Aparajita Sarangi

Abstract Action Classics

3  

Aparajita Sarangi

Abstract Action Classics

ମଣିଷ ପଣିଆ

ମଣିଷ ପଣିଆ

4 mins
9


ଘଟର ଘଟର ଶବ୍ଦ ମୋ କାନ ଫଟାଇ ଦେଉଥାଏ l ମୁଁ ଭାବିଲି କି ଅଟୋରେ ଆସି ବସିଲି ଯେ କାନ ଟା ପୁରା ତାବଦା ହୋଇଗଲା l ତା ସଙ୍ଗେ ଏ ବୁଢ଼ା ଅଟୋ ଵାଲା ଯେମିତି ଅଟୋ ଚଳାଉଛି ସାଇକେଲ କଣ ଚାଲିକି ଗଲେ ଵି ଲୋକ ଶୀଘ୍ର ପହଞ୍ଚି ଯିବେ l ମୁଁ ଭଲକି ସେ ଅଟୋ ଚାଳକ ଟିକୁ ଚାହିଁଲି l ଦେଖିଲି କଳା ମଚ ମଚ ବୁଢାଟିଏ l ଚୁଟି ଗୁଡା ସବୁ ପାଚି ଗଲାଣି l ଛିଣ୍ଡା ଗଞ୍ଜି ଆଉ ଧୋତି ଖଣ୍ଡେ ପିନ୍ଧିଛି l ଝାଳ ଦେହରୁ ନିଗିଡି ପାଦ ଦେଇ ତଳେ ଖସିକି ପଡୁଛି l ଭାବିଲି ଆଜି କାହା ମୁହଁ ଦେଖିଥିଲି ଏ ବୁଢ଼ା ହାବୁଡ଼ରେ ପଡ଼ିଲି l ମୁଁ ମୋ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାକୁ ଭାରି ବ୍ୟସ୍ତ ହେଉଥାଏ l ବହୁତ ଦିନ ପରେ ମୋ ସାଙ୍ଗ ବିଦେଶରୁ ଆସୁଛି l ସେ ପୁରୁଣା ସାଙ୍ଗମାନଙ୍କ ସହ ଗୋଟେ ଗେଟ ଟୁଗେଦର ରଖିଥାଏ l ସେଠିକି ଯିବି ବୋଲି ଖୁସିରେ ପନ୍ଦର ଦିନ ଆଗରୁ ମୁଁ ପ୍ରସ୍ତୁତି ଆରମ୍ଭ କରିଥାଏ l ଏଥିପାଇଁ ଘରେ ଭୟଙ୍କର କନ୍ଦଳ ଲାଗିଥାଏ l ସ୍ୱାମୀ କହିଲେ ଯେତେବେଳେ ଦେଖିବ ୟାର ବାହାରକୁ ଯିବାକୁ ବାହାନା ଦର୍କାର.... କାଇଁ ମତେ ତ ସାଙ୍ଗ ହେବାକୁ ଇଚ୍ଛା ହେଉନି... ତୁ କାଇଁକି ସବୁବେଳେ ସାଙ୍ଗ ସାଙ୍ଗ ହେଉଛୁ.... ଛୁଟି ଦିନ ଘରେ ଟିକେ ଶାନ୍ତିରେ ରହ l

ଆଉ ମୁଁ ଗାଲୁଆମୀ କରିବାରେ ଧୁରନ୍ଧର l ପୁରା ଫାଙ୍କି ଦେଇ ମିଛ ସତ ସ୍ୱାମୀଙ୍କି କହିଦେଇ ଆସି ଅଟୋ ଷ୍ଟାଣ୍ଡ ରେ ହାଜର l କିନ୍ତୁ ହାୟ, ବିଧିର ବିଧାନ କେ କରିବ ଆନ l ଏ ବୁଢ଼ା ଅଟୋଵାଲା ଭାବିଲି ମତେ ଏରୋପ୍ଲେନ ଭଳି ବେଗ ରେ ନେବ ଇଏ ତ ସାଇକେଲ ଠୁ ହୀନ l ମୋର ଧୈର୍ଯ୍ୟ ଚ୍ୟୁତି ଘଟିଲା l ପଚାରିଲି, ମଉସା ତମକୁ କେତେ ବର୍ଷ ହେଲାବା!

- ଝିଅଲୋ ଷାଠିଏ....

ତାର ସେ ପାନଖିଆ ଭଙ୍ଗା ଦାନ୍ତ ଦେଖି ଡେରି ହୋଇଯାଉଥିବାରୁ ଭାରି ଜୋରେ ରାଗିଗଲି ଆଉ କର୍କଶ ସ୍ୱର ରେ କହିଲି, ମଉସା ଷାଠିଏ ତ ହେଇଛି ନା ସତୁରି ଭଳି କାଇଁକି ହେଉଛ l ଅଟୋ ଚଲେଇ ଆସେନି ଯଦି ମୂଳରୁ ମନା କରିଦେଲନି... ମତେ ହଇରାଣ କାଇଁକି କରୁଛ l

- ଝିଅ ଲୋ ବ୍ୟସ୍ତ ହନା ଅଇନେ ପହଞ୍ଚେଇ ଦଉଛି l

ମତେ ସେ ଅଟୋ ମଉସା ଏତିକି କହିଛନ୍ତି, ତାଙ୍କ ମାନଧତା ଅମଳର ଭଙ୍ଗା ମୋବାଇଲ ଫୋନ ଟା ବାଜି ଉଠିଲା.... ଓ ମେରେ ସୋନା ରେ ସୋନା ରେ ସୋନା...

ମୁଁ ରାଗରେ ମୁହଁ ଟାକୁ ମୋଡିଦେଇ ଭାବିଲି ଦେଖ କି ଗୀତମ ରିଂ ଟୋନ ରେ ଲୋକଟାର l

- ହ୍ୟାଲୋ କିଏ କହୁଛ.... ଏଁ କଣ ହେଲା.... କିମିତି....

ବୁଢ଼ା ଭୟରେ ଥରିବାରେ ଲାଗିଲା l ତା କଳା ମୁହଁ ଟା ପୁରା ଶେତା ପଡ଼ି ଯାଇଥାଏ l ସେ ପୁରା ବ୍ୟସ୍ତ ବିବ୍ରତ ହୋଇ ପଡିଲା l ସେ ଥର ଥର ପାଟିରେ ମତେ କହିଲା ମ୍ୟାଡମ ମତେ କ୍ଷମା କରିନେବ l ଏତକ କହି ଦେଇ ପାଖରେ ଥିବା ବସ୍ତି ଆଡ଼କୁ ଅଟୋ ମୋଡ଼ି ଦେଲା l ମୋ ମୁଣ୍ଡ ପୁରା ଖରାପ ହୋଇଗଲା l ମୁଁ ଚିତ୍କାର କରି ଉଠିଲି, କଣ ତମ ମୁଣ୍ଡ ଖରାପ ହୋଇଗଲା ନା କଣ.....ମନ ଇଚ୍ଛା ଜାଗାକୁ ନେଉଛ... ଶୀଘ୍ର ଅଟୋ ବୁଲା କହୁଛି ନହେଲେ ଦେଖିବ ମୁଁ କଣ କରିବି...

ହଠାତ ଅଟୋ ବାଲାଟି ମୋ ଆଡ଼କୁ ଚାହିଁକି ଲୁହ ଛଳ ଛଳ ଆଖିରେ କହିଲା, ମ୍ୟାଡମ ମେଡିକାଲ ଏମାର୍ଜେନସି ଯୋଗୁଁ ମୁଁ ମୋ ଅଟୋ ମୋଡିଛି l ମୋ ସ୍ତ୍ରୀ ଭାତ ଗାଳୁଥିଲା ହାଣ୍ଡି ଓଲଟି ପେଜ ତା ଉପରେ ପଡିଗଲା l ତା ମୁହଁ ଦେହ ସବୁ ସିଝି ଯାଇଛି l ମୁଁ ତାକୁ ହସ୍ପିଟାଲ ନନେଲେ ସେ ମରିଯିବ l

ଏସବୁ ଶୁଣି ମୋ ପାଟିରୁ ଆଉ କଥା ବାହାରିଲା ନାହିଁ l ମୁଁ ନୀରବ ରହିଲି l ଆମେ ଖୁଵ କମ ସମୟ ମଧ୍ୟରେ ତା ଘରେ ପହଞ୍ଚିଲୁ l ଦେଖିଲା ବେଳକୁ ତା ଝିଅ ବସିକି କାନ୍ଦୁଥାଏ l ବାପାକୁ ଦେଖି ଦଉଡ଼ି ଆସି ତାକୁ ଭିଡି ଭିଡି ତା ମାଆ ପାଖକୁ ନେଲା l ଅଟୋ ଚାଳକର ସ୍ତ୍ରୀର ଦେହ ପୁରା କଳା ପଡିଯାଇଥାଏ l ଆମେ ତାକୁ ଧରିଲୁ ଓ ଡାକ୍ତରଖାନା ନେଲୁ l ସେଠାରେ ପହଞ୍ଚିଲା ପରେ ସେମାନେ ତାକୁ ଆଡମିଟ କରିବା ଆଗରୁ ତାକୁ ଦୁନିଆ ପ୍ରଶ୍ନ ପଚାରିଲେ l କେହି ମଧ୍ୟ କିଛି ଶୁଣିଲେ ନାହିଁ l ମୁଁ ବିରକ୍ତ ହୋଇ ତା ଝିଅକୁ କହିଲି ଆଲୋ କହୁନୁ ତୋ ମାଆର କଣ ହେଲା l ଅଟୋ ବାଲାଟି କାନ୍ଦ କାନ୍ଦ ହୋଇ କହିଲା, ଝିଅଲୋ ମୋ ଝିଅ ପରା ମୂକ ଆଉ ବଧିର l ମୋ ପଡୋଶୀ ଫୋନ କଲାରୁ ମୁଁ ଆସିଲି l ଏମାନେ ସବୁ ଶୀଘ୍ର କରନ୍ତି କିନ୍ତୁ ଏଥିପାଇଁ ଟଙ୍କା ଦର୍କାର ଯାହା ମୋ ପାଖରେ ନାହିଁ l ମତେ ଏସବୁ ଶୁଣି ଭାରି କାନ୍ଦ ଲାଗିଲା l ଭାବିଲି ହେ ପ୍ରଭୁ ବେଡ଼ି ଉପରେ କୋରଡ଼ା ମାଡ଼ l ମୁଁ ଆଉ କିଛି ନକହି ମୋ ପାଖରେ ଯାହା ଟଙ୍କା ଥିଲା ସେମାନଙ୍କୁ ଦେଇଦେଲି ଏବଂ ଜଣେ ସହୃଦୟ ଡାକ୍ତର ଙ୍କ ସାହାଯ୍ୟ ରେ ସେମାନେ ତାକୁ ଆଡମିଟ କଲେ l ସବୁ କାମ ସରି ଗଲାରୁ ମୁଁ ଆସିବାକୁ ବାହାରିଲି l ମୁଁ ଆସିବା ବେଳକୁ ସେ ଅଟୋ ମଉସା ଆସି ହାତ ଯୋଡି କହିଲେ, ମୁଁ ତମର ଏ ଉପକାର ଜୀଵନ ରେ ଭୁଲିବିନି l ମୁଁ ହସି ଦେଇ କହିଲି ମଉସା ଏଭଳି ଅବସ୍ଥା ତ କାହାର ଵି ହୋଇପାରେ l ତେଣୁ ଆଜି ଯାହା କଲି ତାହା ମୋର କର୍ତ୍ତବ୍ୟ ଥିଲା ଆଉ କିଛି ନୁହଁ ବ୍ୟସ୍ତ ହୁଅନି ମଉସା, ମାଉସୀଙ୍କ ଦେହ ଖୁଵ ଶୀଘ୍ର ଭଲ ହୋଇଯିବ l ମୁଁ ଏତକ କହି ଦେଇ ସିଧା ଘର ମୁହାଁ ଆଉ ଏକ ଅଟୋ ଧରି ଚାଲି ଆସିଲି l ସାଙ୍ଗମାନେ ଯେତେ ଫୋନ କଲେବି ଉଠାଇଲି ନାହିଁ l ମୋ ମନରେ କେବଳ ଗୋଟିଏ କଥା ଆସୁଥିଲା, ସବୁ କାମ ଆମ ଅନୁଯାୟୀ ହୁଏନି l କିଛି ଆମ ଇଚ୍ଛା ବାହାରେ ସଂଘଟିତ ହୁଏ l ଵାସ ତାକୁ ଆମେ କିପରି ଗ୍ରହଣ କରୁଛେ ତାହା ଗୁରୁତ୍ୱପୂର୍ଣ୍ଣ l ସେଦିନର ମେଡିକାଲ ଏମାର୍ଜେନସି ମତେ ଜୀବନରେ ମଣିଷ ପଣିଆର ଶିକ୍ଷା ଦେଇଥିଲା l

ସମାପ୍ତ ll



Rate this content
Log in

Similar oriya story from Abstract