କୁହ କିଆଁ ହେବା ଦୁଃଖୀ
କୁହ କିଆଁ ହେବା ଦୁଃଖୀ
ଖେଳ ସରିଗଲେ
ଶିଶୁ ଭାଙ୍ଗିଦିଏ ଧୂଳି ଘର
ହେଲେ ନୁହେଁ ଦୁଃଖୀ
ପୁଣି ଗଢେ ହୋଇ ଆଗଭର ।
ବରଷା ଆସିଲେ
ପଦୁଅଁର ସରେ ଦିନ କାଳ
ହେଲେ ତା'ର ଛାତି
ଫାଟି ହୁଏନାହିଁ ଦୁଇ ଫାଳ ।
ଦିନ ଢଳିଗଲେ
ସୂରୁଯକୁ ଦେଖ ଯାଏ ବୁଡି
ହେଲେ ବିଷାଦରେ
ହଂସା ତା'ର ଯାଏ ନାହିଁ ଉଡି ।
ରାତି ଶେଷ ହେଲେ
ଶେଫାଳି ଫୁଲଟି ପଡେ ଝଡି
ହେଲେ ଭାଙ୍ଗିପଡି
ଭୂଇଁ ପରେ ଯାଏ ନାହିଁ ଗଡ଼ି ।
ବେଳ ଆସିଗଲେ
ଶଁବାଳୁଆ ହୁଏ ପ୍ରଜାପତି
ହେଲେ ଅବସୋସେ
ଅଥୟ ହୁଏନି ତା'ର ମତି ।
ବସନ୍ତ ଫେରିଲେ
କୋଇଲିର କଣ୍ଠ ଯାଏ ପଡି
ହେଲେ ସେ ଦୁଃଖରେ
ଦକ କରି ଯାଏ ନାହିଁ ଝଡି ।
ଉଆଁସରେ ଜହ୍ନ
ପାରେନାହିଁ ଦେଖି ମୁହଁ ତା'ର
ହେଲେ କେବେ କାନ୍ଦି
ଗଡାଏନି ସିଏ ଲୁହ ଧାର ।
ଅଳପ ଆଘାତେ
ତେଣୁ କୁହ କିଆଁ ହେବା ଦୁଃଖୀ
ବୁଝାଇ ମନକୁ
ବୁଝିଯିବା ଯେବେ ହେବା ସୁଖୀ ।