାକୁ ପଡେ l ଶତ ଚେଷ୍ଟା କରି ବି ହlରିବାର କଷ୍ଟ କୁ ଅଙ୍ଗେ ନିଭେଇବାକୁ ପଡେ l ଦୁଃଖ ର ଜ୍ୱାଳା କୁ ହୃଦୟ ରେ ଅବଦମିତ କରି ରଖିବାକୁ ପଡେ l ନହେଲେ ଆଉ କିଛି ଉପାୟ ବି ତ ନଥାଏ l ଜୀବନ ରେ ମୃତ୍ୟୁ ଯେମିତି ସତ୍ୟ ବଞ୍ଚିବା ଟା ବି ଏକପ୍ରକାର ର ସତ୍ୟ l ଜନ୍ମ ରୁ ମୃତ୍ୟୁ ଯାବତ ଜୀବନ କୁ ତ ଜୀଇଁବାକୁ ହିଁ ପଡ଼ିବ l ତାକୁ ଆମେ ନ ଚାହିଁଲେ ବି ଆମକୁ ଧରି ଆଗକୁ ବଢ଼ିବାକୁ ପଡ଼ିବ l ଏ କପାଳ ଲିଖନ ଏ ପୃଥିବୀ ରେ ଅନେକ ହତଭାଗ୍ୟ ଙ୍କ ଭାଗ୍ୟରେ ଥାଏ l ଯେମିତି କି ଗଳ୍ପ ର ନାୟିକା ମୀରା l କିନ୍ତୁ ଏ କପାଳ ଲିଖନ ବେଳେ ବେଳେ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଥାଏ

ମୀରା ର ରୂପ ଦେଖିବାକୁ ଯେମିତି ଗୁଣ ବି ସେମିତି l ଯିଏ ଦେଖିବ ଘଡିଏ ଚାହିଁବ l ସେଥିପାଇଁ ତ କଲେଜ ରେ ନାମ ଲେଖାଇଲl ପରଠାରୁ ଲାଗିଥିଲା ବିବାହ ନିମନ୍ତେ ବରଙ୍କର ଧାଡି l ବିନା ଯୌତୁକ ରେ ବି ନେବା ପାଇଁ ପ୍ରସ୍ତୁତ ହୋଇ ଯାଇଥିଲେ ବର ଘର l କିନ୍ତୁ କହନ୍ତି ପରା ଯୋଡ଼ି ଉପରୁ ଗଢ଼ା ହେଇ ଆସିଥାଏ l ଯେଉଁଦିନ ସେ ମନ୍ଦିର ରୁ ଠାକୁର ଦର୍ଶନ କରି ଫେରୁଥିଲା ସେଦିନ ତା କପାଳ ଲିଖନ ବୋଧହୁଏ ଯୋଡ଼ି ପାଇବାର ଷ୍ଟାମ୍ପ ମାରିଥିଲା l

ତର ତର ହୋଇ ମନ୍ଦିର ବେଢାରୁ ବାହାରି ପାହାଚ ରେ ଓହ୍ଲାଇ ଆସୁ ଆସୁ ଗୋଡ଼ ଟା ମୋଡ଼ି ହୋଇଗଲା ତାର l ଯନ୍ତ୍ରଣା ରେ ଶିହରୀ ଉଠି ପାଦକୁ ଧରି ବସି ପଡିଲା ମୀରା l ଖରା ଦିନ l ଉପରେ ପ୍ରଚଣ୍ଡ ରୌଦ୍ର ତାପ ସେଥିରେ ଏ ପାଦ ର ଯନ୍ତ୍ରଣା l ପାହାଚ ରେ ବସି ପାଦ ଆଉଁସୁ ଥାଏ l ହଠାତ ମୀରାକୁ ଶୁଭିଲା ଯେପରି କେହି କହୁଛି, ଓଃ ଭାରି କଷ୍ଟ ହେଉଥିବ... କହିବ ଯଦି ଆମେ ଆଉଁସି ଦେବୁ... ତମ ଭଳି ଝିଅର ସେବା କରିବା ତ ଆମର ସୌଭାଗ୍ୟ l

ମୀରା ମୁହଁ ଟେକି ଚାହିଁବା ବେଳକୁ ଚାରି ପାଞ୍ଚଟା ହେବ ଲଫଙ୍ଗା ଟୋକା ଠିଆ ହୋଇଛନ୍ତି ଓ ତାକୁ କମେଣ୍ଟ ମାରି ହସୁଛନ୍ତି l ନିଛାଟିଆ ଖରlବେଳ l ଭୟ ରେ ମୀରା ର ଦେହ ଥରି ଉଠିଲା l ଏମିତି ବି ସେ ଟିକେ ଡରୁଆ ସ୍ୱଭାବ ର l ସେ ଧୀରେ ଧୀରେ ଉଠି ଠିଆ ହେବାକୁ ଚେଷ୍ଟା କଲା l କିନ୍ତୁ ନିଜକୁ ସେ ସମ୍ଭାଳି ପାରୁ ନଥାଏ l ଦେଖିଲା ପିଲାଗୁଡା ତା ଆଡ଼କୁ ଆସିବା ଆରମ୍ଭ କଲେଣି l ସେ କଣ କରିବ କିଛି ବୁଝି ନପାରି ଦଉଡିବାକୁ ପ୍ରୟାସ କଲା କିନ୍ତୁ ପାରିଲାନି l ଆଉ କିଛି ଅଘଟଣ ଘଟିବା ଆଗରୁ ହଠାତ ତାକୁ ଲାଗିଲା କେହି ଜଣେ ଆସି ତା ହାତ ଧରି ତା ଆଗରେ ପ୍ରାଚୀର ଭଳି ଠିଆ ହୋଇଛି l ଭୟରେ ଆଖି ବୁଜି ଦେଇଥିବା ମୀରା ଆଖି ଖୋଲି ଦେଖେତ ଡେଙ୍ଗା ହୋଇ ସୁନ୍ଦର ଚେହେରା ବିଶିଷ୍ଟ ଯୁବକ ଜଣେ ତା ସୁରକ୍ଷା ପାଇଁ ଅସିଛି l

ସେହି ମୁହୂର୍ତ୍ତରେ ମୀରାକୁ ଲାଗିଲା ସତେକି ଏକ ଚଳଚ୍ଚିତ୍ର ର କିୟଦଂଶ ସେ ଦେଖୁଛି l ସେଥିରୁ ଜଣେ ମାଡ଼ି ଆସି କହିଲା, ତୁ କିଏ.... ଆଉ ସିଏ ତୋର କିଏ...

ସେ ମୋ ସ୍ତ୍ରୀ.... ଯଦି କିଛି ସନ୍ଦେହ ଅଛି ଚାଲ କୋର୍ଟ ରେ ପ୍ରମାଣ ଦେଖେଇ ଦେବି,

କହିଦେଇ ଯୁବକଟି ମୀରା ର କାନ୍ଧ କୁ ଧରି ତା ଦେହରେ ଆଉଜାଇ ନେଲା ଓ ବିରକ୍ତି ଭଙ୍ଗୀରେ କହିଲା,

ଓଃ ତମକୁ କେତେଥର କହିଛି ତର ତର ହେଇ ପାହାଚ ରେ ଓହ୍ଲାଇବନି ବୋଲି... ଦେଖିଲ ତ ଆଜି କଣ ହେଲା...

ସେ ପିଲାମାନେ କଣ ଭାବିଲେ କେଜାଣି ସେଠୁ ପଳାଇ ଗଲେ l ସେଦିନ ସଖି କଣ୍ଢେଇ ଟେ ଭଳି ମୀରା ସେ ଯୁବକଙ୍କର ସବୁ କଥା ମାନିଗଲା l ସେହି ପିଲାମାନେ ଗଲାପରେ ଯୁବକ ଜଣକ ନିଜ ବାଇକ ରେ ବସେଇ ତାକୁ ତା ଘରେ ଛାଡିଦେଲା l ମୀରା ଚୁପ ଚାପ ନିଜ ଘରକୁ ପଳେଇଲା କିନ୍ତୁ ଭୁଲିଗଲା ତା ନାମ ପଚାରିବାକୁ l ତା ପରେ ଦୀର୍ଘ ପନ୍ଦର ଦିନ କାଳ ଯୁବକ ଜଣକ ରାସ୍ତା କଡ଼ରେ ଠିଆ ହୋଇଥିବା ର ସେ ଦେଖେ କିନ୍ତୁ କାହିଁକି ସେ ଜାଣେନା l ହଠାତ ଦିନେ ସେ ଯୁବକ ଜଣକ ଠିଆ ହୋଇ ନଥିଲେ l ସେଦିନ ମୀରା କୁ ଭାରି ଅସ୍ତ ବ୍ୟସ୍ତ ଲାଗିଲା l ସନ୍ଧ୍ୟା ଗଡି ଗଲା l ମୀରା ଘରୁ କିଛି ଦୂର ଆସି ଖୋଜିଲା କିନ୍ତୁ ପାଇଲାନି l ରାତି ଆଗତ ପ୍ରାୟ l ରାସ୍ତା ମଧ୍ୟ ଧୀରେ ଧୀରେ ନିର୍ଜନ ହେବାକୁ ଲାଗିଲା l ମୀରା କୁ ଖୁଵ ବ୍ୟସ୍ତ ଲାଗୁଥାଏ l ସେ ରାସ୍ତା କଡ଼ରେ ଥିବା ଏକ ସିମେଣ୍ଟ ବେଞ୍ଚ ଉପରେ ବସି ପଡିଲା l କଣ କରିବ ସେ ବୁଝି ପାରୁ ନଥାଏ l

ହଠାତ କାନ୍ଧ ରେ ସେ କାହାର ହାତ ର ସ୍ପର୍ଶ ଅନୁଭବ କଲା l ସେ ଦେଖିଲା ଯୁବକ ଜଣକ ଠିଆ ହୋଇଛନ୍ତି l ମୀରା ଜାଣି ବି ପାରିଲାନି କାହିଁକି କିନ୍ତୁ ତା ଆଖିରୁ ଧାର ଧାର ହୋଇ ଲୁହ ବହି ଯାଉଥାଏ l ସେ ଆଉ କିଛି ନଭାବି ଯୁବକ ଜଣଙ୍କୁ କୁଣ୍ଢାଇ ପକାଇ ଭୋ ଭୋ ହୋଇ କାନ୍ଦିବାରେ ଲାଗିଲା l ଯୁବକ ଜଣକ ତା ମୁଣ୍ଡ ଆଉଁସି ଦେଉ ଦେଉ କହିଲେ, ମୋ ନାଁ ଗୌରବ... ତମ ନାଁ...

ମୀରା...., ଲୁହ ପୋଛୁ ପୋଛୁ ମୀରା କହିଲା l

କଣ ମୋର ସତ ସତିକl ସ୍ତ୍ରୀ ହେବ l ତିଳେ ମାତ୍ର ନ ଭାବି ମୀରା କହିଲା, ହଁ ହେବି l

କହନ୍ତି ଯୋଡ଼ି ଉପରୁ ବନିକି ଆସିଥାଏ ଆଉ ମୀରା ର ବୋଧହୁଏ ସେହିପରି ଥିଲା l ଘର ଲୋକଙ୍କର ଅନିଚ୍ଛା ସତ୍ତ୍ୱେ ସେ ବିବାହ କଲା ଗୌରବ କୁ l ତା ବିଷୟରେ ମୀରା ଏତିକି ଜାଣିଥିଲା ଯେ, ସେ ମୀରା ରହୁଥିବା ସହର ରେ ଏକ ପ୍ରାଇଭେଟ କମ୍ପାନୀ ରେ କାମ କରେ ଓ ମୀରାକୁ ଭଲ ପାଏ l ମନ୍ଦିର ରେ ବିବାହ ସାରି ମୀରା ଆସି ପହଞ୍ଚି ଥିଲା ଗୌରବ ଘରେ l ବାପାଙ୍କର ଏକ ବଡ଼ ଅଟ୍ଟାଳିକା ରୁ ବାହାରି ଆସି ପହଞ୍ଚି ଥିଲା ଏକ ଗୋଟିକିଆ ରୁମ ଵାଲା ଘରେ l ଯେଉଁଠି ଖରା ବର୍ଷା ରୁ ରକ୍ଷା ପାଇବା ପାଇଁ ଖାଲି ଘରଟିଏ ହିଁ ଥିଲା l କିନ୍ତୁ ମୀରାକୁ ସେ ଘର ମଧ୍ୟ ସ୍ୱର୍ଗ ସମ ଲାଗିଲା l କିଛି ଦିନ ବହୁତ ଆନନ୍ଦ ରେ କଟିଗଲା l

ମାତ୍ର ଧୀରେ ଧୀରେ ସଂସାର ବୋଝ ବଢ଼ିବାରେ ଲାଗିଲା l ଏହା ମଧ୍ୟରେ ମୀରାର ଝିଅଟିଏ ମଧ୍ୟ ହୋଇ ଯାଇଥାଏ l ମାତ୍ର ଈଶ୍ଵର ଙ୍କ ଲୀଳା ବି ଅପରମ୍ପlର l ଝିଅଟି ଶାରୀରିକ ସ୍ତରରେ ବିକଳାଙ୍ଗ ଥିଲା l ବହୁ କଷ୍ଟରେ ବାଡ଼ି ଧରି ଚାଲୁଥିଲା l ଗୋଡ଼ ଅପରେସନ କରି ଭଲ କରିବାକୁ ପାଖରେ ଟଙ୍କା ମଧ୍ୟ ନଥିଲା l ଯାହା ମୀରା ପାଇଁ ଖୁଵ କଷ୍ଟ ଦାୟକ ଥିଲା l

ଦିନେ ସେ ଗୌରବ କୁ କହିଲା, ମୁଁ ଭାବୁଛି ବାପାଙ୍କ ପାଖକୁ ଯାଇ ଝିଅ ଅପରେସନ ପାଇଁ ଟଙ୍କା ମାଗିବି l

ବାସ ଏତିକି କଥା l ଜୀବନରେ ଟାଣ କି ପଦେ କଥା କହି ନଥିବା ଗୌରବ ଚିତ୍କାର କରି ଉଠିଲେ,

ତମର ମୋ ମାନ ସମ୍ମାନ ର ତିଳେ ଚିନ୍ତା ନାହିଁ.... ସେଭଳି ଲୋକ ର ଗୋଡ଼ ଧରିବା ଅପେକ୍ଷା ମୋ ଝିଅ ବିକଳାଙ୍ଗ ହେଇ ରହିଯାଉ.... ଯଦି ମନରେ ଆଉ ଦିନେ ଏପରି କଥା ଆଣିବ ତେବେ ସବୁଦିନ ପାଇଁ ମତେ ଭୁଲିଯିବ..

ତା ପରେ ମୀରା ମୁହଁ ବନ୍ଦ l ସେ ଆଉ ଦିନେ ସେକଥା ଉଠେଇନି l ଜୀବନ ସ୍ରୋତ ରେ ତାଙ୍କର ଛୋଟ ସଂସାର ପଡ଼ି ଉଠି ଭାସି ଚାଲିଲା l ହଠାତ ଦିନେ ଗୌରବ ର ପ୍ରମୋସନ ର ଆଶା ଦେଖାଗଲା l ନିଜ ବସ କୁ ଖୁସି କରିବାକୁ ସେ ଘରକୁ ତାଙ୍କୁ ଖାଇବାକୁ ନିମନ୍ତ୍ରଣ କଲା l ସ୍ୱାମୀ ଙ୍କ ପ୍ରମୋସନ ଆଶାରେ ମୀରା ଘରକୁ ନିଜ ସାଧ୍ୟ ମତେ ସଜେଇ ସୁସ୍ୱାଦୁ ବ୍ୟଞ୍ଜନ ମଧ୍ୟ ପ୍ରସ୍ତୁତ କରି ଥିଲା l ବସ ଆସି ଖାଇ ଖୁସି ମଧ୍ୟ ହେଲେ l ମୀରା ନିଜ ଝିଅକୁ ଦେଖାଇ ନିଜ ଦୁଃଖ କାହାଣୀ ମଧ୍ୟ କହିଲା l ଏହି ପ୍ରମୋସନ ତାଙ୍କ ପାଇଁ କେତେ ଆବଶ୍ୟକ ତାହା ମଧ୍ୟ ବୁଝାଇ ଦେଲା l ଗୌରବ ମୀରାର ଏ ଚେଷ୍ଟା ଦେଖି ମନେ ମନେ ମୀରାକୁ କୃତଜ୍ଞତା ମଧ୍ୟ ଜଣାଉ ଥାଏ l

କିନ୍ତୁ ଏ କଣ ବସ ଙ୍କ କାନରେ କିଛି ପଶୁ ନଥାଏ l ତାଙ୍କ ଆଖି ମୀରାର ସୌନ୍ଦର୍ଯ୍ୟ ଉପରେ ଥାଏ l ଏକ କୁଟିଳ ହସ ହସି ବସ ମୀରାର ହାତ ଧରି କହିଲେ,

ଭାଉଜ ସବୁ ସମ୍ଭବ.... କିନ୍ତୁ ମତେ ବି ତ କିଛି ତା ବଦଳରେ ଦର୍କାର... ଯଦି ତମେ ମୋ ପାଖକୁ ଆସିବ ମୋ ସଙ୍ଗେ କିଛି ଦିନ ରହିବ... ମୁଁ ସତ କହୁଛି ଏହାଠାରୁ ବହୁତ ଅଧିକ ମୁଁ ଦେବି...

ଏହା ଶୁଣି ମୀରାର ଛାତି ଥରିଗଲା l ସେ ଗୌରବ କୁ ଚାହିଁଲା l ପ୍ରଥମ ଥର ସେ ଦେଖିଲା ଗୌରବ ଆଖିରେ ଲୁହ l କ୍ଷଣେ ମାତ୍ର ବିଳମ୍ବ ନକରି ଗୌରବ ତା ବସ କୁ ଗୋଟେ ଶକ୍ତ ଧକ୍କା ଦେଲା l ବସ ତ ଚାଲିଗଲା l କିନ୍ତୁ ଗୌରବ ନିଜ ଚାକିରୀ ଟି ହରେଇଲା l ଘରେ ରହିବା ହେତୁ ଓ ଅର୍ଥlଭାବ ଯୋଗୁଁ ଗୌରବ ର ମାନସିକ ଅବସାଦ ବଢ଼ିବାରେ ଲାଗିଲା ଏବଂ ମୀରା ମଧ୍ୟ ଚିଡି ଚିଡି ହେଲା l ଘରେ ଅଶାନ୍ତି ବଢ଼ିବାରେ ଲାଗିଲା l

ଦିନେ ମୀରା ଆସି କହିଲା ତାକୁ ଏକ ଅଫିସ ରେ ପ୍ରାଇଭେଟ ସେକ୍ରେଟାରୀ ପୋଷ୍ଟ ମିଳିଛି l ଗୌରବ ଝିଅର ଯତ୍ନ ନିଏ ମୀରା ବାହାରେ କାମ କରେ l ଧୀର ଧୀରେ ମୀରାର କାମ ହେତୁ ଫେରିବାରେ ବିଳମ୍ବ ହୁଏ l ଏହା ଗୌରବ କୁ ଅସହ୍ୟ ବୋଧ ହେଲା ତା ମନରେ କୁ ଚିନ୍ତା ବଢ଼ିବାରେ ଲାଗିଲା l ମୀରା ତା ଅଫିସ ର ଜଣେ ଷ୍ଟାଫ ରାକେଶ ସହ ଅଧିକ ମିଳା ମିଶା କଲା l ରାକେଶ ଉପରେ ମୀରାର ବିଶ୍ୱାସ ବଢିଲା l ସେ ମୀରା ମନରେ ଆଶା ଦେଲା ତା ଚିହ୍ନା ପରିଚୟ ରେ ସେ ଝିଅର ଗୋଡ଼ ଅପରେସନ କରି ଦେବ l ଦିନେ ମୀରାକୁ ରାକେଶ ଆସି ଘରେ ଛାଡି କି ଗଲା l ଯାହା ଯୋଗୁଁ ଘରେ ସେଦିନ ଖୁଵ ଜୋରେ କଳହ ହେଲା l

ମୀରା.... ମୁଁ ପଛେ ମୁଲିଆ କାମ କରିବି ତମର ବାହାରକୁ କାମରେ ଯିବା ଦରକାର ନାହିଁ...

ମୁଁ ତମ ପାଦ ତଳର ଚାକରlଣୀ ନୁହେଁ ତମେ ମୋ ସହ ସବୁଥିରେ ଜୋର ଜବରଦସ୍ତ କରିବ... ମୁଁ କାମ କରିବି ଆଉ ମୋ ଝିଅର ଚିକିତ୍ସା କରିବି... ତମ ପlରିବାପଣିଆ ମୁଁ ଦେଖି ସାରିଲିଣି... ମୋର ଯାହା ସହ ଇଚ୍ଛା ମୁଁ ମିଶିବି... ତମେ ଯଦି ମତେ କିଛି ଦେଇ ପାରୁନ ପାଟି ଖୋଲିବାର ବି ଅଧିକାର ନାହିଁ... ଏବେବି ମତେ ଆଶ୍ରୟ ଦେବାକୁ ଲୋକ ଅଛନ୍ତି l

ଏତକ କହି ଦେଇ ମୀରା ରାଗିକି ଘରୁ ବାହାରି ଚାଲିଗଲା l ଗୌରବ ମଧ୍ୟ ସେଦିନ କାହିଁକି କେଜାଣି ଚୁପ ରହିଗଲା l ମୀରା ଯାଇ ଅନ୍ଧାର ରାତିରେ ରାସ୍ତାରେ ଠିଆ ହୋଇଥାଏ l ସତେକି ମାନସିକ ଯନ୍ତ୍ରଣା ତlର ଦେହ ମନକୁ ପୋଡି ପକାଉଥାଏ l ଅଶାନ୍ତି ର ବଳୟ ମଧ୍ୟରୁ ବାହାରି କୁଆଡ଼େ ଚାଲିଯିବ ସେ ଭାବୁଥାଏ l ସତରେ ଏ ଫଟା କପାଳ ସହ ସେ ବା କେତେ ଦିନ ଲଢ଼ିବ l ଶାନ୍ତି ଟିକକ ସେ କେଉଁଠୁ ପାଇବ l ଦିନ ଥିଲା ଏଇ ଅନ୍ଧାର ରାତି ତାକୁ ଚିରଦିନ ପାଇଁ ଗୌରବ ସହ ମିଶାଇ ଥିଲା ଆଉ ଆଜି ହୁଏତ ସମ୍ପର୍କ ରେ ପୂର୍ଣ୍ଣଚ୍ଛେଦ ଟାଣିଦେଲା l ଯଦି ତାର ମୀରା ପାଇଁ ଚିନ୍ତା ଥାଆନ୍ତା ସେ କଣ ମୀରା ପଛରେ ଆସି ନଥାନ୍ତା l

ମୀରା ମନ କ୍ରୋଧରେ ଆନ୍ଦୋଳିତ ହେଲା l ସେ ରାକେଶ କୁ ଫୋନ କଲା ଓ ସବୁକଥା କହିଲା l ରାକେଶ ଆସି ପହଞ୍ଚି ତାକୁ ନିଜ ଘରକୁ ନେଇକି ଗଲା l ମୀରା ରାକେଶ ଘର ନିକଟରେ ପହଞ୍ଚିଲା l ରାକେଶ ଏକୁଟିଆ ରହୁଥିଲେ ହେଁ ଘରଟି ତାର ବଡ଼ ଥିଲା l ଘରର ଚାବି ଖୋଲୁ ଖୋଲୁ ରାକେଶ କହିଲା,

ମୀରା ଆଜିଠୁ ଏ ଘର ତମର l ମାନେ ଆମର l ଆମ ନୂଆ ସଂସାର ଏଇଠି ଗଢିବା l ଏତକ କହି ସେ ଆସି ମୀରାର ହାତ ଧରିଲା ଏବଂ ଧୀରେ ଧୀରେ ତା ନିକଟବର୍ତ୍ତୀ ହେବାକୁ ଚେଷ୍ଟା କଲା l

ସତରେ ଦୁନିଆ ଟା ଏଇଆ l ପୁରୁଷ ଜାତି କଣ ଅସହାୟ ସ୍ତ୍ରୀ ଠୁ ଖାଲି ଏଇଆ ଆଶା କରେ l ମୀରାର ମନ ବିଦ୍ରୋହ କରି ଉଠିଲା l ସେ ନିଜକୁ ଦୂରେଇ ନେଇ କହିଲା, ପ୍ଲିଜ ରାକେଶ ମୁଁ ବିବାହିତ... ମୋତେ ଅଲଗା ଜାଗାରେ ରାତିକ ପାଇଁ ରଖିବାର ବ୍ୟବସ୍ଥା କର କାଲିଠୁ ମୁଁ ମୋ କଥା ବୁଝିବି...

କଣ ସେ ବେକାର ନିକମ୍ମା ସ୍ୱାମୀ କଥା ତମେ ଭାବୁଛ... ତା ଠାରୁ ବହୁତ ଅଧିକ ତମେ ମୋଠୁ ପାଇବ....

ସେ ନିକମ୍ମା ହେଉ ପଛେ ମୁଁ ତାର ସ୍ତ୍ରୀ....

ଥାଉ ମୀରା ଏତେ ସତୀ ସାବିତ୍ରୀ ଆଉ ଦେଖେଇ ହେବା ଦର୍କାର ନାହିଁ... ନହେଲେ କୋଉ ଭଦ୍ର ଘରର ସ୍ତ୍ରୀ ରାତି ଅଧରେ ପର ପୁରୁଷ ପାଖକୁ ଆସିବ... ଆଉ ଡ୍ରାମା କରନି... ଭିତରକୁ ଆସ...

ରାକେଶ ର କଥା ଶର ଭଳି ବିଦ୍ଧ କରୁଥିଲା ମୀରାର ଦେହକୁ l ସେ ଘୃଣା ଭରା ଆଖିରେ ରାକେଶ କୁ ଚାହିଁ ମୁହଁ ଫେରେଇ ନେଇ ଫେରି ଯିବାକୁ ଉଦ୍ୟତ ହୁଅନ୍ତେ ରାକେଶ ପଛପଟୁ ତା ହାତ ଟାଣି ତାକୁ ରଖିବାକୁ ଚେଷ୍ଟା କଲା ଯାହା ନିକଟରେ ମୀରା ଖୁଵ ଦୁର୍ବଳ ଥିଲା l ସେ ଚାହିଁକି ବି ନିଜକୁ ରକ୍ଷା କରି ପାରୁ ନଥାଏ l କିନ୍ତୁ ଏ କଣ l ଏକ ଶକ୍ତ ଧକ୍କା ରେ ରାକେଶ ତଳେ ପଡିଗଲା l ଆଉ ସେ ଧକ୍କା ତାକୁ ଗୌରବ ହିଁ ଦେଇଥିଲା l

ଆଉ ଯଦି ମୋ ସ୍ତ୍ରୀ କୁ ଛୁଇଁବାକୁ ଚେଷ୍ଟା କରିବୁ ତୋ ହାତ ଖଣ୍ଡ ଖଣ୍ଡ କରିଦେବି l ସେ ଭଦ୍ର ଘରର ସ୍ତ୍ରୀ ଆଉ ତାକୁ ମର୍ଯ୍ୟାଦା ଦେଇ ତା ସମ୍ମାନ ଏ ନିକମ୍ମା ସ୍ୱମୀ ହିଁ ରକ୍ଷା କରିବ l

ଏତକ କହି ଗୌରବ ମୀରାର ହାତ ଧରି କହିଲା, ଘରକୁ ଚାଲ.... କଣ କରିବି ଭଲ ତ ପାଇଛି ଛାଡିକି ରହି ପାରୁନି.... l

ମୀରା ଗୌରବ ସହ ଅନ୍ଧକାର ରାତିରେ ତାର ସେ ଗୋଟିକିଆ ବଖରା ବିଶିଷ୍ଟ ଘରକୁ ଫେରୁଥାଏ ଏବଂ ଏକl ଆଖିରେ ଗୌରବ କୁ ଚାହିଁଥାଏ l ତା ମନରେ ପ୍ରଶ୍ନ ଉଠୁଥାଏ, ତା କପାଳ ଲିଖନ ଟା କଣ ତା କପାଳ ସିନା ତାକୁ ଧନ ଦେଇନି ସୁନାଠାରୁ ମୂଲ୍ୟବାନ ମନ ଟିଏ ତ ଦେଇଛି l



Rate this content
Log in

Similar oriya story from Abstract