Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Das

Inspirational

3.4  

Jayashree Das

Inspirational

ଗାଁ ଡାକୁଛି ଆ

ଗାଁ ଡାକୁଛି ଆ

2 mins
755



ଗାଁ ଡାକୁଛି ଆରେ ମିତ,

  ତତେ ଗାଁ ଡାକୁଛି ଆ

ସରଗ ସୁଖ ଏଇଠି ଅଛି,

   କେଡେ ମିଠା ତା ନାଁ ।


ଏଇଠି ପରା ତୋ ଷଠିଘର,

  କଟିଛି ଏଠି ବାଲ୍ୟ କୈଶୋର

ଶିଖିଛୁ ଚାଲି ଏଇ ମାଟିରେ,

  ଏଇଠି ଅଛି ତୋ ଚାଳଘର ।


ବରଷା ଧାର ଗାଁ ଦାଣ୍ଡରେ,

   କାଗଜ ନାଆ ଭାସି ଯାଏରେ

ଏନ୍ତୁଡ଼ି ତୋର ଜଳିଛି ଏଠି,

   ସବୁ କଣ ତୁ ଭୁଲି ଗଲୁରେ ।


ଦରୋଟି କଥା ପ୍ରଥମ ଚାଲି,

   ଚlଟଶାଳୀର ବସ୍ତାନୀ ଧରି

ଅବଧାନଙ୍କ ଆକଟ ବାଣୀ,

  ମଣିଷ ହେଲୁ ମଣିଷ ପରି ।


ଆମ ଗାଁ ର କଇଁ ପୋଖରୀ,

  ବର ଓହଳ ଡାଳମାଙ୍କୁଡ଼ି

ନଟିଆ ଅଜା ବାରିରୁ କୋଳି,

  ଲୁଚାଉଥିଲେ ତା ବଙ୍କୁଲୀବାଡ଼ି ।


ସାଗୁଆ କ୍ଷେତ ଶୋରିଷ ଫୁଲ,

  ଗାଈ ଗୋଠର ମୁରଲୀ ସ୍ଵନ

ସଞ୍ଜ ସକାଳେ ଚଉରା ମୂଳେ,

  ଜେଜେମା ର ମଧୁର ଗାନ ।


ଆମ୍ବ ବଉଳ ମହୁଆ ନିଶା,

  ଧାନ କିଆରୀ ମାଟିର ବାସ୍ନା

ମହ ମହ ବାସେ ବୋଉ ହାତ ବଢ଼ା,

  ସକାଳୁ ସକାଳୁ ପଖାଳ କଂସା ।


ଭୋଦୁଅ ଦିନ ତାଳ ତମାଳ,

  ବାଇଚଢେଇ ବସା ଓହଳ

ଚକୁଳିଆ ପଣ୍ଡା ତାର ତାଳ ଛତା,

  ଧଡ଼ିଆ ଭାଇର ହଳ ଲଙ୍ଗଳ ।


ଆମ୍ବ ତୋଟା ମାଳେ କୋଇଲିର କୁହୁ,

  ଆମ ଗାଁ ଫୁଲ ବାସେ ମହୁ ମହୁ

ଲାଜ ଲାଜ ହସ ଓଢଣୀକୁ ଟାଣି,

  ମିଠା କଥା କୁହେ ଆମ ଗାଁ ବୋହୁ ।


ବୋଉର କୋଳେ ଅଳି ଅଝଟ,

  ବାପାଙ୍କର ସେ ମିଛ ଆକଟ

ଆଈର ଗପ ହସ ପସରା,

  ମନରେ ଆଣେ ଆଜି ଉଚ୍ଚାଟ ।


ରଜ ପାନଖିଆ କେତେ ମଉଜ,

  ଆମ ଗାଁ ଝିଅ ହୁଅନ୍ତି ସଜ

ଦୋଳର ଝୁଲଣ ଝୁଲେ ବିମାନ,

   ଫଗୁ ଖେଳୁଥାନ୍ତି ରାଧା ମୋହନ ।


କୁଆଁର ପୁନେଇଁ ଚକାଜହ୍ନ,

   ଉଚ୍ଛନ୍ନ କରଇ କୁଆଁରୀ ମନ,

ମଧୁଝରା ସେଇ ଜହ୍ନରାତି,

  ହେଲାଣି ଏବେରେ ସାତ ସପନ ।


ଆମ ଗାଁ ନଈତୁଠ କାଚକେନ୍ଦୁ ପାଣି,

 ସଂଜେଡରଲାଗେ ସେ ସିଜୁଗୋହରୀ

ଅଙ୍କା ବଙ୍କା କାଦୁଅର ଦାଣ୍ଡେ,

 ଲାକ୍ଷାବୋଳା ପାଦ ପକାଏ କିଶୋରୀ ।


ଗାଁ ମୁଣ୍ଡରେ ଗ୍ରାମଦେବତୀ,

  ସକାଳେ ସଂଜେ ପୂଜା ଆଳତୀ

ଭାଗବତଟୁଙ୍ଗୀରେ ନୀତିସଞ୍ଜବେଳାରେ,

  ଭାଗବତ ଦୁଇପଦ ମନେଭରେ ଶାନ୍ତିରେ ।


ଏଠା ପାଣି ପବନ ସତେ ଅଛି ଜୀବନ,

  ଆମ ମାଟି ମିଠା କଥା କହେ

ମୁଣ୍ଡିଆ ପାହାଡ଼ ଜିଅନ୍ତା ଲାଗଇ,

   ଏଠି ପଥର ବି ଗୀତ ଗାଏ ।


ପଥର ଦେଉଳୁ ପଥର ଭିତରୁ,

  ଜୁଳୁ ଜୁଳୁ ଦୁଇ ଆଖି

ଆମ ଭଲ ମନ୍ଦ ସୁଖରେ ଦୁଃଖରେ,

  ରହିଥାଏ ହୋଇ ସାକ୍ଷୀ ।


ଆମ ଗାଁରେ ସୁନାଫଳେ ରୂପାଫଳେ,

  ଏଠି ମାଣିକର ଦୀପ ଜଳେ

ଆଶାର ଚଢେଇଟିଏ ବାନ୍ଧଇ ବସା,

  ଆମ ଗାଁ ସପନର ନଈ କୂଳେ ।


ଏସବୁ ଭୁଲି ତୁ ରହିଛୁ କାହିଁ,

  ଏ ପରା ତୋର ଜନମଭୂଇଁ

ଜୀବନ ଗଢ଼ା ଏଇଠି ତୋର,

  ଜଳିବ ଦିନେ ତୋହର ଯୁଇ ।


କୋଳେଇ ନେବ ଡାକୁଛି ଆ,

  ଭୁଲିନି ତୋତେ ସେ ପରା ମା

ଶୀରକୁ ତୋର ନୁଆଇଁ ଦେ,

 ଆରେ ମିତ ଆମ ଗାଁ ଡାକୁଛି ଆ ।


  


Rate this content
Log in

Similar oriya poem from Inspirational