ସରସୀ
ସରସୀ
ଗୋଧୂଳି ବେଳା ତ ବିଦାୟ ନେଲlଣି
ସଞ୍ଜ ଆସେ ନଇଁ ନଇଁ,
ଚାହିଁଛନ୍ତି ସୂର୍ଯ୍ୟ ସରସୀ ସରୋଜେ
ବିଦାୟ ଚୁମ୍ବନ ପାଇଁ |
ସରସିଜ ମନେ ବିରହ ବେଦନା
କେମିତି ବିତିବ ରାତି,
ଧୀର ସମୀରଣେ ସ୍ବପ୍ନ ଯାଏ ହଜି
କାନ୍ଦୁଛି ଯେ ମଥା ପିଟି |
ଦିନ ବିତିଗଲା ଜଣା ପଡିଲାନି
ଖେଳୁଥିଲା ସରସୀରେ,
କେତେ ଯେ ପୀରତି କିରଣରେ ତାତି
ଭରିଥିଲେ ପ୍ରିୟ ତାରେ |
ଦୂର ଦିଗନ୍ତରେ ସୂର୍ଯ୍ୟ ବୁଡିଗଲେ
ଆକାଶେ ହସୁଛି ଜହ୍ନ,
ସରସୀରେ କଇଁ ଧିରେ ହସିଲାଣି
ଜହ୍ନକୁ ଦେବସେ ମନ |
ବିରହୀ ଜୀବନେ କେତେ ଯେ ବେଦନା
ସହିଛି ସେ ଦିବସରେ,
ପଦ୍ମ ହସୁଥିଲା ଦେଖେଇ ଦେଖେଇ
ସହିଥିଲା ନୀରବରେ |
ଜହ୍ନ ଜୋଛନାରେ ଝଲମଲ ହୁଏ
ସରସୀର ନୀଳଜଳ,
କଇଁ ନାଚୁଥିଲା ପ୍ରୀତିର ପୁଲକେ
ଆସିଛି ମିଳନ ବେଳ |
ସରସୀ ସତେକି ସଜେଇ ହୋଇଛି
ହେବାପାଇଁ ମଧୁଶାଳା,
କେତେ ଯେ ଦିବସ କେତେ ଯେ ରଜନୀ
ଦେଖିଛି ସେ ପ୍ରୀତିବୋଳା |