ପିଲାଦିନର ଭୋକ
ପିଲାଦିନର ଭୋକ
ପିଲାଦିନର ଭୋକ
ଜୀବନ ଅଛି ତ ଭୋକ ବି ଅଛି।ଅନ୍ୟ ଭୋକ ତୁଳନାରେ ପେଟ ଭୋକ ର ଭୂମିକା ଗୁରୁତ୍ଵପୂର୍ଣ୍ଣ।ପେଟ ପୁରି ଥିଲେ ମନରେ ଅନ୍ୟ ଭୋକ ର କଥା ପରିକଳ୍ପନା କରା ଯାଇପାରେ।ଦିନ ଥିଲା ଏଇ ପେଟ ର ଭୋକ ସମ୍ଭାଳି ନ ପାରି କେବଳ ପାଣି ପିଇ ଶୋଇବାକୁ ପଡ଼ିଥିଲା। ପେଟ ରେ ଖାଦ୍ୟ ନ ଥିଲେ, ଭୋକ ର ଜ୍ଵାଳା ତୀବ୍ରତର।
ଆଜି ସକାଳୁ ଉଠିବା ଡେରି ହୋଇଛି। ସମୟ ସକାଳ ଏଗାର ହେଲାଣି।କିଛି ଖିଆ ହୋଇନି।ପେଟ ଜଳି ବାକୁ ଆରମ୍ଭ କଲାଣି।ପୁଅ ଆସି କହୁଛି,ଆଉ ଟିକେ ଡେରି ହେବ।
ପାଖରେ ବସି ମୋବାଇଲ୍ ଟିପୁ ଥିବା ପୁଅ ହଟାତ୍
କିଛି ପଚାରିବା ଦୃଷ୍ଟିରେ ମୋ ମୁହଁକୁ ଚାହିଁ ରହିଲା,
"ବାପା ତୁମେ କେବେ ଭୋକ ରେ ରହିଛ!"
ବାର ବର୍ଷ ବୟସ ର ପୁଅ ମୁହଁରେ ଏହି ପ୍ରଶ୍ନ ଶୁଣି ଚମକି ଉଠିଲି।ଭୋକ କଥା ଶୁଣୁ ଶୁଣୁ ଆଖି ଆଗରେ ନାଚି ଉଠିଲା ସେଇ ପିଲା ଦିନ ପାଠ ପଢ଼ା ସମୟର କଥା।ପିଲାକୁ ଠିକ୍ ବୁଝାଇବାକୁ ହେବ ,ଭୋକ ର ସଜ୍ଞା କଣ।ଅନ୍ୟ କଥା ନ ଭାବି ମୋ ନିଜ କଥା କହିଲି।
ଘର ଠୁ ପ୍ରାୟ ଛଅ କିଲୋମିଟର ଦୂରରେ ରବିବାର ଦିନ ସାପ୍ତାହିକ ହାଟ।ବାପାଙ୍କ ସହିତ କେତେ ଥର ହାଟକୁ ଯାଇଛି। ହାଟ କୁ ଯିବା ରାସ୍ତାରେ ଗୋଟିଏ ସରକାରୀ ହାଇ ସ୍କୁଲ୍ ଅଛି ଚତୁର୍ଥ ଠାରୁ ଏକାଦଶ ପର୍ଯ୍ୟନ୍ତ,ପୁଣି ହଷ୍ଟେଲ ସୁବିଧା ଅଛି।ସେ ସ୍କୁଲ୍ ଆଡେ ଆଙ୍ଗୁଠି ଦେଖାଇ ବାପା କହନ୍ତି," ତୋର ଅଷ୍ଟମ ହେଲେ ଏଇଠି ପଢ଼ିବୁ।ଖାଇବା, ରହିବା ଓ ବହିପତ୍ର ସବୁ ବିନା ପଇସାରେ,ମନ ଦେଇ ଖାଲି ପଢିଲେ ହେଲା।"
ମନେ ମନେ ଖୁସି ହେଉଥିଲି।ଆଉ ଏବେ ଅଷ୍ଟମ ରେ ନାମ ଲେଖା ହେଲା।ପ୍ରଥମ ଦିନରୁ ହିଁ କଷ୍ଟ ଅନୁଭବ ହେଲା,ବିଶେଷ କରି ଖାଇବା କଷ୍ଟ।ଘରେ ଥିଲାବେଳେ ଅତି କମ୍ ରେ ଚାରି ଥର ଖିଆ, ସକାଳୁ ଉଠିବା ଠାରୁ ରାତି ଶୋଇବା ପର୍ଯ୍ୟନ୍ତ ।ହଷ୍ଟେଲରେ କିନ୍ତୁ ଦୁଇ ଓଳି ଦୁଇ ଥର,ସକାଳ ନଅ ଓ ରାତି ନଅ।ଭୋକ ସମ୍ଭାଳି ହେଉନି।ଆହୁରି ଚାରି ବର୍ଷ ରହିବାକୁ ହେବ।ଘର ଲୋକଙ୍କୁ ଭୋକ ବିଷୟରେ କହିଲି।ଦୁଇ ତିନି ମାସ ପର୍ଯ୍ୟନ୍ତ ଗହମ ଓ ମାଣ୍ଡିଆ ଛତୁଆ ଦେଲେ,ତା ପରେ ପରେ ଭୁଲିଗଲେ।ମୋ ତରଫ ରୁ ବି ଆଉ ଦାବି ହେଲା
ନାହିଁ।ଭୋକ ସହିତ ମିଶିବା ଓ ଭୋକ କୁ ଚିହ୍ନି
ପାଇଁ ଚେଷ୍ଟା କଲି।
ସେତେବେଳର ହଷ୍ଟେଲ ଜିବନ ବି ଭଲ ନ ଥିଲା।
ଆଦର୍ଶ ଶିକ୍ଷା ଆଢ଼ୁଆଳରେ ପିଲାମାନେ ନିଜେ ନିଜେ ରୋଷେଇ କରି ଖାଉଥିଲେ ।ପ୍ରାୟ ସବୁଦିନ ଭାତ ପେଜ ପେଜୁଆ,ଯେଉଁ ଡାଲି ମିଳେ,ପାଣି ବି ଟିକିଏ ଅଧିକା ବହଳ ହେବ କହିଲେ ଭୁଲ୍ ହେବନି।ତରକାରୀ କଥା ନ କହିଲେ ଭଲ।
ଏ ପଟେ ପେଟରେ ଭୋକ,ଖାଇବାକୁ ମିଳୁଥିବା ଖାଦ୍ୟ ସ୍ଵାଦିଷ୍ଟ ନୁହେଁ କି ରୁଚିକର ବି ନୁହେଁ।କେବଳ ସିଝା ଖାଇବା ବ୍ୟତୀତ ଅନ୍ୟ ଉପାୟ ନ ଥିଲା।
ଖରାଦିନ ସନ୍ଧ୍ୟା ବେଳେ ଜୋର୍ ରେ ଦକ୍ଷିଣା ପବନ ହୁଏ ।ବହି ଧରି ପଢିବା ପାଇଁ ବସିଲେ
ଆଖିକୁ ନିଦ ଆଉ ପେଟରେ ଭୋକ,ଅସମ୍ଭାଳ।
ଖାଇବା ପାଇଁ ବେଲ୍ ବାଜିବା ପର୍ଯ୍ୟନ୍ତ ଶୋଇବାକୁ ହୁଏ।
ସେ ଭୋକ ନିୟନ୍ତ୍ରଣ ବାହାରେ ଥିଲା ।ଭୋକ କୁ ସାକ୍ଷୀ ରଖି ପଢ଼ା ପଢ଼ି ପ୍ରତିଧ୍ୟାନ ଦେଲି। କ୍ଲାସ୍ ରେ ବି ପ୍ରଥମ ହେଲି,ହେଲେ ମୋ ସହିତ ସହପାଠୀ
ଟିକିଏ ଆଶ୍ଚର୍ଯ୍ୟ ହୁଅନ୍ତି ଏବଂ କୁହା କୁହି ହେବାର ବି ଶୁଣିଛି,"ଇଏ ତ ସନ୍ଧ୍ୟା ହେଉ ହେଉ ଶୋଉଛି,
କେବେ ପଢ଼ିବାର ଆମେ ଦେଖୁନୁ,ତଥାପି କ୍ଲାସ୍ ରେ ପ୍ରଥମ!!"
ବେଳେବେଳେ ଦୁଇ ଜଣ ମିଶି ଗୋଟିଏ ମିଲ୍ସ ସକାଳେ ଖାଇ , ଅନ୍ୟ ମିଲସ୍ ଚାରିଟା ବେଳେ ଖାଉ।କିଛି ଦିନ ପରେ କଟକଣା ହେଲା।ତେଣୁ ଯେଉଁ ଭୋକ କୁ ସେଇ ଭୋକ । ଘର ତରଫରୁ ପଇସା ବି ମିଳେ ନାହିଁ କିଛି କିଣି ଖାଇବାକୁ।ଘରେ କହିବାକୁ ବି ଭୟ ଲାଗୁଥିଲା,କାରଣ ଅଧିକାଂଶ ଛାତ୍ର ଆମ ଗାଁ ରୁ ଆସି ହଷ୍ଟେଲରେ ରହୁଥିଲେ।ହଷ୍ଟେଲରେ ଅନ୍ୟ ପିଲାମାନେ ବି ଭୋକ ନ ସମ୍ଭାଳି ଅଧିକାଂଶ ସମୟ ଶୋଉ ଥିଲେ।
ସେ ଭୋକ ହିଁ ମୋତେ କିଛି କରିବା ପାଇଁ,ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ପ୍ରେରଣା ଦେଲା।
ଘଣ୍ଟା ଘଣ୍ଟା ଧରି ନ ପଢିଲେ ବି ଯେତିକି ସମୟ ପଢ଼ୁଥିଲି,ସମ୍ପୂର୍ଣ୍ଣ ପାଠ ପଢ଼ା ରେ ମଗ୍ନ ରହୁଥିଲି।
ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ୍ ରେ ପ୍ରଥମ ସ୍ଥାନ ଏବଂ ଏକାଦଶ ବୋର୍ଡ ପରୀକ୍ଷାରେ କୃତିତ୍ବ ସହିତ ଉତ୍ତୀର୍ଣ୍ଣ ହେଲି।ଭୋକ ସମ୍ଭାଳି ପାରୁ ନ ଥିଲି ସତ, କିନ୍ତୁ ସେଇ ଭୋକ ମୋତେ ଆଗକୁ ଯିବାକୁ ରାସ୍ତା ଦେଖାଇ ଥିଲା।ସେଇ ଭୋକ ର ଯନ୍ତ୍ରଣା ଏବେ ବି ମନେ ପଡୁଛି, ଯେତେବେଳ ଠିକ୍ ସମୟରେ ଖାଦ୍ୟ ନ ମିଳିଲେ।ସେଇ ଭୋକ ହିଁ ମୋର ମାର୍ଗଦର୍ଶକ।
ଗପ ଶେଷ ହେଲା ବେଳକୁ ପିଲା ଶୋଇ ଯାଇଥିଲା।ଅତୀତ ର କଥାକୁ ଦୋହରାଇ କହିବାକୁ ବି ଭଲ ଲାଗୁଥିଲା।ଭୋକ ର ମର୍ମ ଜାଣି
ନ ଥିବା ପିଲା,ମୋ ଅଙ୍ଗେଲିଭା କଥାକୁ ଗପ ଭାବି
ଶୁଣୁ ଥିଲା।ଆଉ ଏବେ ବୋଧେ ଶୋଇ ଶୋଇ ଶୁଣୁଛି ।
ରୋଷେଇ ଘରୁ ପାଟି ଶୁଭିଲାଣି ,ହଁ ହେଇଗଲା।
ଆଉ ଡେରି ନାହିଁ।ଆଗ ଭୋକ କଥା ,ପରେ ଅନ୍ୟ କିଛି।