ବିଭାବରୀ
ବିଭାବରୀ
ବିଭାବରୀ ମୋର ଚିର ସହଚରୀ
ସାରସ୍ଵତ ସାଧନାର ଯଜ୍ଞବେଦୀ
ନିରଳସ ନିଷ୍କାମ କର୍ମଯୋଗୀ ମୁହିଁ
ଦିଏ ଆପଣା ଅହଂର ଆହୁତି!!
ନୀଶିଥର ବିଜନ ବେଳାରେ
ଜହ୍ନ ତାରା ଫୁଲ ମେଳେ
ଆବିଷ୍କାର କରେ ସ୍ଵର୍ଗୀୟ ସତ୍ତା
ଅନୁଭବେ ମର୍ମେ ପ୍ରଶାନ୍ତିର ସ୍ନିଗ୍ଧତା!!
ରାଶି ରାଶି ଉତ୍ସାହ ଉଦ୍ଦୀପନାର
ସୁମଧୁର କମ୍ପନେ ଶିହରଇ ଆପାଦମସ୍ତକ
ତନୁ ମନ ପ୍ରାଣ ହୁଅଇ ଉଚ୍ଚାଟ
ଜାଗି ଉଠେ ସୃଜନର ପହିଲି ପୁଲକ!!
ସାଧନାର ପାବନ ଯଜ୍ଞବେଦୀରେ
ମୁହିଁ ଯେ ଛାର ଅକିଞ୍ଚନ ସାଧକ
ବିଭାବରୀର ଘନଘୋର ତିମିରେ
ସ୍ଥିର ସ୍ଥବିର ସଞ୍ଜମୀ ଦୀପକ!!
ବିଭୂ କୃପା ବଳେ ରଚଇ କବିତା
ସ୍ମୃତି ବିସ୍ମୃତି ବିଜଡିତ ଜୀବନ ଗୀତା
ପ୍ରଖର ସ୍ରୋତା ମୋ ଭାବନା ସରିତା
ଭାବ ଶବ୍ଦ ଛନ୍ଦ ରାଗ ସ୍ୱର ବ୍ୟବର୍ଜିତା!!
ଗାଉଥାଏ ସଦା ମାଟି ମାଆର ଗାଥା
କହୁଥାଏ ମେହନତି ମଣିଷର କଥା
ଶତ ସହସ୍ର ଦୁଃସହ ବିବଶତା
ତଥାପି ଜୀଇଁବାର ବାଧ୍ୟ ବାଧକତା!!